ବାରବାଟୀ ବିସିସିଆଇ ବକ୍ସରେ ଶୁଭଙ୍କର

ଆଇଏଏସ୍‌, ଆଇପିଏସ୍‌ଙ୍କ ଗହଣରେ ଖେଳ ଦେଖା ନେଇ ତନାଘନା

କଟକ : ଚିଟ୍‌ଫଣ୍ଡ ଠକେଇରେ ଅନ୍ୟତମ ଅଭିଯୁକ୍ତ ଶୁଭଙ୍କର ନାୟକ ବାରବାଟୀ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ଟେ୍ଵଣ୍ଟି-୨୦ ମ୍ୟାଚ୍‌ ବିସିସିଆଇ ବକ୍ସରେ ଦେଖିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଯେଉଁ ସ୍ଥାନରେ ବସି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା, ଅନ୍ୟ ବହୁ ବରିଷ୍ଠ ଆଇଏଏସ୍‌, ଆଇପିଏସ୍‌ ଅଧିକାରୀ, ମନ୍ତ୍ରୀ, ସାଂସଦ, ବିଧାୟକମାନେ ବସି ଏହି ମ୍ୟାଚ୍‌ ଦେଖୁଥିଲେ ସେହି ଠାରେ ବସି ଶୁଭଙ୍କର ମ୍ୟାଚ୍‌ ଦେଖିବା ଘଟଣା ବିବାଦୀୟ ହୋଇଛି। ବିସିସିଆଇ ବକ୍ସର ଆରମ୍ଭରୁ ଦ୍ୱିତୀୟ ଧାଡ଼ିରେ ବସି ଶୁଭଙ୍କର ମ୍ୟାଚ୍‌ ଦେଖୁଥିଲେ।

ଚିଟ୍‌ଫଣ୍ଡ କେଳେଙ୍କାରୀରେ ସଂପୃକ୍ତି ଅଭିଯୋଗରେ ୨୦୧୪ରେ ସିବିଆଇ ଶୁଭଙ୍କର ନାୟକଙ୍କୁ ଗିରଫ କରିଥିଲା। ସେ ଚଳିତ ବର୍ଷ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍‌ ପାଇ ଜେଲ୍‌ରୁ ମୁକୁଳି ଥିଲେ। ଶୁଭଙ୍କରଙ୍କର ନେତା, ମନ୍ତ୍ରୀ, ଆଇଏଏସ୍‌, ଆଇପିଏସ୍‌ଙ୍କ ସହ ଘନିଷ୍ଠତା ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା। ଏଭଳି ସ୍ଥିତିରେ ଗତକାଲି ଭିଭିଆଇପିଙ୍କ ଗହଣରେ ଶୁଭଙ୍କର ଖେଳ ଦେଖିବା ଘଟଣା ତାଙ୍କ ସଂପର୍କକୁ ନେଇ ଉଠୁଥିବା ଅଭିଯୋଗ ଯେ ସତ ତାହା ପ୍ରମାଣିତ ହୋଇଛି।

ଏ ସଂପର୍କରେ ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି ଯେ ବିସିସିଆଇ ବକ୍ସ ପାଇଁ ଓସିଏ ପକ୍ଷରୁ ପାସ୍‌ ଇସ୍ୟୁ କରାଯାଏ। ରାଜନେତା, ବରିଷ୍ଠ ଅଧିକାରୀଙ୍କୁ ଏହି ପାସ୍‌ ଦିଆଯାଏ। ଏଥିରେ ପୁଲିସର କୌଣସି ଭୂମିକା ନାହିିଁ । ପାସ୍‌ ପାଇଥିବା କୌଣସି ବ୍ୟକ୍ତି ଶୁଭଙ୍କରଙ୍କୁ ହୁଏତ ଏହାକୁ ଦେଇଥିବା ଅନୁମାନ କରାଯାଉଛି । ପ୍ରକୃତରେ କିଏ ତାକୁ ପାସ୍‌ ଦେଇଛି, ତାହା ଜାଣିବା ସମ୍ଭବପର ନୁହେଁ। କିନ୍ତୁ ତା ସହିତ ଘନିଷ୍ଠ ଥିବା ବ୍ୟକ୍ତି ପାସ୍‌ ଦେଇଥିବା ଅନୁମାନ କରାଯାଉଛି ବୋଲି ଶ୍ରୀ ସିଂହ କହିଛନ୍ତି । ଅନ୍ୟପଟେ ଓସିଏ ପରିଚାଳନା କମିଟି ଅଧ୍ୟକ୍ଷ ଧୀରେନ୍‌ ପଲାଇ କହିଛନ୍ତି ଯେ ଶୁଭଙ୍କର କିଏ ଜାଣିନୁ କି ତାଙ୍କୁ ପାସ୍‌ ଇସ୍ୟୁ ଆମେ କରିନୁ । ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆମେ ଏ ସଂପର୍କରେ ଜାଣୁଛୁ। ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଏ ସଂପର୍କରେ ଓସିଏରେ ଆଲୋଚନା କରାଯିବ ବୋଲି ଶ୍ରୀ ପଲାଇ କହିଛନ୍ତି ।

ସମ୍ବନ୍ଧିତ ଖବର