ଉପସ୍ଥାପନା: ସତ୍ୟନାରାୟଣ ରାଉତରାୟ ଅଳଙ୍କରଣ: ନିଶାନ୍ତ ପ୍ରିୟମ୍ବଦ ଦାସ
Sambad is now on WhatsApp
Join and get latest news updates delivered to you via WhatsApp
ଆଃ.. ଏ ଗଳାରେ ଏତେ ମିଠା। ଚିତ୍ତ ଟିକେ ଜଗିଥିବୁ, ନହେଲେ ରାତିରେ ଶୋଇଲା ପରେ ତୋ କଣ୍ଠରେ ଜନ୍ଦା ପିମ୍ପୁଡ଼ି ଲାଗିଯିବେ ଯେ..। ଥରେ ମଞ୍ଚରେ ଚିତ୍ତ ଜେନା ସଂଗୀତ ପରିବେଷଣ ପରେ ସଂଗୀତ ସ୍ଥପତି ପ୍ରଫୁଲ୍ଲ କରଙ୍କ ମୁହଁରୁ ଉତୁରି ଆସିଥିଲା ଶ୍ରଦ୍ଧା ଓ ସମ୍ମାନର ଏହି ଏଇ କେଇପଦ ବାକ୍ୟ। ବାସ୍ତବରେ ତାଙ୍କର କଣ୍ଠ ହିଁ ଥିଲା ସେହି ପଦବାଚ୍ୟ। କୋଇଲିକୁ ଯେମିତି କେହି ଗୀତ ଶିଖାଇନଥିଲେ, ଚିତ୍ତ ଜେନାଙ୍କୁ ମଧ୍ୟ ସଂଗୀତରେ କେହି ବିଧିବଦ୍ଧ ତାଲିମ୍ ଦେଇନଥିଲେ। ମାତ୍ର ଯୋଉ ଗୀତ ତାଙ୍କ ଗଳା ବାଟ ଦେଇ ଫେରୁଥିଲା ସେ ଗୀତରେ ସୁପରହିଟ୍ର ମୋହର ବାଜିଯାଉଥିଲା। ଆଜି ସେ ନାହାନ୍ତି ସତ, ମାତ୍ର ଅବର୍ତମାନରେ ତାଙ୍କର ଅଜସ୍ର ଗୀତ ଆଜି ବି ଅନେକଙ୍କ ହୃଦୟରେ ଗଳାମାଳି ଭଳି ସାଇତା ରହିଛି।
ଗୀତ ଗାଇବେ ବୋଲି ବାପାଙ୍କଠୁ ଟଙ୍କା ଆଣି ଉଦ୍ଧାର ଦେଇଥିଲେ
ଗୀତଟିଏ ଗାଇବା ପାଇଁ ସେତେବେଳେ କିଛି ନୂଆ ପ୍ରତିଭାଙ୍କଠାରୁ ଟଙ୍କା ନିଆଯାଉଥିଲା। ଚିତ୍ତ ଜେନାଙ୍କ ନିିକଟରେ ପ୍ରତିଭା ଥାଇ ମଧ୍ୟ ସେ ଏଥିରୁ ବର୍ତି ପାରିନଥିଲେ। ଚିତ୍ତ ଜେନାଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ବେଶ୍ ସ୍ବଚ୍ଛଳ ଥିଲେ। ବାପା ବଡ଼ ଠିକାଦାର ଥିବାରୁ ଟଙ୍କା ପଇସାର ଅଭାବ ନଥିଲା। ଚିତ୍ତ ଜେନା ବି ଥିଲେ ତାଙ୍କ ଘରେ ଏକମାତ୍ର ପୁଅ। ସେେତବେଳେ ଜଣେ ପ୍ରଖ୍ୟାତ ସଂଗୀତ ନିର୍ଦେଶକ ତାଙ୍କୁ କହିଲେ, ମୋ’ର ୭ହଜାର ଟଙ୍କା ତୁରନ୍ତ ଦରକାର। ଚିତ୍ତ ଜେନା ନିଜ ବାପାଙ୍କୁ ଯାଇ ଏ ବାବଦରେ କହିବା ପରେ ପୁଅର ଅନୁରୋଧକୁ ଭାଙ୍ଗି ନପାରି ବାପା ଯଦୁମଣି ଜେନା ଟଙ୍କା ଦେଲେ। ଯଦିଓ ପୁଅ ଗୀତ ଗାଉ ବୋଲି ଯଦୁମଣିଙ୍କର ଇଚ୍ଛା ନଥିଲା, କିନ୍ତୁ ପୁଅର ଅଳି ଭାଙ୍ଗି ପାରିନଥିଲେ।
ଚିତ୍ତ ଜେନା ସେଇ ଟଙ୍କା ନେଇ ସମ୍ପୃକ୍ତ ସଂଗୀତ ନିର୍ଦେଶକଙ୍କୁ ଦେଲେ। ଯେବେ ଯଦୁମଣି କହିଲେ, ଯାହାକୁ ଟଙ୍କା ଉଦ୍ଧାରରେ ଦେଇଥିଲୁ ସେ ଟଙ୍କା ଆଣେ। ଚିତ୍ତ ଜେନା ମଧ୍ୟ ଯାଇ ସମ୍ପୃକ୍ତ ସଂଗୀତ ନିର୍ଦେଶକଙ୍କୁ ଟଙ୍କା ମାଗିଲେ। ତେବେ ସେ ନିର୍ଦେଶକ ଜଣକ କହିଲେ, ଦେଖ୍ ମୁଁ ଅସୁବିଧାରେ ପଡ଼ିଥିଲି ବୋଲି ତୋ’ଠୁ ଟଙ୍କା ନେଇଥିଲି। ତେଣୁ ଯେବେ ସୁବିଧା ହେବ ତୋ’ ଟଙ୍କା ଫେରେଇ ଦେବି। ନିଷ୍କପଟ ଚିତ୍ତ ସେଠାରୁ ଆସି ସମ୍ପୃକ୍ତ ସଂଗୀତ ନିର୍ଦେଶକ କହିଥିବା କଥାଟି ବାପାଙ୍କୁ କହିଲେ। ବାପା ଯଦୁମଣି ଏକଥା ଶୁଣି କହିଲେ, ବାପାରେ ତାଙ୍କୁ କହିବୁ ଭଲ ବୁଦ୍ଧିଟେ ମତେ ଶିଖେଇଲୁ। ସେଥିପାଇଁ ନେ ଆଉ ୭ହଜାର ଟଙ୍କା ତାଙ୍କୁ ଦେଇ ଦେବୁ…। ତାଙ୍କୁ କହିବୁ ଏ ବୁୁଦ୍ଧି ମୋ ବାପାଙ୍କ ବାପା ବି ତାଙ୍କୁ ଶିଖେଇନଥିଲେ। ତେଣୁ ଇଏ ତା’ର ଉପହାର। ପ୍ରଫୁଲ୍ଲ କରଙ୍କ ସହ ଦିନେ ଯଦୁମଣି ଏହି ପ୍ରସଙ୍ଗରେ କଥା ହେଉଥିବା ବେଳେ ହସିବା ନା ମନ ଦୁଃଖ କରିବେ ବୁଝି ପାରୁନଥିଲେ।
ଗୀତ ପଛର କାହାଣୀ…
‘ମମତା’ ଚଳଚ୍ଚିତ୍ର ପୂର୍ଣ୍ଣ ପ୍ରେକ୍ଷାଳୟରେ ଚାଲୁଥିବା ବେଳେ ବ୍ରହ୍ମପୁରର ଜ୍ୟୋତି ସିନେମା ହଲ୍ର ସ୍ବତ୍ତ୍ବାଧିକାରୀ ମମତା ଚଳଚ୍ଚିତ୍ରର ଟିମ୍କୁ ଡାକି ଚର୍ଚା କରିଥିଲେ। ପ୍ରଫୁଲ୍ଲ କର ଓ ଚିତ୍ତ ଜେନା ମଧ୍ୟ ସେଇ ଟିମ୍ରେ ଥିଲେ। ପ୍ରେକ୍ଷାଳୟ ନିକଟ କୋଠା ଉପରେ ବସି ଚର୍ଚା ହେଉଥିବା ବେଳେ ଶ୍ରୀ କରଙ୍କ ମନକୁ ସୁନ୍ଦର ଧାଡ଼ିଟିଏ ଆସିଲା। ‘ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର, ମୋ ପ୍ରିୟାଠାରୁ କିଏ ଅଧିକ ଗୁଣର…, ଏଡ଼ିକି ମନୋଇ ଝିଅ ମନ ମାନିଥିଲେ କୁହେ ମୁଁ ଏକା ତୁମର…। ଗୀତଟି ସିନା ମନକୁ ଆସିଗଲା କିନ୍ତୁ ପାଖରେ ଲେଖିବାକୁ କଲମ କି କାଗଜ ନଥିଲା। ତେଣୁ ସେ ନିଜ ପାଖରେ ବସିଥିବା ଚିତ୍ତ ଜେନାଙ୍କୁ ତୁରନ୍ତ କହିଲେ, ଚିତ୍ତ ମୁଁ ସୁର କରୁଛି, ତୁ ଏଟା ଗାଇ ଶୁଣା। ଚିତ୍ତ ଜେନା ଗାଇ ଶୁଣାଇବା ପରେ ପ୍ରଫୁଲ୍ଲ କର କହିଲେ, ଏହି ସ୍ବରକୁ ମନେ ରଖିଥା। ସେଠାରୁ ଫେରି ଗୀତଟିକୁ ଲେଖି ସମ୍ପୂର୍ଣ୍ଣ କଲେ। ଗୀତଟି ପ୍ରସ୍ତୁତ ହେବା ପରେ ଏତେ ଲୋକପ୍ରିୟ ହେଲା ଯେ ଦୁହିଁଙ୍କ ଯୋଡ଼ିକୁ ନେଇ ଚହଳ ପଡ଼ିଗଲା। ‘ଏ ପରବତ କୁଞ୍ଚିକୁଞ୍ଚିକା… ଗୀତର ସୃଷ୍ଟି ପଛରେ ମଧ୍ୟ ନାୟକ ଥିଲେ ଚିତ୍ତ ଜେନା। ଦିନେ ପ୍ରଫୁଲ୍ଲ କର, ଚିତ୍ତ ଜେନା, ଜଣେ ତେଲୁଗୁ ଝିଅ ଯୋଡ଼ାକୁ ଏକ ସଂଗୀତ କାର୍ଯ୍ୟକ୍ରମକୁ ଯାଉଥାନ୍ତି। ନଈବଢ଼ି ଯୋଗୁ ଏକ ଅଣ ଓସାରିଆ ନଈ ଏତେ କ୍ଷୀପ୍ର ଗତିରେ ବହୁଥିଲା ଯେ, ଏକ ପୋଲ ଭାଙ୍ଗି ଯାଇଥିଲା। କୌଣସି ସୂତ୍ରରୁ ଖବର ପାଇ ଆୟୋଜକମାନେ ଗାଡ଼ି ପଠାଇଲେ। ଏହା ମଧ୍ୟରେ ସନ୍ଧ୍ୟା ହୋଇଗଲା। ଜହ୍ନପକ୍ଷ ରାତି। ଚିତ୍ତ ଜେନା ଟିକେ ରସିକ ପ୍ରବୃତ୍ତିର ଥିଲେ। ତେଣୁ ଅଟକିବା ସ୍ଥାନରେ ତାଙ୍କୁ ଲକ୍ଷ୍ୟ କରି ପ୍ରଫୁଲ୍ଲ କରଙ୍କ ପରିକଳ୍ପନାକୁ ଆସିଲା, ଏ ପରବତ କୁଞ୍ଚିକୁଞ୍ଚିକା.., ଏ ନଈ ଯାଏ ବହିବହିକା.., ଏ ଜହ୍ନ ଯାଏ ଘୁଞ୍ଚିଘୁଞ୍ଚିକା.., ମୋ ପ୍ରିୟା ଯାଏ ଋଷିଋଷିକା…। ମନକୁ ଗୀତଟିର ଏହି ଧାଡ଼ିଟି ଆସିବା ପରେ ପ୍ରଫୁଲ୍ଲ କର ତୁରନ୍ତ ସେଇ ବସିଥିବା ସ୍ଥାନରେ ଗୀତଟିର ସୁର କରି ଚିତ୍ତ ଜେନାଙ୍କୁ ଗାଇବାକୁ କହିଲେ। ପରବର୍ତୀ ସମୟରେ ସେଇ ଗୀତଟି ଚର୍ଚିତ ହୋଇ କାଳଜୟୀ ହୋଇଗଲା।
ଅମୃତ କଣ୍ଠ ଚିତ୍ତ ଜେନା
କଣ୍ଠରେ ଅନୁପମ ଲାଳିତ୍ୟ ଏବଂ ମାଧୁର୍ଯ୍ୟ ତାଙ୍କୁ ରେଡ଼ିଓ ଓ ଚଳଚ୍ଚିତ୍ର ସଂଗୀତ ଜରିଆରେ ଘରେଘରେ ଲୋକପ୍ରିୟ କରାଇଥିଲା। ସଂଗୀତ ପ୍ରତି ତାଙ୍କର ଏହି ଅବଦାନ ପାଇଁ ସେ ପୁରୀର ଶ୍ରୀକ୍ଷେତ୍ର କଳା ପ୍ରକାଶିକା ଅନୁଷ୍ଠାନ ପକ୍ଷରୁ ଅମୃତ କଣ୍ଠ ସମ୍ମାନ ଲାଭ କରିଥିଲେ।
ସଂେକ୍ଷପରେ ଚିତ୍ତ
ନାମ: ଚିତ୍ତରଂଜନ ଜେନା
ବାପା: ଯଦୁମଣି ଜେନା
ମା’: ହେମନ୍ତ କୁମାରୀ ଜେନା
ଜନ୍ମ: ୧୯୪୧ ମସିହା ଡିସେମ୍ବର ୨୪
ପତ୍ନୀ: ଶୋଭା ଜେନା
୧୯୬୮ ମସିହାରେ ଆକାଶବାଣୀରେ ସ୍ବୀକୃତିପ୍ରାପ୍ତ କଳାକାର
ଝୁରିବ ବାଲିଯାତ୍ରା
ନଯାରେ ନଯା ଗୋରି ବାଲି ଯାତରା ଦେଖି.., ତୋ ଗୋରା ଦେହେ ଯିବ କାଳେ ନଜର ଲାଖି…। ବାଲିଯାତ୍ରା ବେଳେ ମେଳା ବୁଲିବାର ଅନୁଭୂତିକୁ ପ୍ରଫୁଲ୍ଲ କର ରଚନା କରିଥିବା ବେଳେ ଚିତ୍ତ ଜେନା ଏହାକୁ ଗାଇ ସାରା ଓଡ଼ିଶାବାସୀଙ୍କୁ ଚମତ୍କୃତ କରିଥିଲେ। ଆଜି ବି ବାଲିଯାତ୍ରା ଆସିଲେ ଅନେକଙ୍କ କଣ୍ଠରେ ଏହି ଗୀତଟି ସ୍ବତଃ ଚାଲିଆସେ। କିଛି ବର୍ଷ ତଳେ ବାଲିଯାତ୍ରା ବେଳେ କଟକର ସଂଗୀତ ମଞ୍ଚରେ ଚିତ୍ତ ଜେନା ନିଜେ ଉପସ୍ଥିତ ହୋଇ ଏହି ବାଲିଯାତ୍ରା ଗୀତଟି ପରିବେଷଣ କଲାବେଳେ ସବୁ କାନ ସେଇଠିକୁ ଫେରିଯାଉଥିଲା। ଏଥର କିନ୍ତୁ ବାଲିଯାତ୍ରାକୁ ଆଉ ଅଳ୍ପଦିନ ବାକି ଥିବା ବେଳେ ଚିତ୍ତ ଜେନା ବାହୁଡ଼ିଯାଇଛନ୍ତି। ତେଣୁ ବିତିଯାଇଥିବା ବହୁ ବାଲିଯାତ୍ରାରେ ଏହି ଗୀତର ସାକ୍ଷୀ ଥିବା ପ୍ରତିଟି ବାଲିକଣା ଏବଂ ସଂଗୀତ ପ୍ରେମୀଙ୍କର ଏହି ଗୀତ ଏବଂ ଚିତ୍ତ ଜେନା ନିଶ୍ଚୟ ମନେ ପଡ଼ିବେ।
ବାପା କହୁଥିଲେ ନାରେ ନାରେ.. ହଅନା, ସେ କିନ୍ତୁ ମାନିଲେନି
ଚିତ୍ତ ଜେନାଙ୍କ ବାପା ଯଦୁମଣି ଜେନା ସତୁରି ଦଶକରେ ଥିଲେ ଜଣେ ଜଣାଶୁଣା ଠିକାଦାର। ତେଣୁ ଟଙ୍କା ପଇସାରେ ଅଭାବ ନଥିଲା। ଯଦୁମଣି ଚାହୁଁଥିେଲ, ପୁଅ ତାଙ୍କର ସାଇନ୍ସରେ ଗ୍ରାଜୁଏଟ୍ ହେଉ। ଭଲ ଟଙ୍କା ରୋଜଗାର କରୁ। ତାଙ୍କ ବ୍ୟବସାୟରେ ସହେଯାଗ କରୁ। ଦିନେ ସେ ପୁଅକୁ କହିଲେ, ଆେର ନାରେ ନାରେ .. କାଇଁ ହଉଛୁ। ସେସବୁ ଛାଡ଼। ତେବେ ଚିତ୍ତଙ୍କର ଚିତ୍ତ କିନ୍ତୁ ଥିଲା ଗୀତ ପାଖେ। ତେଣୁ ପିଲାବେଳେ ସଂଗୀତ କ୍ଷେତ୍ରକୁ ପ୍ରବେଶ କରିବା ପାଇଁ ତାଙ୍କୁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡ଼ିଥିଲା।
ଚିତ୍ତ ଜେନାଙ୍କ ଗଳା ଥିଲା ଈଶ୍ବର ପ୍ରଦତ୍ତ
କୋଇଲି ଯେମିତି ଗୀତ ନଶିଖି ବି ତା ସ୍ବର ଆକର୍ଷିତ କରେ ଚିତ୍ତ ଜେନା ଥିଲେ ସେହିଭଳି ବ୍ୟକ୍ତିତ୍ବ। ତାଙ୍କ ଗଳା ସାଧନା ଦ୍ବାରା ପ୍ରସ୍ତୁତ ହୋଇନଥିଲା ବରଂ ଥିଲା ଈଶ୍ବର ପଦତ୍ତ ଗଳା। ମୁଁ ତାଙ୍କୁ ଦେଖିଦେଖି ଅନେକ ଗୀତ ରଚନା କରିଦେଇଛି। ଗୀତର ବ୍ୟାକରଣ ଏତେ ଜାଣିନଥିଲେ ବି ଏତେ ଆବେଗରେ ଗାଉଥିଲେ ଯେ ପ୍ରତିଟି ଗୀତ ମଣିଷ ହୃଦୟକୁ ଛୁଇଁ ଯାଉଥିଲା। ଚିତ୍ତ ଜେନା ଚାଲିଗଲାନି ଯେ ମୋର ଅଧେ ଜୀବନ ଚାଲିଗଲା।
ପ୍ରଫୁଲ୍ଲ କର (ବିଶିଷ୍ଟ ସଂଗୀତ ନିର୍ଦେଶକ)
ମିଠା ସ୍ବର ଚିରକାଳ ବଞ୍ଚିରହିବ
ଚିତ୍ତ ଜେନା ପରି ମିଠା କଣ୍ଠର ଗାୟକ ମିଳିବେ ନାହିଁ। ତା’ର ଗାଇବାର ନିଜସ୍ବ ଶୈଳୀ ଥିଲା। ରୋମାଣ୍ଟିକ୍ ଗୀତ ଗାଇବାରେ ସେ ମାହିର୍ ଥିଲା। ସ୍ବରଟା ଶୁଣେଇ ଦେଲେ ସେ ଗୀତଟି ଗାଏ। ପରେ ଷ୍ଟୁଡିଓରେ ଏତେ ସୁନ୍ଦର ଭାବରେ ଗୀତଟିକୁ ଉଠାଏ ଯେ, ବିଶ୍ବାସ କରିହୁଏନି। ଏଇ ମିଠା ସ୍ବର ଚିରକାଳ ବଞ୍ଚିରହିବ।
ପ୍ରଣବ କିଶୋର ପଟ୍ଟନାୟକ (ବିଶିଷ୍ଟ କଣ୍ଠଶିଳ୍ପୀ)
ଭଗବାନଙ୍କର ସିଧାସଳଖ ଆଶୀର୍ବାଦ ଥିଲା
ଏମିତି ମିଠା ସ୍ବର ଓଡ଼ିଶା ଶୁଣିବାକୁ ପାଇବନାହିଁ। ଯେତିକି ନିଚ୍ଛକ ଓଡ଼ିଆ ଗୀତ ସୃଷ୍ଟି କରିଛନ୍ତି ତାହା ପ୍ରତିଟି ଓଡ଼ିଆ ଝୁରିବେ। ଭଗବାନଙ୍କର ସିଧାସଳଖ ଆଶୀର୍ବାଦ ଥିଲା। ନଚେତ୍ ଏମିତି କାଳଜୟୀ ଗୀତ ତାଙ୍କ କଣ୍ଠରୁ ସୃଷ୍ଟି ପାରିନଥାଆନ୍ତା। ମୁଁ ତାଙ୍କ ପରିବାରର ସଦସ୍ୟ ହୋଇଥିବାରୁ ଗର୍ବିତ।
ମିହିର ଦାସ (ଅଭିନେତା, ଚିତ୍ତ ଜେନାଙ୍କ ଜ୍ବାଇଁ)
ମୁଁ ମୋର କଣ୍ଠସ୍ବର ହଜେଇଲି
ଚିତ୍ତ ଜେନାଙ୍କର ପ୍ରତିଭା ଈଶ୍ବରଦତ୍ତ। ବ୍ୟକ୍ତିଗତ ଭାବେ ମୋ ଚଳଚ୍ଚିତ୍ରର ପ୍ରାୟ ସବୁ ଗୀତରେ ସେ ଗାଉଥିଲେ। ତାଙ୍କର ଓ ମୋ’ର କଣ୍ଠ ମିଶିଯାଉଥିଲା। ମୁଁ ଅଭିନୟ ବେଳେ ଆଉ କେହି ଯେ ଗାୟକ ଗାଉଛନ୍ତି ତାହା ଜଣା ପଡ଼ୁନଥିଲା। ସେ ଉଦାର ପ୍ରକୃତିର ଥିଲେ। ଗୀତ ପାଇଁ ପାଗଳ ପ୍ରାୟ ଥିଲେ। ତାଙ୍କ ମୃତ୍ୟୁରେ ମୁଁ ମୋର କଣ୍ଠସ୍ବର ହଜେଇଲି।
ପ୍ରଶାନ୍ତ ନନ୍ଦ (ବିଶିଷ୍ଟ ଅଭିନେତା)