ଚିଟ୍‌ଫଣ୍ଡ୍‌ ବିଚାର ବିଭାଗୀୟ ତଦନ୍ତକୁ ପାଞ୍ଚ ବର୍ଷ : ୪୮୬ସଂସ୍ଥାକୁ ନୋଟିସ୍‌, ୫.୯୩ଲକ୍ଷ ସତ୍ୟପାଠ ଯାଞ୍ଚ୍‌, କ୍ଷୁଦ୍ର ଜମାକାରୀଙ୍କୁ ଫୋକସ୍‌, ଫେରି ପାଉଛନ୍ତି ଟଙ୍କା

କଟକ : ଚିଟ୍‌ଫଣ୍ଡ୍‌ ମାମଲାର ତଦନ୍ତ ପାଇଁ ସରକାର ଗଠନ କରିଥିବା ବିଚାର ବିଭାଗୀୟ ତଦନ୍ତ କମିସନ୍‌କୁ ଆଜି ପାଞ୍ଚ ବର୍ଷ ପୂରିଛି। ୨୦୧୩, ଜୁଲାଇ ୯ ତାରିଖରେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ନ୍ୟାୟ ଦେବା ପାଇଁ ସରକାର ଜଣିକିଆ କମିସନ୍‌ ଗଠନ କରିଥିଲେ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଆର୍‌.କେ. ପାତ୍ରଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଜଷ୍ଟିସ ପାତ୍ରଙ୍କ ପରଲୋକ ପରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ମଦନ ମୋହନ ଦାସଙ୍କୁ ୨୦୧୫, ଫେବ୍ରୁଆରି ୫ ତାରିଖରେ ମିଳିଥିଲା ଦାୟିତ୍ଵ। ଏହି କ୍ରମରେ ରାଜ୍ୟ ସରକାର ବି ୨୦୧୫, ଫେବ୍ରୁଆରି ୨୦ରେ ବିଜ୍ଞପ୍ତି ଜାରି କରି ପ୍ରାଥମିକ ପର୍ଯ୍ୟାୟରେ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀ(୧୦ ହଜାର ଟଙ୍କା ବା ତା’ଠାରୁ କମ୍‌ ନିବେଶ କରିଥିବା ବ୍ୟକ୍ତି)ଙ୍କ ଚିହ୍ନଟ ଓ ସେମାନଙ୍କ ଟଙ୍କା ଫେରସ୍ତ ପ୍ରକ୍ରିୟା ସଂକ୍ରାନ୍ତରେ ପରାମର୍ଶ ପ୍ରଦାନ ପାଇଁ କମିସନଙ୍କୁ ଅତିରିକ୍ତ ଦାୟିତ୍ଵ ପ୍ରଦାନ କରାଯାଇଥିଲା। ଫଳରେ ପ୍ରାଥମିକ ପର୍ଯ୍ୟାୟରେ କ୍ଷୁଦ୍ର ଜମାକାରୀଙ୍କ ଉପରେ ଜୋର୍‌ ଦିଆଯାଇଥିଲା। ଏହି କ୍ରମରେ ଗଲା ପାଞ୍ଚ ବର୍ଷ ଭିତରେ କମିସନ୍‌ ୫ଲକ୍ଷ ୯୩ହଜାର ଜମାକାରୀଙ୍କ ସତ୍ୟପାଠ ଯାଞ୍ଚ୍‌ କରିିଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରର ୪୮୬ଟି ଚିଟଫଣ୍ଡ ସଂସ୍ଥାକୁ ନୋଟିସ୍‌ ଜାରି କରିଛନ୍ତି। ଚାରିଟି ପର୍ଯ୍ୟାୟରେ ଅଦ୍ୟାବଧି ସରକାରଙ୍କୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିବା ବେଳେ ପଞ୍ଚମ ରିପୋର୍ଟ ଖୁବ୍‌ ଶୀଘ୍ର ଦେବାକୁ ଯାଉଛନ୍ତି। ତେବେ କମିସନ୍‌ଙ୍କ ରିପୋର୍ଟ ଆଧାରରେ ଏବେ ରାଜ୍ୟ ସରକାର କପର୍ସ ପାଣ୍ଠିରୁ ସାରା ରାଜ୍ୟର କ୍ଷତିଗ୍ରସ୍ତ ଜମାକାରୀଙ୍କୁ କ୍ଷତିପୂରଣ ରାଶି ଦେଉଥିବା ବେଳେ ଅନ୍ୟପଟେ କମିସନ୍‌ଙ୍କ ନୋଟିସ୍‌ ପରେ ବି ଅନେକ ସଂସ୍ଥା କାର୍ଯ୍ୟାନୁଷ୍ଠାନ ଭୟରେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରାଇ ଦେଉଛନ୍ତି।

ଉଲ୍ଲେଖଯୋଗ୍ୟ, ସରକାର ଚିଟଫଣ୍ଡ ମାମଲାର ତଦନ୍ତ ପାଇଁ କମିସନ୍‌ ଗଠନ କରିବା ପରେ ସାରା ରାଜ୍ୟରେ କ୍ଷତିଗ୍ରସ୍ତ ଜମାକାରୀ ମାନେ କଟକସ୍ଥିତ କମିସନ୍‌ଙ୍କ କାର୍ଯ୍ୟାଳୟରେ ସତ୍ୟପାଠ ଦାଖଲ କରିଥିଲେ। ୨୦୧୩, ଅଗଷ୍ଟ ୫ ରୁ ୨୦୧୩, ଅଗଷ୍ଟ ୨୧ ମଧ୍ୟରେ ଦାଖଲ ସତ୍ୟପାଠ ମଧ୍ୟରୁ କମିସନ୍‌ ୨୬,୯୭୬ଟି ସତ୍ୟପାଠ ଯାଞ୍ଚ କରି ୨୦୧୬, ମେ ୨୫ ତାରିଖ ଦିନ ସରକାରଙ୍କୁ ପ୍ରଥମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ଅନୁରୂପ ଭାବେ ଦ୍ୱିତୀୟ ପର୍ଯ୍ୟାୟରେ ୨୦୧୩, ଅଗଷ୍ଟ ୨୨ରୁ ୨୦୧୩, ଅଗଷ୍ଟ ୩୧ ମଧ୍ୟରେ ଦାଖଲ ୬୧ହଜାର ୨୫୨ଟି ସତ୍ୟପାଠ ଯାଞ୍ଚ୍‌ କରି ସରକାରଙ୍କୁ ୨୦୧୭, ଫେବ୍ରୁଆରି ୩ରେ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ତୃତୀୟ ରିପୋର୍ଟ ୨୦୧୭, ଜୁଲାଇ ୨୫ରେ କମିସନ୍‌ ସରକାରଙ୍କୁ ଦେଇଥିଲେ। ତେବେ ତିନି ପର୍ଯ୍ୟାୟରେ କମିସନ୍‌ ଦେଇଥିବା ଏ ତିନିଟି ରିପୋର୍ଟରେ ପ୍ରାଥମିକତା ଭିତ୍ତିରେ ୬୦ ହଜାର ୯୪୧କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ ପୂର୍ବକ କ୍ଷତିପୂରଣ ଦେବା ପାଇଁ ପରାମର୍ଶ ଦିଆଯାଇଥିଲା। ସେପଟେ ନୋଟିସ୍‌ ପାଇବା ପରେ କାର୍ଯ୍ୟାନୁଷ୍ଠାନ ଭୟରେ ଅନେକ ସଂସ୍ଥା ତୃତୀୟ ପର୍ଯ୍ୟାୟ ସୁଦ୍ଧା ପ୍ରାୟ ୧୩ଶହ କ୍ଷୁଦ୍ର ଜମାକାରୀଙ୍କୁ କମିସନଙ୍କ ଜରିଆରେ ଟଙ୍କା ଫେରାଇ ଦେଇଥିଲେ।

ଅନ୍ୟପକ୍ଷରେ ଚତୁର୍ଥ ପର୍ଯ୍ୟାୟରେ ୨୦୧୩, ସେପ୍ଟେମ୍ବର ୧୩ରୁ ୨୦୧୩, ସେପ୍ଟେମ୍ବର ୧୭ ମଧ୍ୟରେ ଦାଖଲ ୧ ଲକ୍ଷ ୩୮ ହଜାର ୩୮୭ଟି ସତ୍ୟପାଠ ଯାଞ୍ଚ କରି କମିସନ୍‌ ଚିଟଫଣ୍ଡ ସଂସ୍ଥାଗୁଡ଼ିକୁ ନୋଟିସ୍‌ ଜାରି କରିଥିଲେ। କିନ୍ତୁ ନୋଟିସ୍‌ ପରେ ବି ଅଧିକାଂଶ ସଂସ୍ଥା କମିସନ୍‌ଙ୍କ ନିକଟରେ ହାଜର ହୋଇନଥିଲେ କି’ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିନଥିଲେ। ଅବଶ୍ୟ କିଛି ସଂସ୍ଥା ପାଖକୁ ନୋଟିସ ଯାଇ ପୁନଶ୍ଚ ଫେରି ଆସିଥିଲା। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଯେଉଁ ଠିକଣା ଦେଇଥିଲା, ସେଠାରେ ସେହି ସଂସ୍ଥାର ଅଫିସ ନଥିବା ଡାକ ବିଭାଗ ସୂଚନା ଦେଇଥିଲା। ଏପରି ପରିସ୍ଥିତିରେ ଖବର କାଗଜ ଜରିଆରେ ନୋଟିସ୍‌ ଜାରି କରାଯାଇଥିଲା। ୨୦୧୮, ଜାନୁଆରି ୧୮ର ଚତୁର୍ଥ ଅନ୍ତରୀଣ ରିପୋର୍ଟରେ ୨୯୧ଟି ଅର୍ଥ ଲଗାଣକାରୀ ସଂସ୍ଥାର ୫୫ ହଜାର ୫୬୩ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ଉଲ୍ଲେଖ କରାଯାଇଥିଲା। ଚତୁର୍ଥ ପର୍ଯ୍ୟାୟ ତଦନ୍ତ ପ୍ରକ୍ରିୟା ଭିତରେ ୮୫ଜଣ କ୍ଷତିଗ୍ରସ୍ତ ଜମାକାରୀ ଟଙ୍କା ଫେରିପାଇଥିଲେ। ଦାଖଲ ରିପୋର୍ଟରେ କ୍ଷୁଦ୍ର ଜମାକାରୀଙ୍କ ଉପରେ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଓ ଅନୁମୋଦନ ରହିଥିଲା। ବିଶେଷକରି ବିଭିନ୍ନ ଚିଟ୍‌ଫଣ୍ଡ୍‌ ସଂସ୍ଥାରେ ଟଙ୍କା ନିବେଶ କରିଥିବା କ୍ଷୁଦ୍ର ଜମାକାରୀଙ୍କ ଅର୍ଥ ଫେରସ୍ତ ପ୍ରସଂଗରେ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ସରକାର ଗଠନ କରିଥିବା କର୍ପସ ପାଣ୍ଠିରୁ ଚିହ୍ନଟ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀ କିପରି ଟଙ୍କା ପାଇବେ, ସେ ସଂପର୍କରେ ବିଶେଷ ଭାବେ ପରାମର୍ଶ ପ୍ରଦାନ କରାଯାଇଥିଲା।

ଏବେ ପଞ୍ଚମ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ ପ୍ରକ୍ରିୟା ତ୍ୱରିତ ବେଗରେ ଚାଲିଛି। ପଞ୍ଚମ ପର୍ଯ୍ୟାୟରେ ୨ ଲକ୍ଷ ୫୨ ହଜାର ସତ୍ୟପାଠ ଯାଞ୍ଚ କରାଯାଇ ରାଜ୍ୟ ଭିିତର ଓ ବାହାର ମୋଟ ୪୮୬ଟି ଅର୍ଥ ଲଗାଣକାରୀ ସଂସ୍ଥା ଗୁଡିକୁ ନୋଟିସ୍‌ ଜାରି କରାଯାଇଛି। ଏହି ପର୍ଯ୍ୟାୟରେ ଅଢେଇ ଶହରୁ ଅଧିକ ସଂସ୍ଥାର କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇ ସାରିଲାଣି। ୨୦୧୮, ଜାନୁଆରି ୧୯ରୁ ଏ ପର୍ଯ୍ୟନ୍ତ କମିସନଙ୍କ ଜରିଆରେ ବିଭିନ୍ନ ସଂସ୍ଥାର ୧୪୦ ଜଣରୁ ଅଧିକ କ୍ଷୁଦ୍ର ଜମାକାରୀ ସେମାନଙ୍କ ଜମା ଟଙ୍କା ଫେରି ପାଇଛନ୍ତି। ତେବେ କମିସନଙ୍କ ହସ୍ତକ୍ଷେପ ଫଳରେ ଅର୍ଥ ଫେରସ୍ତ ପାଇଥିବା ଜମାକାରୀଙ୍କ ମୁହଁରେ ହସ ଫେରିଥିବା ବେଳେ କେତେକ କମ୍ପାନି ଆଉ ଅଧିକ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବାର ସମ୍ଭାବନା ରହିଛି। ଏଥିପାଇଁ କମିସନ୍‌ ସଂପୃକ୍ତ ସଂସ୍ଥା ଗୁଡିକୁ ନୋଟିସ୍‌ ଜାରି କରିଛନ୍ତି। ତେବେ ଖୁବ୍‌ଶୀଘ୍ର ପଞ୍ଚମ ରିପୋର୍ଟ କମିସନ୍‌ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର