ଚିଟ୍‌ଫଣ୍ଡ କମିସନରେ ୪ ଜମାକାରୀଙ୍କୁ ଟଙ୍କା ଫେରାଇଲା ଆଲକେମିଷ୍ଟ

କଟକ : ଆଲକେମିଷ୍ଟ ହୋଲଡିଂ ପ୍ରାଇଭେଟ ଲିମିଟେଡ ଚିଟଫଣ୍ଡ ସଂସ୍ଥା ଆଜି ୪ଜଣ କ୍ଷୁଦ୍ର ଜମାକାରୀଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରିଛି। ତେବେ ଏହି କମ୍ପାନି ୧୦ଜଣ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ ଧାର୍ଯ୍ୟ ହୋଇଥିବାବେଳେ ୫ଜଣ ଜମାକାରୀ ଉପସ୍ଥିତ ନଥିଲେ। ଅନ୍ୟ ଜଣେ ଜମାକାରୀଙ୍କ ଡ୍ରାଫ୍ଟ ପ୍ରସ୍ତୁତିରେ ତ୍ରୁଟି ଥିବାରୁ ଉକ୍ତ ଡ୍ରାଫ୍ଟକୁ କମ୍ପାନି ଫେରାଇ ନେଇଥିଲା। ସୂଚନାରୁ ପ୍ରକାଶ ଯେ, ଗତ ୧୮ତାରିଖରେ ୨୨ଜଣ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିଥିବାବେଳେ କମିସନଙ୍କ ଆଦେଶକୁ ଅମାନ୍ୟ କରିଥିବାରୁ ସଂସ୍ଥା ପ୍ରତ୍ୟେକ ଜମାକାରୀଙ୍କୁ ଜରିମାନା ଆକାରରେ ୫ଶହ ଟଙ୍କା ଲେଖାଁଏ ନଗଦ ଟଙ୍କା ପ୍ରଦାନ କରିଥିଲା। ତେବେ ଏହି ସମୟରେ ୪୧ଜଣ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ କମିସନ ଏହି ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ବାରମ୍ବାର ନୋଟିସ ପରେ କମ୍ପାନୀ ପକ୍ଷରୁ ମାତ୍ର ୮ଜଣ ଜମାକାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଟଙ୍କା ଫେରସ୍ତ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ୩୩ଜଣଙ୍କୁ ଟଙ୍କା ଫେରସ୍ତ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର