ଚିରନିଦ୍ରାରେ ଚିତ୍ତ ଜେନା

କଟକ: ରୂପ ହୋଇଥିବ ଲାବଣ୍ୟବତୀ, ଗୁଣରେ ଲାଜୁକି ମଉନାବତୀ…, ମୋ’ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର……, ନ ଯା’ରେ ନ ଯା’ ଗୋରୀ ବାଲିଯାତରା ଦେଖି… କି ସୁନ୍ଦର ଆହା କି ଆନନ୍ଦମୟ…, ଆଲୋ ଆଲୋ ମାଣିକ… ଭଳି ସର୍ବକାଳୀନ ସୁପରହିଟ୍ ଗୀତର ଗାୟକ, ବିଶିଷ୍ଟ ସଂଗୀତକାର,‘ଅମୃତ କଣ୍ଠ’ ଚିତ୍ତ ଜେନା ଆଉ ନାହାନ୍ତି। ୭୭ ବର୍ଷ ବୟସରେ କଟକର ଏକ ଘରୋଇ ନର୍ସିଂହୋମରେ ଗତକାଲି ବିଳମ୍ବିତ ରାତିରେ ସେ ଚିରନିଦ୍ରାରେ ଶୋଇ ଯାଇଛନ୍ତି। ନିଜର ସୁମଧୁର କଣ୍ଠରେ ପ୍ରଶଂସକଙ୍କ ମନରେ ସତେଜତା ଭରି ଦେଉଥିବା ଚିତ୍ତ ଜେନାଙ୍କ ବିୟୋଗରେ ସମଗ୍ର ଓଲିଉଡ ଏବଂ ତାଙ୍କର ଅଗଣିତ ପ୍ରଶଂସକ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି। ସ୍ବର୍ଗତ ଜେନାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ବହୁ ସିନେ ଅଭିନେତା, ଅଭିନେତ୍ରୀ, ବିଶିଷ୍ଟ ବ୍ୟକ୍ତି ରାଣୀହାଟସ୍ଥିତ ତାଙ୍କ ‘ଭିକ୍ଟୋରି କଟେଜ୍‌’ ବାସଭବନରେ ପହଞ୍ଚି ଶେ‌ଷଦର୍ଶନ କରିଛନ୍ତି। ୧୯୪୧ ମସିହା ଡିସେମ୍ବର ୨୨ତାରିଖରେ କଟକ ନୂଆବଜାର ପୋପରଡାଠାରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତ ଜେନା ବ୍ରେନ୍‌ ‌େଷ୍ଟ୍ରାକ୍‌ର ଶିକାର ହୋଇ ଗତ ଅକ୍ଟୋବର ୨୨ତାରିଖରେ ଥୋରିଆ ସାହିର ଏକ ଘରୋଇ ନସିଂ‌ହୋମ୍‌ରେ ଭର୍ତ୍ତି ହୋଇଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁ ଏବଂ ପରେ ଭେଣ୍ଟିଲେଟରରେ ରଖାଯାଇଥିଲା। ମାତ୍ର ଡାକ୍ତରଙ୍କ ସକଳ ଚେଷ୍ଟା ସ‌େତ୍ତ୍ବ ଗତକାଲି ରାତି ୧ଟା ୨୦ରେ ତାଙ୍କ ଶ୍ରୀ ଜେନା‌ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ସ୍ବର୍ଗତ ଜେନା କଟକ ଷ୍ଟୁଆର୍ଟ ସ୍କୁଲରୁ ହାଇସ୍କୁଲ ଶିକ୍ଷା ଶେଷ କରିବା ପରେ ବିଜେବି କଲେଜରୁ ବିଜ୍ଞାନରେ ସ୍ନାତକ ଲାଭ କରିଥିଲେ। ପିଲାଟି ବେଳୁ ସଂଗୀତ ପ୍ରତି ତାଙ୍କ ସ୍ବତନ୍ତ୍ର ରୁଚି ଥିଲା। ତେଣୁ କଲେଜ ଶିକ୍ଷା ପରେ ସଂଗୀତ ଦୁନିଆ ଆଡ଼କୁ ସେ ଟାଣି ହୋଇ ଆସିଥିଲେ। କୁହାଯାଏ, ସଂଗୀତରେ ତାଙ୍କର କେହି ଗୁରୁ ନଥିଲେ। ସଂଗୀତ ପ୍ରତି ଥିବା ତାଙ୍କ ସମର୍ପଣ ଭାବ ତାଙ୍କୁ ଅଗଣିତ ଓଡ଼ିଆ ଶ୍ରୋତାଙ୍କ ହୃଦୟରେ ଚିରକାଳ ରାଜ କରିବାକୁ କେବଳ ସୁଯୋଗ ଦେଇଥିଲା ତା’ନୁହେଁ, ବରଂ ଜଣେ ସୁପରଷ୍ଟାର୍‌ କଣ୍ଠଶିଳ୍ପୀର ମାନ୍ୟତା ଦେଇଥିଲା। କେବଳ ଫିଲ୍ମ ଓ ଲଘୁ ସଂଗୀତ ପାଇଁ ନୁହେଁ, ସେ ଗାଇଥିବା ଅନେକ ଭଜନ ବି କାଳଜୟୀ ହୋଇ ରହିଛି। ପ୍ରଫୁଲ୍ଲ କର-ଚିତ୍ତ ଜେନାଙ୍କ ଯେ‌ାଡ଼ି ଓଡିଆ ସିନେ ଜଗତରେ ଚହଳ ପକାଇବା ସହ ସୁପରହିଟ ସାବ୍ୟସ୍ତ ହୋଇଥିଲା। ଆକାଶବାଣୀ କଟକ କେନ୍ଦ୍ରର ସେ ଥିଲେ ପ୍ରଥମ ‌େଶ୍ରଣୀର କଳାକାର। ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ସେ ସମ୍ମାନଜନକ ଡକ୍ଟରେଟ ଉପାଧି ହାସଲ କରିଥିଲେ। ସଙ୍ଗୀତ ସାଧନା କ୍ଷେତ୍ରରେ ଅନବଦ୍ୟ କୃତି ପାଇଁ ତାଙ୍କୁ ‘ଅମୃତ କଣ୍ଠ’ ଉପାଧି ପ୍ରଦାନ କରାଯାଇଥିଲା।

ସ୍ବର୍ଗତ ଜେନାଙ୍କ ଶେଷଶଯ୍ୟା ନିକଟରେ ଧର୍ମପତ୍ନୀ ସ୍ନେହଲତା ଜେନା, ଜ୍ବାଇଁ ବିଶିଷ୍ଟ ଅଭିନେତା ମିହିର ଦାସ, ଦେ‌େବଶ ପଟ୍ଟନାୟକ, ସାନଝିଅ ସରିତା ପଟ୍ଟନାୟକ, ପୁଅ ସୁନନ୍ଦନ ଜେନା, ସୁଚନ୍ଦନ ଜେନା(ସଙ୍ଗୀତ ନିର୍ଦ୍ଦେଶକ), ବୋହୂ ଉପାଲୀ ନନ୍ଦ, ସାଗରିକା ଜେନା, ନାତି ଫିଲ୍ମ ଅଭିନେତା ଅମ୍ଲାନ, ଅକ୍ଲାନ୍ତ, ତତ୍ତ୍ବାବଧାରକ ସନାତନ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ମରଶରୀରକୁ ଏକ ସୁସଜ୍ଜିତ ଗାଡିରେ କଟକ ଆକାଶବାଣୀ କେନ୍ଦ୍ର, ମାମୁ ଘର ଫୁଳନଖରା ନିକଟସ୍ଥ ଶାସୋଳକୁ ଶୋଭାଯାତ୍ରାରେ ନିଆଯାଇଥିଲା। ସେଠାରୁ ଜନ୍ମସ୍ଥାନ ପୋପରଡା ଅଣାଯାଇ ଗ୍ରାମବାସୀ ତଥା ଆତ୍ମୀୟସ୍ବଜନଙ୍କ ଉପସ୍ଥିତିରେ ଗ୍ରାମ ‌ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇ ଥିଲା ା ଜ୍ୟେଷ୍ଠପୁତ୍ର ସୁନନ୍ଦନ ମୁଖାଗ୍ନି ଦେଇଥିଲେ ା ଚିତ୍ତ ଜେନାଙ୍କ ପରଲୋକ ଖବର ପାଇ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ, ମେୟର ମୀନାକ୍ଷୀ ବେହେରା, ବିଶିଷ୍ଟ ସଂଗୀତଜ୍ଞ ପ୍ରଫୁଲ୍ଲ କର, ପ୍ରଣବ ପଟ୍ଟନାୟକ, ବାସୁଦେବ ରଥ, ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପ‌ାଠୀ, ବିଶିଷ୍ଟ ଅଭିନେତା ତଥା ସ୍ବର୍ଗତ ଜେନାଙ୍କ ବଡ ଜ୍ବାଇଁ ମିହିର ଦାସ, ଶ୍ରୀତମ ଦାସ, କଣ୍ଠଶିଳ୍ପୀ ସୁବାସ ଦାସ, ପୂର୍ବତନ ମେୟର ନିବେଦିତା ପ୍ରଧାନ, ବିଜେପି ନେତା ନୟନ ମହାନ୍ତି, ଅଭିନେତା ବାପୁ ଲେଙ୍କା, ଚିକିତ୍ସକ ଡାକ୍ତର ଏମ.କେ.ଅଗ୍ରୱାଲ, ସଙ୍ଗୀତ ନିର୍ଦ୍ଦେଶକ ଶକ୍ତି ବରାଳ, ରଞ୍ଜନ ଶତପଥୀ, ମହାପ୍ରସାଦ କର, ଜିଲ୍ଲା ବିଜେଡି ସାଧାରଣ ସଂପାଦକ ପ୍ରଶାନ୍ତ ନାୟକ, ପୂର୍ବତନ କର୍ପୋରେଟର ପବିତ୍ର ମୋହନ ଭୂୟାଁ, ମିଟୁ ମିଥୁନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଚିତ୍ତ‌ ଜେନାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକପ୍ରକାଶ ପାଇଛି। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକ, ପ୍ରଫୁଲ୍ଲ କର ଫା‌ଉଣ୍ଡେସନ୍‌ର ଅଧ୍ୟକ୍ଷ ତଥା ସାହିତ୍ୟିକ ଦାଶ ବେନହୁର, ଓଡ଼ିଶା ସିନେ କ୍ରିଟିକ୍ ଆସୋସିଏସନ୍‌ର ସଭାପତି ପ୍ରଦୋଷ ପଟ୍ଟନାୟକ ଓ ସମ୍ପାଦକ ଦିଲ୍ଲୀପ ହାଲି, ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର