ଗଞ୍ଜାମରେ ପୁଣି ଚିଟ୍‌ଫଣ୍ଡ ଠକେଇ : ଆଲକେମିଷ୍ଟ ୧୦୦ କୋଟି ଧରି ଛୁ’, କ୍ରାଇମବ୍ରାଞ୍ଚ୍‌ ତଦନ୍ତ ଦାବି କଲେ ଜମାକାରୀ

ପାଟପୁର : ଗଞ୍ଜାମ ଜିଲ୍ଲାରେ ପୁଣିଥରେ ଚିଟ୍‌ଫଣ୍ତ କ˚ପାନିର କାରନାମା ପଦାକୁ ଆସିଛି। ଆଲକେମିଷ୍ଟ୍ ନାମକ ଏକ ସଂସ୍ଥା ଜମାକାରୀଙ୍କଠୁ ୧୦୦ କୋଟି ଟଙ୍କା ହଡ଼ପ କରି ଚମ୍ପଟ ମାରିଛି। ହଡ଼ପର ଶିକାର ହୋଇଥିବା ଜମାକାରୀଙ୍କ ଭିତରେ ରହିଛନ୍ତି ବହୁ ଖଟିଖିଆ ଶ୍ରମିକ, ଚାଷୀ ଓ କ୍ଷୁଦ୍ର ବେପାରୀ। ସେମାନେ ଠକାମିର ଶିକାର ହୋଇଥିବା ଜାଣିବା ପରେ ମୁଣ୍ଡରେ ହାତ ଦେଇଛନ୍ତି। ତୁରନ୍ତ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି।

ମିଳିଥିବା ସୂଚନାନୁସାରେ, କୋଲକାତାରେ ଉକ୍ତ କଂପାନିର ମୁଖ୍ୟ କାର୍ଯ୍ୟାଳୟ ଥିବାବେଳେ ଓଡ଼ିଶାରେ ବି ଏହାର ଶାଖା ଖୋଲାଯାଇଥିଲା। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଦିଗପହଣ୍ଡି ଓ ଆସିକାରେ ଶାଖା ଖୋଲି କଂପାନିର କର୍ମକର୍ତ୍ତାମାନେ ସେମାନଙ୍କ ନେଟୱର୍କକୁ ସକ୍ରିୟ କରିବାରେ ସକ୍ଷମ ହୋଇଥିଲେ। କିଛି ସ୍ଥାନୀୟ ଯୁବକଙ୍କୁ ଏଜେଣ୍ଟ୍ ଭାବେ ନିଯୁକ୍ତି ଦିଆଯାଇ ଜମାକାରୀଙ୍କୁ ନାନା ସ୍କିମ ଓ କମ୍ ସମୟରେ ମେଚ୍ୟୁରିଟିର ପ୍ରଲୋଭନ ଦେଖାଇ ଟଙ୍କା ନେଇଥିଲେ। ଖାଲି ଏତିକି ନୁହେଁ, ଜମାକାରୀଙ୍କ ଆସ୍ଥାଭାଜନ ହେବାକୁ କେନ୍ଦ୍ର ସରକାରଙ୍କ ସେବି ସହ ଅନୁବନ୍ଧିତ ବୋଲି ନକଲି କାଗଜପତ୍ର ‌ଦେଖାଯାଉଥିଲା। ଧୀରେ ଧୀରେ ଜମାକାରୀଙ୍କଠୁ କୋଟି କୋଟି ଟଙ୍କା ଆଦାୟ ପରେ ଏବେ ଏହି କଂପାନିର କର୍ମଚାରୀ ମାନେ ଧରାଛୁଆଁ ଦେଉନାହାନ୍ତି। କିଛି ଜମାକାରୀଙ୍କୁ ଟଙ୍କା ମେଚ୍ୟୁରିଟି ହୋଇ ଯାଇଥିଲେ ବି ମୁଖ୍ୟ କାର୍ଯ୍ୟାଳୟର କର୍ତ୍ତୃପକ୍ଷ ବିଭିନ୍ନ ଆଳ ଦେଖାଇ କେବଳ ଦିନ ଉପରେ ଦିନ ଗଡ଼ାଇ ଚାଲିଛନ୍ତି।

ଆଉ ଦିଗପହଣ୍ଡିରେ ଖୋଲିଥିବା ଏହି କଂପାନିର ଶାଖା କାର୍ଯ୍ୟାଳୟ ସାନଖେମୁଣ୍ଡି ବ୍ଲକର ବିଭିନ୍ନ ଗ୍ରାମର ଜମାକାରୀଙ୍କଠୁ ପ୍ରାୟ ୧୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଆହୁରି ମଧ୍ୟ ପୂରା ଗଞ୍ଜାମ ଜିଲ୍ଲାରୁ ୧୦୦ କୋଟି ଟଙ୍କା ହଡ଼ପ କରାଯାଇଥିବା ଆକଳନ କରାଯାଇଛି।

ଏହା ଜାଣିବା ପରେ ଜମାକାରୀମାନେ ହତାଶ ହୋଇଛନ୍ତି। କିଏ ଝିଅ ବାହାଘର ପାଇଁ ଟଙ୍କା ଜମା ରଖିଥିଲା ତ ଆଉ କିଏ ପିଲାଙ୍କୁ ପାଠ ପଢାଇବାକୁ ଆଶା ନେଇ କଂପାନିରେ ଟଙ୍କା ନିବେଶ କରିଥିଲେ। ଏବେ କଂପାନି କର୍ମଚାରୀ ଧରାଛୁଆଁ ଦେଉ ନାହାନ୍ତି। ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜମାକାରୀ ମାନେ ସ୍ଥାନୀୟ ଥାନାରେ ଏତଲା ଦେଉଥିଲେ ବି ପୁଲିସ ଏହାକୁ ଗ୍ରହଣ କରିବାକୁ ନାରାଜ୍। ଫଳରେ ତୁରନ୍ତ କ୍ରାଇମବ୍ରାଞ୍ଚ ଓ ଇଡି ପକ୍ଷରୁ ତଦନ୍ତ ସହ ନିରୀହ ଜମାକାରୀଙ୍କୁ ସେମାନଙ୍କ ଝାଳବୁହା ଟଙ୍କା ଫେରାଇବା ଦିଗରେ ପଦକ୍ଷେପ ନିଆଯାଉ ବୋଲି ଦାବି ହୋଇଛି।

ସମ୍ବନ୍ଧିତ ଖବର