ସି-ସୋର୍‌ ଠକେଇ : ଜାମିନ ମିଳିଲାନି, ୪ ଦିନ ରିମାଣ୍ଡରେ ଗଲେ ପ୍ରଶାନ୍ତ

ଢେଙ୍କାନାଳ : ଭୁବନେଶ୍ୱର ଝାରପଡ଼ା ଜେଲ୍‌ରୁ ଜାମିନ୍‌ରେ ମୁକୁଳିବାର ମାତ୍ର କେଇ ଘଣ୍ଟା ପରେ ଢେଙ୍କାନାଳ ପୁଲିସ ଦ୍ୱାରା ଗିରଫ ସି-ସୋର୍‌ ମାଲିକ ପ୍ରଶାନ୍ତ ଦାଶ ଆଜି ୪ଦିନିଆ ରିମାଣ୍ଡରେ ଯାଇଛନ୍ତି।

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚିଟ୍‌ଫଣ୍ଡ ସଂସ୍ଥା ଜରିଆରେ ପ୍ରାୟ ୭୮୦କୋଟି ଟଙ୍କା ଠକେଇ ଅଭିଯୋଗ ଶ୍ରୀ ଦାଶଙ୍କ ବିରୋଧରେ ହୋଇଛି। ମାମଲାରେ କ୍ରାଇମ୍‌ ବ୍ରାଞ୍ଚ ତାଙ୍କୁ ଗିରଫ କରି ଝାରପଡ଼ା ଜେଲ୍‌କୁ ପଠାଇଥିଲା। ୪ବର୍ଷ ପରେ ଗତ ୫ତାରିଖ ଦିନ ସେ ଝାରପଡ଼ାରୁ ମୁକୁଳିଥିଲେ। ମାତ୍ର ଢେଙ୍କାନାଳରେ ଥିବା ୩ଟି ଠକେଇ ମାମଲାରେ ଜିଲ୍ଲା ଏସ୍‌ପି ବସନ୍ତ କୁମାର ପାଣିଗ୍ରାହୀଙ୍କ ନିର୍ଦେଶ କ୍ରମେ ଭୁବନେଶ୍ୱରରୁ ଶ୍ରୀ ଦାଶଙ୍କୁ ପୁଲିସ ଗିରଫ କରି ଢେଙ୍କାନାଳ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରିଥିଲା। ଅଧିକ ତଥ୍ୟ ହାସଲ ପାଇଁ ଶ୍ରୀ ଦାଶଙ୍କୁ ୫ଦିନ ରିମାଣ୍ଡରେ ନେବାକୁ ପୁଲିସ ଆବେଦନ କରିଥିଲା। ଆଜି ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଲୋକନାଥ ମିଶ୍ର ଶ୍ରୀ ଦାଶଙ୍କୁ ୪ଦିନ ପାଇଁ ରିମାଣ୍ଡରେ ନେବା ଲାଗି ପୁଲିସକୁ ଅନୁମତି ଦେଇଛନ୍ତି। ଶ୍ରୀ ଦାଶଙ୍କ ଜାମିନ୍‌ ପାଇଁ ହାଇକୋର୍ଟ ଓକିଲ ରଜିତ ରାୟ ଆବେଦନ କରିଥିଲେ। ପ୍ରତିପକ୍ଷ ସରକାରୀ ଓକିଲ ଗଣେଶ୍ୱର ବେହେରା ମାମଲାର ଗୁରୁତ୍ୱ ଦୃଷ୍ଟିରୁ କେସ୍‌ ରେକର୍ଡର ସମସ୍ତ କାଗଜପତ୍ର ଆସିବା ପରେ ମାମଲା ଶୁଣାଣି ପାଇଁ କୋର୍ଟଙ୍କୁ ଆଉ ଏକ ସପ୍ତାହ ସମୟ ମାଗିଥିଲେ। ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ମାମଲାର ଶୁଣାଣି ୧୧ତାରିଖରେ କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର