କ୍ରାଇମ୍‌ବ୍ରାଞ୍ଚକୁ ସତର୍କ କଲା ଆର୍‌ବିଆଇ : ଏବେ ବି ଚାଲିଛି ଚିଟ୍‌ଫଣ୍ଡ କମ୍ପାନି

ଭୁବନେଶ୍ୱର : ଏବେ ବି ରାଜ୍ୟରେ ଚାଲିଛି ଚିଟ୍‌ଫଣ୍ଡ୍‌ କମ୍ପାନି। ବିଭିନ୍ନ ଲୋଭନୀୟ ସ୍କିମ୍‌ ଦେଖାଇ ଖୋଲା ବଜାରରୁ ସଂଗ୍ରହ ହେଉଛି କୋଟି କୋଟି ଟଙ୍କା। ସିବିଆଇ ଓ କ୍ରାଇମ୍‌ବ୍ରାଞ୍ଚ ଜାଲରେ ପଡ଼ିଥିବା ଚିଟ୍‌ଫଣ୍ଡ୍‌ ସଂସ୍ଥା ମୁଖ୍ୟମାନଙ୍କୁ ଗିରଫ କରିବା ପରେ ମଧ୍ୟ ସଂସ୍ଥା ବନ୍ଦ ହୋଇ ନାହିଁ। କେବଳ ସଂସ୍ଥାଗୁଡ଼ିକର ନାମ ପରିବର୍ତନ ହୋଇଛି। ରାଜ୍ୟ ବାହାରେ କାର୍ଯ୍ୟାଳୟ ଖୋଲି ପୁଣି ଥରେ ଲୁଟିବା ଆରମ୍ଭ କରିଛନ୍ତି। ଏଭଳି କମ୍ପାନି ଗୋଟିଏ କିମ୍ବା ଦୁଇଟି ନୁହେଁ। ୫୦ରୁ ଊର୍ଧ୍ୱ ଚିଟ୍‌ଫଣ୍ଡ କମ୍ପାନି ଏବେ ବି ରାଜ୍ୟରେ ସକ୍ରିୟ। କ୍ରାଇମ୍‌ବ୍ରାଞ୍ଚକୁ ଏଭଳି ସୂଚନା ଦେଇଛନ୍ତି ଆର୍‌ବିଆଇ କର୍ତୃପକ୍ଷ। ଆର୍‌ବିଆଇ ପକ୍ଷରୁ ଗତ ଦୁଇ ଦିନ ତଳେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ କ୍ରାଇମ୍‌ବ୍ରାଞ୍ଚ ଓ ରାଜ୍ୟ ଅର୍ଥ ବିଭାଗର ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ।

ଆର୍‌ବିଆଇ ପକ୍ଷରୁ ଚଳିତ ବର୍ଷ ଜାନୁଆରି ମାସରେ ପ୍ରଥମେ କ୍ରାଇମ୍‌ବ୍ରାଞ୍ଚକୁ ସତର୍କ ସୂଚନା ଦିଆଯାଇଥିଲା। କୁହାଯାଇଥିଲା, ମାଇକ୍ରୋ ଫାଇନାନ୍ସ କ୍ରେଡିଟ୍‌ କୋପରେଟିଭ୍‌ ସୋସାଇଟି, ସମୃଦ୍ଧ ଜୀବନ ମଲଟି-ଷ୍ଟେଟ୍‌ ମଲଟିପ୍ରୋପଜ୍‌ କୋପରେଟିଭ ସୋସାଇଟି, ପିଆଇସିଏଲ୍‌ ମଲଟି ଷ୍ଟେଟ୍‌ କ୍ରେଡିଟ୍‌ କୋପରେଟିଭ ସୋସାଇଟି, ସାହାରା କ୍ରେଡିଟ୍‌ କୋପରେଟିଭ୍‌ ସୋସାଇଟି ଏବେ ବି ଖୋଲାବଜାରରୁ ଟଙ୍କା ସଂଗ୍ରହ କରୁଛନ୍ତି।

ସେହିପରି ଗତ ମାର୍ଚ ମାସ ୭ ତାରିଖରେ ପୁଣି ଥରେ ଆର୍‌ବିଆଇ ପକ୍ଷରୁ କ୍ରାଇମ୍‌ବ୍ରାଞ୍ଚକୁ ସର୍ତକ କରାଗଲା ଯେ, ଅର୍ଥତତ୍ତ୍ୱ ଗ୍ରୁପ୍‌, ମାଇକ୍ରୋ-ଫାଇନାନ୍ସ, ସ୍ୱସ୍ତିିକ ଇଣ୍ଡିଆ, ସମୃଦ୍ଧ ଜୀବନ ଭଳି ଚିଟ୍‌ଫଣ୍ଡ୍‌ କମ୍ପାନି ଏବେ ବି ରାଜ୍ୟରେ ସକ୍ରିୟ ଅଛନ୍ତି।

ଏହା ପରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଏକ ଟୋଲ ଫ୍ରି ନମ୍ବର ୧୮୦୦୩୪୫୭୧୦୩ ପ୍ରଚଳନ ହୋଇଥିଲା। ଏହି ନମ୍ବରରେ ଚିଟ୍‌ଫଣ୍ଡ୍‌ ସମ୍ପର୍କୀତ ଖବର ଜଣାଇବାକୁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା। ପାଖାପାଖି ୫ ହଜାରରୁ ଅଧିକ ଫୋନ୍‌ କଲ ପାଇ ସାରିଛି କ୍ରାଇମ୍‌ବ୍ରାଞ୍ଚ। ଗତ ୩ ମାସ ମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ ୧୦ରୁ ଅଧିକ ଚିଟ୍‌ଫଣ୍ଡ୍‌ କମ୍ପାନି ମୁଖ୍ୟଙ୍କୁ ଗିରଫ ମଧ୍ୟ କରିଛି। ସେଥି ମଧ୍ୟରେ ରହିଛି ଲ୍ୟାଣ୍ଡ ଇଣ୍ଡିଆ, ଓସ୍କାର, ଭିଷ୍ଟା ଓ ଶ୍ରୀଭୂମି ପ୍ରମୁଖ ଚିଟ୍‌ଫଣ୍ଡ୍‌ କମ୍ପାନି ରହିଛି।

ଆର୍‌ବିଆଇର ଏଭଳି ସୂଚନାରୁ ସ୍ପଷ୍ଟ ଯେ ରାଜ୍ୟରେ ଏବେ ବି ବେଧଡ଼କ ଭାବେ ଚିଟ୍‌ଫଣ୍ଡ୍‌ କମ୍ପାନି ଚାଲିଛି। ପୁଲିସ କିମ୍ବା କ୍ରାଇମ୍‌ବ୍ରାଞ୍ଚର ନଜର ଏଭଳି କମ୍ପାନି ଉପରେ ପଡ଼ୁନାହିଁ। ଫଳରେ ଚିଟ୍‌ଫଣ୍ଡ କମ୍ପାନି ମୁଖ୍ୟମାନେ ସେମାନଙ୍କ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛନ୍ତି।

ଏ ସମ୍ପର୍କରେ କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ପ୍ରତି ୩ ମାସରେ ଥରେ ଏଭଳି ବୈଠକ ହୋଇଥାଏ। ଏଥିରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥାନ୍ତି। ଅର୍ଥତତ୍ତ୍ୱ ଗ୍ରୁପ୍‌, ମାଇକ୍ରୋ-ଫାଇନାନ୍ସ, ସ୍ୱସ୍ତିିକ ଇଣ୍ଡିଆ, ସମୃଦ୍ଧ ଜୀବନ ଭଳି ଚିଟ୍‌ଫଣ୍ଡ୍‌ କମ୍ପାନି ଏବେ ବି ରାଜ୍ୟରେ ସକ୍ରିୟ ହେବା ଘଟଣା ମିଛ।

ଅନ୍ୟପକ୍ଷରେ ଏଭଳି ଚିଟ୍‌ଫଣ୍ଡ କମ୍ପାନି ଉପରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ନଜର ରଖାଯାଇଛି। ଏହାଛଡ଼ା ଆର୍‌ବିଆଇ ସହିତ ମିଶି ଜମାକାରୀଙ୍କୁ ସଚେତନତା କରାଯିବାକୁ ଉଦ୍ୟମ କରାଯାଉଛି ବୋଲି କ୍ରାଇମ୍‌ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର