ଚିନ୍ତାମଣି କୃଷ୍ଣ, ନାରାୟଣ ଓ ନୃସିଂହ

‘ନନ୍ଦିଘୋଷ’ର ରଥଦେବତା: ଚିନ୍ତାମଣି କୃଷ୍ଣ, ନାରାୟଣ ଓ ନୃସିଂହ

‘ନନ୍ଦିଘୋଷ’ ରଥର ବାମ ଓ ପଛପାଖର ତିନି ପାର୍ଶ୍ୱଦେବତାଙ୍କ ପରି, ଦକ୍ଷିଣରେ ମଧ୍ୟ ତିନି ପାର୍ଶ୍ୱଦେବତା ଅବସ୍ଥାନ କରନ୍ତି। ସେହି ତିନି ପାର୍ଶ୍ୱ ଦେବତା ହେଉଛନ୍ତି- ଚିନ୍ତାମଣି କୃଷ୍ଣ, ନାରାୟଣ ଓ ନୃସିଂହ। ସେମାନଙ୍କର ସଂକ୍ଷିପ୍ତ ବିବରଣୀ ଏହିପରି-
୭. ଚିନ୍ତାମଣି କୃଷ୍ଣ: ଶ୍ରୀଚନ୍ଦନ ନାମକ ଜଣେ ଭକ୍ତକବିଙ୍କର ଭଣିତା ଥାଇ ଶ୍ରୀଜଗନ୍ନାଥଙ୍କର ଏକ ଭଜନ ଅଛି- ‘‘ଚନ୍ଦନଲାଗି ସମୟେ ଚିନ୍ତ ଚିନ୍ତାମଣିଙ୍କି’। ଏହାର ପ୍ରଥମ ପଦର ଅନ୍ୟ ଧାଡ଼ିଗୁଡ଼ିକ ହେଉଛି- ‘‘ସୁବେଶର ଲାଗି ଶେଷ / ଲାଗି ହୋଇ ଝୀନବାସ / କଟୀରେ ସୁବର୍ଣ୍ଣ ଝୁମ୍ପା ଆହା କେଡ଼େ ଠାଣି କି!’’ ଲୋକବିଶ୍ୱାସ ରହିଆସିଛି ଯେ ଚନ୍ଦନଲାଗି ସମୟରେ ଭକ୍ତ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରି ନିଜର ମନୋବାଞ୍ଛା ଜଣାଇଲେ ତାହା ଅବଶ୍ୟ ପୂରଣ ହୋଇଥାଏ। ଏହା ସହିତ ‘ଚିନ୍ତାମଣି’ ନାମକ ଏକ କଳ୍ପିତ ରତ୍ନର ଭାବଧାରା ଜଡ଼ିତ। କାରଣ ସେହି ରତ୍ନ ପ୍ରାଣୀର ମନୋବାଞ୍ଛା ପୂରଣ କରିଥାଏ ବୋଲି ବିଶ୍ୱାସ କରାଯାଏ।

ଏହି ଭାବରେ ଶ୍ରୀଜଗନ୍ନାଥ ଓ ଶ୍ରୀକୃଷ୍ଣ ମଧ୍ୟ ‘ଚିନ୍ତାମଣି’ ରୂପେ ଭକ୍ତମାନଙ୍କର ଆଶା-ବିଶ୍ୱାସର କେନ୍ଦ୍ର ହୋଇଥାନ୍ତି। ଅଭିମନ୍ୟୁ ସାମନ୍ତସିଂହାରଙ୍କ ‘ବିଦଗ୍ଧ ଚିନ୍ତାମଣି’ କାବ୍ୟକୁ ଆମେ ଏ ପ୍ରସଙ୍ଗରେ ସ୍ମରଣ କରିପାରିବା। ଅନ୍ୟ ଦୃଷ୍ଟିରୁ ମଧ୍ୟ ବିଶ୍ୱାସ ରହିଆସିଛି, ଯେ ଯେପରି ଭାବରେ ତାଙ୍କୁ ଚିନ୍ତାକରେ, ସେ ସେପରି ଭାବରେ ପାଏ। ‘ଶ୍ରୀମଦ୍‌ଭାଗବତ’ର ଚତୁର୍ଥ ଅଧ୍ୟାୟରେ ଥିବା ବର୍ଣ୍ଣନା ଅନୁସାରେ, ଉଗ୍ରସେନ ତାଙ୍କୁ ଶଙ୍ଖ ଓ ଚକ୍ର ଚିହ୍ନରେ ଦେଖିବାକୁ ଚାହିଁଥିଲେ ଏବଂ ସେ ତାଙ୍କୁ ସେହି ରୂପରେ ଦର୍ଶନ ଦେଇଥିଲେ। ଓଡ଼ିଆ ଭାଗବତକାର ଜଗନ୍ନାଥ ଦାସ ଏ ସଂପର୍କରେ କହିଛନ୍ତି, ‘‘ଭୃତ୍ୟର ତୋଷେ ଭାବଗ୍ରାହୀ / ଶଙ୍ଖ ଚକ୍ର ଚିହ୍ନ ଦେଖାଇ।’’ ଉଗ୍ରସେନଙ୍କ ପରି ଅକ୍ରରଙ୍କୁ ମଧ୍ୟ ଶ୍ରୀକୃଷ୍ଣ ଜଳ ମଧ୍ୟରେ ଦର୍ଶନ ଦେଇଥିବାର ବର୍ଣ୍ଣନା ଭାଗବତରେ ଅଛି। ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ରଥରେ ଏହି ଭାବଧାରା ଅନୁସାରେ ପାର୍ଶ୍ୱଦେବତା ରୂପେ ଚିନ୍ତାମଣି କୃଷ୍ଣଙ୍କୁ ସ୍ଥାନିତ କରାଯାଇଛି। ତ୍ରିଭଙ୍ଗୀ ଛନ୍ଦରେ ଦଣ୍ଡାୟମାନ ଏହି କୃଷ୍ଣ ଅଷ୍ଟଭୁଜ। ତାଙ୍କର ଦୁଇ ହାତରେ ବଂଶୀ ଏବଂ ଅନ୍ୟ ଛଅ ହାତରେ ସେ ଶଙ୍ଖ, ଚକ୍ର, ଗଦା, ପଦ୍ମ, ଧନୁ ଓ ଶର ଧାରଣ କରିଛନ୍ତି। ତାଙ୍କର ଦୁଇ ପାର୍ଶ୍ୱରେ ଦୁଇ ସଖୀ ଦଣ୍ଡାୟମାନ ରହିଛନ୍ତି।

୮. ନାରାୟଣ: ‘ନନ୍ଦିଘୋଷ’ ରଥରେ ଶ୍ରୀଜଗନ୍ନାଥ ସ୍ୱୟଂ ତାଙ୍କର ଆଷାଢ଼ ମାସର ନାମ ‘ବାମନ’ ରୂପେ ବିଜେ କରିଥାନ୍ତି। ଏହା ସତ୍ତେ୍ଵ, ତାଙ୍କ ରଥର ପାର୍ଶ୍ୱଦେବତା ରୂପେ ପଦ୍ମାସନରେ ଉପବିଷ୍ଟ ନାରାୟଣ ସ୍ଥାନିତ ହେବା ତାତ୍ପର୍ଯ୍ୟପୂର୍ଣ୍ଣ। ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଅଣସର ସମୟରେ ପୂଜିତ ଶ୍ରୀଜଗନ୍ନାଥଙ୍କର ପଟିଦିଅଁଙ୍କ ନାମ ମଧ୍ୟ ନାରାୟଣ। ସେ ମଧ୍ୟ ଏହିପରି ପଦ୍ମାସନରେ ଉପବିଷ୍ଟ ଥାଆନ୍ତି। ତେବେ ଏହି ପଟିଦିଅଁ-ନାରାୟଣଙ୍କର ଦକ୍ଷିଣ ଊଦ୍ଧ୍ଵର୍ ହସ୍ତରେ ଚକ୍ର ଓ ଦକ୍ଷିଣ ନିମ୍ନ ହସ୍ତରେ ଗଦା ଥିବାବେଳେ, ବାମ ଊଦ୍ଧ୍ଵର୍ ହସ୍ତରେ ଶଙ୍ଖ ଓ ବାମ ନିମ୍ନ ହସ୍ତରେ ପଦ୍ମ ଶୋଭା ପାଇଥାଏ। କିନ୍ତୁ ନନ୍ଦିଘୋଷର ପାର୍ଶ୍ୱଦେବତା ରୂପେ ସ୍ଥାନିତ ନାରାୟଣଙ୍କ ରୂପରେ, ପଟିଦିଅଁଙ୍କ ପରି ଊଦ୍ଧ୍ଵର୍ ଦୁଇ ହସ୍ତରେ ଚକ୍ର ଓ ଶଙ୍ଖ ଥିବାବେଳେ, ଦକ୍ଷିଣ ନିମ୍ନ ହସ୍ତରେ ପଦ୍ମ ଓ ବାମ ନିମ୍ନ ହସ୍ତରେ ଗଦା ଶୋଭାପାଏ। ତେବେ ଏ ସଂପର୍କରେ ‘ସ୍କନ୍ଦପୁରାଣ’ ପଞ୍ଚମ ଅଧ୍ୟାୟର ୨୮ ଶ୍ଳୋକ ତାତ୍ପର୍ଯ୍ୟପୂର୍ଣ୍ଣ। ସେଥିରେ କୁହାଯାଇଛି- ହେ ଜଗନ୍ନାଥ ! ଆପଣଙ୍କ ‘ନାରାୟଣ’ ନାମର ଯାଦୃଚ୍ଛିକ (ଯେ କୌଣସି ପ୍ରକାରର) ସଂକୀର୍ତ୍ତନ ସମଧିକ ପରିମାଣରେ ଚତୁର୍ବର୍ଗ (ଧର୍ମ, ଅର୍ଥ, କାମ, ମୋକ୍ଷ) ସାଧନ ନିମନ୍ତେ ସକ୍ଷମ।

୯. ନୃସିଂହ: ଶ୍ରୀନୃସିଂହ, ଭଗବାନ ବିଷ୍ଣୁଙ୍କର ନର-ସିଂହ ରୂପ। ମତ୍ସ୍ୟ, କଚ୍ଛପ ଓ ବରାହ ଅବତାର ପରେ ଏହା ତାଙ୍କର ଚତୁର୍ଥ ଅବତାର। ଏହି ଅବତାରରେ ଭଗବାନ ବିଷ୍ଣୁ ହିରଣ୍ୟକଶିପୁକୁ ଓ ମୁରାସୁରକୁ ବଧ କରିଥିଲେ। ହିରଣ୍ୟକଶିପୁର ପୁତ୍ର ପ୍ରହ୍ଲାଦ ଧ୍ରୁବଙ୍କ ପରି ଶ୍ରେଷ୍ଠ ବିଷ୍ଣୁଭକ୍ତ। ‘‘ମୋର ପୁତ୍ର ହୋଇ ମଧ୍ୟ ତୁ ସଦାସର୍ବଦା ବିଷ୍ଣୁଙ୍କ ନାମ ଜପ କରୁଛୁ ?’’ ଏହା କହି ହିରଣ୍ୟକଶିପୁ ତାଙ୍କୁ ମାରିବାକୁ ବାରମ୍ବାର ଚେଷ୍ଟା କରୁଥିଲା। କିନ୍ତୁ ପ୍ରହ୍ଲାଦଙ୍କ ପ୍ରତି ବିଷ୍ଣୁଙ୍କ କୃପାଯୋଗୁଁ ସେଥିରେ ବିଫଳ ହେଉଥିଲା। ସବୁ ପ୍ରୟାସ ବ୍ୟର୍ଥ ହେବା ଫଳରେ ସେ କ୍ରୁଦ୍ଧ ହୋଇ ପ୍ରହ୍ଲାଦଙ୍କୁ ପଚାରିଥିଲା- କେଉଁଠି ଅଛନ୍ତି ତୋର ବିଷ୍ଣୁ ? ପ୍ରହ୍ଲାଦ ଉତ୍ତର ଦେଇଥିଲେ- ସେ ସର୍ବବ୍ୟାପୀ, ସେ ସବୁଠାରେ ବିଦ୍ୟମାନ। ତାହା ଶୁଣି ହିରଣ୍ୟକଶିପୁ ଗର୍ଜନ କରି ସମ୍ମୁଖରେ ଥିବା ଏକ ଖମ୍ବକୁ ଦେଖାଇ ତାଙ୍କୁ ପଚାରିଥିଲା- ତୋ’ ବିଷ୍ଣୁ କ’ଣ ଏହି ଖମ୍ବ ଭିତରେ ଅଛନ୍ତି ? ହିରଣ୍ୟକଶିପୁ ‘ହଁ’ କହିବାରୁ ସେ ସେହି ଖମ୍ବକୁ ପ୍ରହାର କରିଥିଲା। ତାହା ଫଳରେ ଖମ୍ବକୁ ବିଦୀର୍ଣ୍ଣ କରି ଭଗବାନ ବିଷ୍ଣୁ ନୃସିଂହ ରୂପରେ ସେଥିରୁ ବାହାରିଥିଲେ ଓ ତାକୁ ବିଦାରଣ କରିଥିଲେ।

‘ନନ୍ଦିଘୋଷ’ ରଥରେ ପାର୍ଶ୍ୱଦେବତା ରୂପେ ସ୍ଥାନ ପାଇଥିବା ଏହି ବିଦାରଣ-ନୃସିଂହଙ୍କ ରୂପ କିନ୍ତୁ ଶ୍ରୀକ୍ଷେତ୍ରର ଅନ୍ୟାନ୍ୟ ନୃସିଂହଙ୍କ ରୂପଠାରୁ ସ୍ୱତନ୍ତ୍ର। ଏହି ପାର୍ଶ୍ୱଦେବତା ରୂପରେ ସେ ସିଂହାସନରେ ଉପବିଷ୍ଟ ରହି, କୋଳରେ ହିରଣ୍ୟକଶିପୁକୁ ଧରିଛନ୍ତି ଏବଂ ଦୁଇ ନିମ୍ନ ହସ୍ତରେ ତାକୁ ବିଦାରଣ କରୁଛନ୍ତି। ତାଙ୍କର ଊଦ୍ଧ୍ଵର୍ ଦୁଇ ହାତ ମଧ୍ୟରୁ ବାମ ହାତରେ ଶଙ୍ଖ ଓ ଡାହାଣ ହାତରେ ଚକ୍ର ରହିଛି।
ଶ୍ରୀଜଗନ୍ନାଥଙ୍କର ଆଦିରୂପ ନୃସିଂହ ହୋଇଥିବାରୁ, ତାଙ୍କ ରଥରେ ଏହି ନୃସିଂହ ପାର୍ଶ୍ୱଦେବତା ରୂପେ ସ୍ଥାନ ପାଇବା ଖୁବ୍‌ ତାତ୍ପର୍ଯ୍ୟପୂର୍ଣ୍ଣ।
-ଅସିତ ମହାନ୍ତି

ସମ୍ବନ୍ଧିତ ଖବର