ଚିହ୍ନଟ ହେଲେ ୫୦ ସଂସ୍ଥାର କ୍ଷୁଦ୍ର ଜମାକାରୀ

ବାରମ୍ବାର ନୋଟିସ୍‌ ସତ୍ତ୍ୱେ ହାଜର ହେଉ ନାହାନ୍ତି ଚିଟ୍‌ଫଣ୍ଡ କମ୍ପାନି ପଦାଧିକାରୀ

ଜଷ୍ଟିସ ଏମ୍‌.ଏମ୍‌. ଦାସ କମିସନ

କଟକ : ରାଜ୍ୟରେ ଚିଟ୍‌ଫଣ୍ଡ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ ଜଷ୍ଟିସ ମଦନ ମୋହନ ଦାସ କମିସନ ଆଉ ୫୦ଟି ଚିଟଫଣ୍ଡ ସଂସ୍ଥାର କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ଏଥି ମଧ୍ୟରେ ଅଧିକାଂଶ ସଂସ୍ଥାକୁ ବାରମ୍ବାର ନୋଟିସ୍‌ ଜାରି କରାଯାଇଥିଲେ ମଧ୍ୟ ସଂସ୍ଥା ଗୁଡିକର ମୁଖ୍ୟ କିମ୍ବା ନିର୍ଦ୍ଦେଶକ ଶୁଣାଣି ବେଳେ ହାଜର ହୋଇ ନଥିଲେ। ଆଉ କେତେକ ସଂସ୍ଥାର ପଦାଧିକାରୀଙ୍କ ସଠିକ ଠିକଣା ମିଳି ପାରି ନଥିଲା। ଏପରି ପରିସ୍ଥିତିରେ ଖବର କାଗଜ ପ୍ରକାଶନ ମାଧ୍ୟମରେ ଏହି ସବୁ ସଂସ୍ଥାର ପଦାଧିକାରୀଙ୍କୁ ହାଜର ହୋଇ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ପକ୍ଷ ରଖିବାକୁ କମିସନ୍‌ ନୋଟିସ୍‌ ଜାରି କରିଥିଲେ। କିନ୍ତୁ ତଦନ୍ତ ମାମଲାର ଶୁଣାଣି ସମୟରେ କୌଣସି ଗୋଟିଏ ବି ସଂସ୍ଥାର ପଦାଧିକାରୀ ହାଜର ହୋଇ ନଥିଲେ। କମ୍ପାନି କର୍ତ୍ତୃପକ୍ଷ ବା ପ୍ରତିନିଧିଙ୍କ ଅନୁପସ୍ଥିତିରେ ଜମାକାରୀଙ୍କ ସତ୍ୟପାଠ ଆଧାରରେ କମିସନ୍‌ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରୁଛନ୍ତି।

ସେହିପରି ୫ଟି ସଂସ୍ଥାର ପଦାଧିକାରୀ କମିସନଙ୍କ ନୋଟିସ୍‌ ପାଇ ହାଜର ହୋଇ ନଥିଲେ। ଡାକ ବିଭାଗରୁ ମିଳିଥିବା ତଥ୍ୟରୁ ଜଣା ପଡିଥିଲା ଯେ ସଂପୃକ୍ତ ଚିଟଫଣ୍ଡ ସଂସ୍ଥାର ପଦାଧିକାରୀ କମିସନଙ୍କ ନୋଟିସ ପାଇଥିଲେ। ଏହି ସଂସ୍ଥାର କ୍ଷୁଦ୍ର ଜମାକରୀଙ୍କୁ ମଧ୍ୟ କମିସନ୍‌ ଜମାକାରୀଙ୍କ ସତ୍ୟପାଠ ଆଧାରରେ ଚିହ୍ନଟ କରିଛନ୍ତି। ଏହି ୫୦ଟି ସଂସ୍ଥା ମଧ୍ୟରେ ରାଜ୍ୟ ବାହାରର କେତେକ ସଂସ୍ଥା ମଧ୍ୟ ରହିଛନ୍ତି। ଚତୁର୍ଥ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ଵିତ କରି କମିସନ୍‌ ଏ ପର୍ଯ୍ୟନ୍ତ ୨୫୦ରୁ ଅଧିକ ସଂସ୍ଥାର କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଥିବା ବେଳେ ଚଳିତ ମାସ ଶେଷ ସୁଦ୍ଧା ପରବର୍ତ୍ତୀ ଅନ୍ତରୀଣ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବାର ସମ୍ଭାବନା ରହିଛି। ଚତୁର୍ଥ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ ପରେ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ କମିସନ୍‌ ଏହି ରିପୋର୍ଟ ପ୍ରଦାନ କରିବେ।

ସୂଚନା ଯୋଗ୍ୟ ଯେ କମିସନ୍‌ ୨୦୧୬, ମେ ୨୫ରେ ପ୍ରଥମ, ୨୦୧୭, ଫେବ୍ରୁଆରି ୩ରେ ଦ୍ୱିତୀୟ ଓ ୨୦୧୭, ଜୁଲାଇ ୨୫ରେ ତୃତୀୟ ଅନ୍ତରୀଣ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। ଚତୁର୍ଥ ପର୍ଯ୍ୟାୟରେ ୨୦୧୩, ସେପ୍ଟେମ୍ବର ୧୩ରୁ ୨୦୧୩, ସେପ୍ଟେମ୍ବର ୧୭ ମଧ୍ୟରେ ଦାଖଲ ୧ ଲକ୍ଷ ୩୮ ହଜାର ୩୮୭ଟି ସତ୍ୟପାଠ ଯାଞ୍ଚ କରାଯାଇ କ୍ଷୁଦ୍ର ଜମାକାରୀ(୧୦ ହଜାର ଟଙ୍କା ବା ତା’ଠାରୁ କମ୍‌ ନିବେଶ କରିଥିବା ବ୍ୟକ୍ତି)ଙ୍କ ପ୍ରସଂଗରେ ବିଭିନ୍ନ ଚିଟଫଣ୍ଡ ସଂସ୍ଥାକୁ ନୋଟିସ୍‌ ଜାରି କରାଯାଇଛି।

ସମ୍ବନ୍ଧିତ ଖବର