ଚିଟ୍‌ଫଣ୍ଡ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ବହୁପ୍ରତୀକ୍ଷିତ ଚିଟ୍‌ଫଣ୍ଡ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଆବଶ୍ୟକ ନିର୍ଦେଶନାମା ଜାରି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୫ ଦିନ ଭିତରେ ସଂପୃକ୍ତ ଜମାକାରୀମାନଙ୍କଠାରୁ ବଣ୍ଡ ଦାଖଲ ପ୍ରକ୍ରିୟା ସଂପୂର୍ଣ୍ଣ କରାଯାଉଥିବା ବେଳେ ମାସକ ଭିତରେ ଟଙ୍କା ଫେରସ୍ତ କରିବାକୁ ନିର୍ଦେଶ ଜାରି କରାଯାଇଛି।

ଅର୍ଥ ବିଭାଗ ପ୍ରମୁଖ ସଚିବ ତୁହିନକାନ୍ତ ପାଣ୍ଡେ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜମାକାରୀଙ୍କୁ ଅର୍ଥ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତିି। ଚିଟ୍‌ଫଣ୍ଡ କମିସନଙ୍କ ୧ ଓ ୨ ନମ୍ବର ରିପୋର୍ଟ ଅନୁସାରେ କ୍ଷୁଦ୍ର ଜମାକାରୀମାନଙ୍କ ତାଲିକା ଉପଲବ୍ଧ ହୋଇଛି। ଏହି ତାଲିକାକୁ ତ୍ରୁଟିଶୂନ୍ୟ କରିବା ପାଇଁ କ୍ଷେତ୍ରୀୟ ସ୍ତରରୁ ଯାଞ୍ଚ କରାଯାଇପାରେ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହି ରିପୋର୍ଟ ମୁତାବକ ବିଭିନ୍ନ ଜିଲ୍ଲାକୁ ଅର୍ଥ ପ୍ରଦାନ କରାଯାଉଥିବା ସେ କହିଛନ୍ତି। ତେବେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଅର୍ଥ ଫେରସ୍ତ ବେଳେ ଯେପରି ତ୍ରୁଟିବିଚ୍ୟୁତି ନ ରୁହେ, ସେ ନେଇ କେତେକ ପଦକ୍ଷେପ ନେବାକୁ ସେ ନିର୍ଦେଶ ଦେଇଛନ୍ତି।

ପ୍ରଥମେ ସଂପୃକ୍ତ କ୍ଷୁଦ୍ର ଜମାକାରୀମାନଙ୍କୁ ତହସିଲଦାରଙ୍କ ନିକଟରେ ହାଜର ହୋଇ ବଣ୍ଡ ଦାଖଲ କରିବାକୁ ନୋଟିସ ଜାରି କରାଯିବ। ରାଜସ୍ୱ ବିଭାଗର ଆଦେଶନାମା ଅନୁଯାୟୀ ଇନ୍‌ଡେମ୍‌ନିଟି ବଣ୍ଡ ଉପରୁ ଷ୍ଟାମ୍ପ ଡ୍ୟୁଟି ଛାଡ଼ କରାଯାଇଛି। ଏଣୁ, ସାଦା କାଗଜରେ ସେହି ଜମାକାରୀମାନେ ବଣ୍ଡ ଦାଖଲ କରିବା ସହିତ ବାତିଲ ଚେକ୍‌ ହେଉ ବା ନିଜ ବ୍ୟାଙ୍କ ଆକାଉଣ୍ଟ ଖାତାର ପ୍ରଥମ ପୃଷ୍ଠା ଦେବାକୁ ହେବ। ସମସ୍ତ ଜମାକାରୀଙ୍କ ବଣ୍ଡ ଗ୍ରହଣ କରିବା ପରେ ତହସିଲଦାରମାନେ ନିଜ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କୁ ସେଗୁଡ଼ିକୁ ଦାଖଲ କରିବେ।

ଜିଲ୍ଲାପାଳ କ୍ଷୁଦ୍ର ଜମାକାରୀଙ୍କୁ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଆନୁଷ୍ଠାନିକ ଭାବେ ଆଦେଶନାମା ଜାରି କରିବେ। ତଦନୁଯାୟୀ ସେହି ଜମାକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅର୍ଥ ପ୍ରଦାନ କରାଯିବ। ଏ ସମସ୍ତ ପ୍ରକ୍ରିୟା ମାସକ ଭିତରେ ସାରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଥିବା ପ୍ରମୁଖ ସଚିବ ଶ୍ରୀ ପାଣ୍ଡେ କହିଛନ୍ତି। ସରକାରଙ୍କ ଏହି ପଦକ୍ଷେପକୁ ଆର୍ଥିକ କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଂଚର ଉପଦେଷ୍ଟା ତଥା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ସ୍ୱାଗତ କରିଛନ୍ତି।

ସମ୍ବନ୍ଧିତ ଖବର