ଜାନୁଆରିରେ ଚିଟ୍‌ଫଣ୍ଡ୍‌ ଜମାକାରୀଙ୍କ ରାଜ୍ୟବ୍ୟାପୀ ଗଣ ସତ୍ୟାଗ୍ରହ

ଭୁବନେଶ୍ବର : ଚିଟ୍‌ଫଣ୍ଡ୍‌ ଜମାକାରୀଙ୍କୁ ଟଙ୍କା ଫେରସ୍ତ ମିଳୁ ନ ଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ‘ଆର୍ଥିକ ସଂସ୍ଥାମାନଙ୍କ ଦ୍ବାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ’। ସରକାର ଜମାକାରୀଙ୍କୁ ପ୍ରତାରିତ କରିଛନ୍ତି ବୋଲି ମଞ୍ଚ ଅଭିଯୋଗ କରିବା ସହ ଜାନୁଆରି ମାସରେ ରାଜ୍ୟବ୍ୟାପୀ ଗଣ ସତ୍ୟାଗ୍ରହ ପାଇଁ ଡାକରା ଦେଇଛି।

ମଞ୍ଚ ପକ୍ଷରୁ ଅଭିଯୋଗ ହୋଇଛି, ଓଡିଶା ସରକାର ୨୦୧୪ ମସିହାରୁ କର୍ପସ ପାଣ୍ଠି ଗଠନ କରି ସେଥିରୁ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରତିଶ୍ରୁତି ଦେଇ ମଧ୍ୟ ଏ ପର୍ଯ୍ୟନ୍ତ ଫେରାଇବାର ନାମ ଧରୁ ନାହାନ୍ତି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ବ‌ାଲେଶ୍ବର ସମେତ କିଛି ସ୍ଥାନ‌େର ୯/୧୦ ହଜାର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ମୁଣ୍ଡପିଛା ୧୦ ହଜାର ଟଙ୍କା ତଳକୁ ଜମାରାଶି ଫେରାଇଲେ। ଏହାକୁ ପ୍ରଚାର କରି ଅନ୍ୟୁନ ୫୦ ଲକ୍ଷ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ପ୍ରଭାବିତ କରାଇ ଭୋଟ ନେଇ ପୁଣି କ୍ଷମତାରେ ବସିଲେ। ମାତ୍ର ଅନଧିକୃତ ଜମାରାଶି ସଂଗ୍ରହ ମହାଠକେଇ ଉପରେ ନିଯୁକ୍ତ ନ୍ୟାୟମୂର୍ତ୍ତି ମଦନ ମୋହନ ଦାସ ତଦନ୍ତ କମିଶନ ୨୦୧୯ ଜୁନ ପ୍ରଥମ ସପ୍ତାହ ସୁଦ୍ଧା ୭ ଦଫାରେ ଦାଖଲ କରିଥିବା କ୍ଷତିଗ୍ରସ୍ତ ଜମାକାରୀଙ୍କ ତାଲିକାରୁ ନିର୍ବାଚନ ପୂର୍ବ ପ୍ରଥମ ଓ ଦ୍ବିିତୀୟ ଦଫା ଜମାକାରୀ ତାଲିକା ନେଇ ତହସିଲ, ଥାନା ଓ ପ୍ରଶାସନିକ ପ୍ରତିନିଧିଙ୍କ ଯାଞ୍ଚ୍ କଲା ବେଳେ ଅନେକଙ୍କ ଠାରୁ ଇଣ୍ଡେମନିଟି ବଣ୍ଡ ନେଇ ମଧ୍ୟ ଟଙ୍କା ଫେରାଇ ନାହାନ୍ତି।

ମଞ୍ଚ ପକ୍ଷରୁ ଆହୁରି କୁହାଯାଇଛି, ଏବେ ରାଜ୍ୟର ବିିଜେଡି ସରକାର କେନ୍ଦ୍ରର ବିଜେପି ସରକାରଙ୍କ ସହ ଆସାଧୁ ମେଣ୍ଟ କରି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା, ଓଡିଶା ପୁଲିସ, ସିବିଆଇ ଓ ଇଡି ତଦନ୍ତକୁ ମହାନିଦ୍ରାରେ ଶୁଆଇ ଦେଇଛନ୍ତି। ଏପରିକି ବାଲେଶ୍ବର, କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ଓଡିଶା ଜମାକାରୀ ସ୍ବାର୍ଥ ସୁରକ୍ଷା ଆଇନ ଭିତ୍ତିରେ ଗଠିତ ଚାରିଟି ଯାକ ସ୍ବତନ୍ତ୍ର ଅଦାଲତରେ ଖାଲି ପଡିଥିବା ବିଚାରପତି ପଦବିିରେ ସରକାର ବିିଚାରପତି ନିଯୁକ୍ତି ଦେଉନାହାନ୍ତି। ମକଦ୍ଦମାଗୁଡ଼ିକର ତଦନ୍ତ ଆଗକୁ ନେଉ ନାହାନ୍ତି କି ଟଙ୍କା ଫେରସ୍ତ କରିବାର ନାଁ ଧରୁ ନାହାନ୍ତି। କମ୍ପାନିମାନଙ୍କ ସମ୍ପତ୍ତି ସମ୍ପର୍କରେ ଜଣାଇଲେ ମଧ୍ୟ ସମସ୍ତ ସମ୍ପତ୍ତି ଜବତ କରୁନାହାନ୍ତି। ଏହି ପୃଷ୍ଠଭୂମିରେ ସରକାରଙ୍କ ଅସଲ ରୂପ ଜମାକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ବ୍ୟାପକ ଆନ୍ଦୋଳନ କଲେ ହିଁ ସରକାରଙ୍କ ମହାନିଦ୍ରା ଭାଙ୍ଗିବ ଓ ଟଙ୍କା ଫେରସ୍ତ ପାଇଁ ବାଧ୍ୟ ହେବେ।

ଏହି ପରିପ୍ରେକ୍ଷୀରେ ଆର୍ଥିକ ସଂସ୍ଥାମାନଙ୍କ ଦ୍ବାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ଏକ ବୈଠକ ସଭାପତି ଜୟନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମଞ୍ଚ ସାଧାରଣ ସମ୍ପାଦକ ମଧୁସୂଦନ ବିଶ୍ବାଳ ଏହି ଘଟଣାରେ ଉଦ୍‌ବେଗ ପ୍ରକାଶ କରିବା ସହ ରାଜ୍ୟବ୍ୟାପୀ ତହସିଲ ସ୍ତରରେ ଶକ୍ତିଶାଳୀ ଜମାକାରୀ ଗଣ ସତ୍ୟାଗ୍ରହ ପାଇଁ ବିବରଣୀ ଉପସ୍ଥାପନ କରିଥିଲେ। ମଞ୍ଚ କର୍ମକର୍ତ୍ତା ବିଭୁ ଦତ୍ତ ମିଶ୍ର, ଅନୁରାଧା ସୁବୁଦ୍ଧି, ପ୍ରଦୀପ ମହାରଣା, ଭଞ୍ଜ କିଶୋର ପ୍ରଧାନ, ଚଣ୍ଡାଳ ପ୍ରଧାନ, ଅମର କୁମାର ସାହୁ, ସୁଧାଂଶୁ ବେହେରା, ଅଖିଳ ମୋହନ ଲେଙ୍କା ଏବଂ ଉମେଶ ଚନ୍ଦ୍ର ନାୟକ ପ୍ରମୁଖ ଆଲୋଚନା କରି ଡିସେମ୍ବର ଶେଷ ସୁଦ୍ଧା ସମସ୍ତ ଜିଲ୍ଲା ବୈଠକ ଡକାଇ ରାଜ୍ୟ କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ ସହ ତହସିଲ ସ୍ତରୀୟ ଜମାକାରୀ ଗଣ ସତ୍ୟାଗ୍ରହର ତାରିଖ ଧାର୍ଯ୍ୟ କରିବାକୁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହା ପୂର୍ବରୁ ସମସ୍ତ ଜମାକାରୀଙ୍କୁ କର୍ପସ ପାଣ୍ଠିରୁ ଟଙ୍କା ଫେରସ୍ତ ପାଇଁ ଓଡିଶା ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ ନ୍ୟାୟାଳୟ ଅଗ୍ରାହ୍ୟ କରିବାରୁ କମ୍ପାନିୱାରି ଜମାକାରୀମାନେ କମ୍ପାନି ଲ’ ଟ୍ରିବ୍ୟୁନାଲରେ ନିଜ ନିଜ ପ୍ରାପ୍ୟ ଆବେଦନ କରିବା ଜରୁରୀ। ସେଥି ପାଇଁ ଜମାକାରୀମାନେ ଚଳିତ ଡିସେମ୍ବର ଶେଷ ସପ୍ତାହ ମଧ୍ୟରେ ମଞ୍ଚ ସହ ଯୋଗାଯୋଗ କରି ମକଦ୍ଦମା ପ୍ରସ୍ତୁତ କରିବାକୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର