ନ୍ୟାୟ ପାଇବେନି ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ

ଅର୍ଥନୈତିକ ଅପରାଧ ମାମଲାରେ ଦଣ୍ଡବିଧାନ ନୈରାଶ୍ୟଜନକ

ଭୁବନେଶ୍ୱର : ଓଡିଶାରେ ଅର୍ଥନୈତିକ ଅପରାଧ ମାମଲା ଗୁଡ଼ିକରେ ବିଚାର ପ୍ରକ୍ରିୟା ଧିମା ରହୁଥିବାବେଳେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ୫ଲକ୍ଷରୁ ଉର୍ଦ୍ଧ୍ୱ ଜମାକାରୀଙ୍କୁ ତ୍ୱରିତ ନ୍ୟାୟ ମିଳିବାର ସମ୍ଭାବନା ନାହିଁ। ଯେଉଁଭଳି ଭାବରେ ଏହି ଆର୍ଥକ ଠକେଇ ମାମଲାର ବିଚାର ଚାଲୁଛି ତାହା ବଳବତ୍ତର ରହିଲେ ଅନେକ ଜମାକାରୀ ସେମାନଙ୍କ ଜୀବିତାବସ୍ଥାରେ ମଧ୍ୟ ଅର୍ଥ ଫେରିପାଇବା ସମ୍ଭାବନା କ୍ଷୀଣ।

କେନ୍ଦ୍ର ସରକାରଙ୍କ ସର୍ବଶେଷ ‘କ୍ରାଇମ୍‌ ଇନ୍‌ ଇଣ୍ଡିଆ ରିପୋର୍ଟ’ରୁ ଜଣାଯାଇଛି ଯେ ଓଡିଶାରେ ଅର୍ଥନୈତିକ ଅପରାଧ ସଂକ୍ରାନ୍ତୀୟ ଯେତେ ମାମଲା ପଡ଼ିରହିଛି ସେଥିରୁ ବର୍ଷକରେ ଅତି ବେଶିରେ ୮.୧ ପ୍ରତିଶତ ମାମଲା ଫଏସଲା ହେଉଛି। ଫଏସଲା ହେଉଥିବା ମାମଲା ଭିତରୁ ଅନ୍ୟୂନ ୮୮ ପ୍ରତିଶତରେ ଅଭିଯୁକ୍ତ ଖସି ଯାଉଛନ୍ତି। ଏଭଳି ମାମଲାରେ ଜାତୀୟ ସ୍ତରରେ ଦଣ୍ଡବିଧାନ ହାର ୨୦.୭ ପ୍ରତିଶତ ଥିବାବେଳେ ଓଡିଶାରେ ତାହା ପାଖାପାଖି ୧୨ ପ୍ରତିଶତ ରହୁଛି।

ତେବେ ଅର୍ଥନୈତିକ ଅପରାଧ ମାମଲାରେ ଦେଶରେ ସବୁଠାରୁ କମ୍‌ ଦଣ୍ଡବିଧାନ (ମାତ୍ର ୩.୭ ପ୍ରତିଶତ) ଗୁଜୁରାଟରେ ହେଉଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। କର୍ଣ୍ଣାଟକରେ ବି ଏହା ୪.୪ ଓ ପଶ୍ଚିମବଙ୍ଗରେ ୫.୩ ପ୍ରତିଶତରେ ସୀମିତ। ଅନ୍ୟ ପକ୍ଷରେ ମିଜୋରାମ ଭଳି ଛୋଟିଆ ରାଜ୍ୟରେ ଅର୍ଥନୈତିକ ଅପରାଧ ମାମଲାରେ ଦଣ୍ଡବିଧାନ ହାର ସର୍ବାଧିକ ୯୬.୨ ପ୍ରତିଶତ ରହୁଥିବା ବେଳେ ନାଗାଲାଣ୍ଡରେ ଏହା ୫୬ ଓ ଉତ୍ତରପ୍ରଦେଶରେ ୫୩ ପ୍ରତିଶତ ରହିଛି।

ଦଣ୍ଡବିଧାନ ହାର କ୍ଷେତ୍ରରେ ଅନ୍ୟ ଯେଉଁସବୁ ରାଜ୍ୟ ଓଡିଶା ଠାରୁ ପଛରେ ଅଛନ୍ତି, ସେଗୁଡିକ ହେଲେ ଆନ୍ଧ୍ର, ଜାମ୍ମୁ-କାଶ୍ମୀର, ମହାରାଷ୍ଟ୍ର, କେରଳ ଓ ତେଲେଙ୍ଗାନା। ଓଡିଶାରେ ବର୍ଷକୁ ମାତ୍ର ୧୨୦୬ଟି ଆର୍ଥକ ଅପରାଧ ମାମଲା ଫଏସଲା ହେଉଥିବା ବେଳେ ସେଥିରୁ ମୋଟେ ୧୪୫ଟିରେ ଦଣ୍ଡବିଧାନ ହେଉଥିବା ଜଣାପଡ଼ିଛି। ୨୦୧୭ ଆରମ୍ଭ ବେଳକୁ ଏ କିସମର ୧୩,୯୯୩ ମାମଲା ବିଚାରପାଇଁ ପଡ଼ି ରହିଥିଲା।

ଓଡିଶାରେ ଚିଟ୍‌ଫଣ୍ଡ କାରବାର ଗୋଟିଏ ସମୟରେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ପଶ୍ଚିମବଙ୍ଗ ଓ ଓଡିଶାର ଅନେକ ରାଜନେତା ଏହି କାରବାରରେ ଫସି ଜେଲ୍‌ ଯାଇଛନ୍ତି। ଚିଟ୍‌ଫଣ୍ଡ ସହିତ ରାଜନେତାଙ୍କ ସମ୍ପର୍କ ଅଭିଯୋଗ ଯୋଗୁଁ ସୁପ୍ରିମ୍‌କୋର୍ଟ ୪୫ଟି ଚିଟ୍‌ଫଣ୍ଡ ମାମଲାର ତଦନ୍ତଭାର ସିବିଆଇ ଉପରେ ନ୍ୟସ୍ତ କରିଥିଲା। ଏହାଛଡା ଆଉ ଶତାଧିକ ଚିଟ୍‌ଫଣ୍ଡ ସଂସ୍ଥାଙ୍କ ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ଓ ବିଭିନ୍ନ ଥାନାର ପୁଲିସ୍‌ ତଦନ୍ତ କରୁଛନ୍ତି। କେବଳ ଚିଟ୍‌ଫଣ୍ଡ ନୁହେଁ ଜମି ଓ ଘର ଯୋଗାଇ ଦେବାକୁ ଆକର୍ଷଣୀୟ ସ୍କିମ୍‌ କରି କେତେକ ସଂସ୍ଥା ମଧ୍ୟ କୋଟି କୋଟି ଟଙ୍କା ଲୁଟି ନେଇଛନ୍ତି। ଏହାଛଡ଼ା ଜାଲିଆତି କରି ବି ବ୍ୟାପକ ଆର୍ଥକ ଅପରାଧ ଘଟୁଛି। କିନ୍ତୁ ଏଭଳି ଲୁଟ୍‌ ମାମଲାରେ ଗୋଟିଏ ପଟେ ଦଣ୍ଡବିଧାନ ହାର ନଗଣ୍ୟ ରହୁଛି ଓ ଅନ୍ୟପଟେ ବିଚାର ପ୍ରତୀକ୍ଷାରେ ଥିବା ମାମଲା ମଧ୍ୟରୁ ପ୍ରତି ବର୍ଷ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ପଡ଼ି ରହୁଥିବାରୁ ଠକାମୀର ଶିକାର ଲୋକେ ହନ୍ତସନ୍ତ ହେଉଥିବା ସ୍ଥଳେ ଠକମାନେ କିନ୍ତୁ ସେମାନଙ୍କ ଲୁଟ୍‌ ସାମ୍ରାଜ୍ୟ ବଜାୟ ରଖୁଛନ୍ତି।

ସମ୍ବନ୍ଧିତ ଖବର