ଚିଟ୍‌ଫଣ୍ଡ ଠକେଇ: ନିମାପଡ଼ାର ପତି-ପତ୍ନୀ ଗିରଫ

୧୦ ହଜାର ଜମାକାରୀଙ୍କଠାରୁ ନେଇଥିଲେ ଶହେ କୋଟି

ଭୁବନେଶ୍ୱର, : ଚିଟଫଣ୍ଡ ଠକେଇ ମାମଲାରେ ଆଜି କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପୁରୀ ଜିଲ୍ଲା ନିମାପଡ଼ାର ପତି-ପତ୍ନୀ ଦୁଇଜଣଙ୍କୁ ଗିରଫ କରିଛି। ଏହି ପତିପତ୍ନୀ ହେଉଛନ୍ତି କଳାକାହ୍ନ ବିଶୋଇ ଓ ମୋନାଲିସା ସେନାପତି। କଳାକାହ୍ନ ଆଡ୍‌ଭର୍ଟାଇଜିଂ ପ୍ରାଃ ଲିଃ ନାମକ ଏକ ଚିଟଫଣ୍ଡ ସଂସ୍ଥା ଜରିଆରେ ଦୁହେଁ ଜମାକାରୀଙ୍କଠାରୁ ପାଖାପାଖି ଶହେ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରୁ ଜଣାପଡ଼ିଛି।

କ୍ରାଇମ୍‌ବ୍ରାଞ୍ଚର ସୂଚନା ମୁତାବକ କଳାକାହ୍ନ ବିଶୋଇ ନିଜ ନାମରେ ୨୦୧୪-୧୫ ମସିହାରେ କଳାକାହ୍ନ ଆଡଭର୍ଟାଇଜିଂ ପ୍ରାଃ ଲିଃ ନାମରେ ଏହି ସଂସ୍ଥା ଖୋଲିଥିଲେ। ପତ୍ନୀ ମୋନାଲିସାଙ୍କୁ ଏଥିରେ ସେ ଜଣେ ନିର୍ଦ୍ଦେଶକ ଭାବରେ ରଖିଥିଲେ। ମାନସ ଦାସ ମଧ୍ୟ ଏଥିରେ ଅନ୍ୟତମ ନିର୍ଦ୍ଦେଶକ ରହିଥିଲେ। ଏହି ସଂସ୍ଥା ପକ୍ଷରୁ ଜମାକାରୀଙ୍କୁ ଲୋଭନୀୟ ଅଫର୍‌ ଦିଆଯାଇଥିଲା। ୧୦ ହଜାର ଟଙ୍କା ଜମା ରଖିଲେ ମାସିକ ୨ ହଜାର ଟଙ୍କା ମିଳିବ ବୋଲି କୁହାଯାଇଥିଲା। ଏଥିରେ ଆକୃଷ୍ଟ ହୋଇ ପୁରୀ, କଟକ, ରାଉରକେଲା, ଅନୁଗୋଳ, ଯାଜପୁର ପ୍ରଭୃତି ଜାଗାରୁ ଏଥିରେ ୧୦ ହଜାର ଜମାକାରୀ ପାଖାପାଖି ୧୦୦ କୋଟି ଟଙ୍କା ଜମା କରିଥିଲେ। କିଛି ଦିନ ସଂସ୍ଥା କେତେକ ଜମାକାରୀଙ୍କୁ ଘୋଷଣା ମୁତାବକ ଅର୍ଥ ବି ପ୍ରଦାନ କରିଥିଲା। ମାତ୍ର, ୨୦୧୫ ମସିହାରୁ ସଂସ୍ଥା ଉଭାନ୍‌ ହୋଇଯାଇଥିଲା। ଏହାପରେ କେତେଜଣ ଜମାକାରୀ ସଂସ୍ଥାର ମାଲିକ ଓ ତାଙ୍କ ନିର୍ଦ୍ଦେଶକ ପତ୍ନୀଙ୍କ ନାଁରେ ମାମଲା ରୁଜୁ କରିଥିଲେ। ଏହି ମାମଲାର ତଦନ୍ତ ଚାଲିଥିଲା। ମାମଲାର ତଦନ୍ତ ଚାଲିଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ଏମାନଙ୍କ ବିରୋଧରେ ଠୋସ୍‌ ପ୍ରମାଣ ଯୋଗାଡ଼ କରିଥିଲା। ପ୍ରମାଣ ମିଳିବା ପରେ ଏହି ଦୁଇଜଣଙ୍କୁ ଗିରଫ କରାଯାଇ ଚିଟଫଣ୍ଡର ସ୍ୱତନ୍ତ୍ର କୋର୍ଟକୁ ଚାଲାଣ କରାଯାଇଛି।

ଏହି ମାମଲାର ତଦନ୍ତ ଚାଲିଥିବାରୁ ଏଥିରେ ସମ୍ପୃକ୍ତ ଥିବା ଆଉ କେତେଜଣ ଠକଙ୍କୁ ଗିରଫ କରାଯିବ ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି।

ସମ୍ବନ୍ଧିତ ଖବର