ସିବିଆଇ ଜାଲରେ ଚିତ୍ରଡ଼ା ପୋଷ୍ଟାଲ ଆସିଷ୍ଟାଣ୍ଟ ସ୍ନେହାଶିଷ ପରିଡ଼ା

ଚିତ୍ରଡ଼ା : ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ପଞ୍ଝାରେ ପଡ଼ିଛନ୍ତି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଚିତ୍ରଡ଼ା ଉପ ଡାକଘର ପୋଷ୍ଟାଲ ଆସିଷ୍ଟାଣ୍ଟ ସ୍ନେହାଶିଷ ପରିଡ଼ା।

ସୂଚନା ଅନୁଯାୟୀ, ପୋଷ୍ଟାଲ ଆସିଷ୍ଟାଣ୍ଟ ସ୍ନେହାଶିଷ ପରିଡ଼ା ଜଣେ ପୋଷ୍ଟାଲ ଏଜେଣ୍ଟଙ୍କ କମିଶନ ଟଙ୍କା ଏବଂ ଅନ୍ୟାନ୍ୟ କାର୍ଯ୍ୟ କରାଇଦେବା ଲାଗି ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଏଜେଣ୍ଟ କୁନ୍ତଳା ମହାନ୍ତଙ୍କ ସ୍ୱାମୀ ବ୍ରଜକିଶୋର ମହାନ୍ତ ସିବିଆଇର ଦ୍ୱାରସ୍ଥ ହେବା ପରେ ସିବିଆଇର ଆଣ୍ଟି କରପସନ୍‌ ଟିମ୍‌ ଉକ୍ତ ପୋଷ୍ଟାଲ ଏଜେଣ୍ଟଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ଯୋଜନା ମୁତାବକ ଆଜି ଶ୍ରୀ ପରିଡ଼ା ଡାକଘର ଛୁଟି ହେବା ପରେ ସ୍ଥାନୀୟ ଶୀର୍ଷାପାଳ ଛକ ନିକଟରେ ଏଜେଣ୍ଟଙ୍କ ସ୍ୱାମୀଙ୍କଠାରୁ ରଙ୍ଗବୋଳା ୪ ହଜାର ଟଙ୍କା ଲାଞ୍ଚ ନେଇ ପକେଟ୍‌ରେ ରଖିଥିଲେ। ଏହି ସମୟରେ ସିବିଆଇ ଟିମ୍‌ ତାଙ୍କୁ କାବୁ କରି ନେଇଥିଲା। ଚିତ୍ରଡ଼ା ଫାଣ୍ଡିରେ ଜେରା କରାଯିବା ବେଳେ ଶ୍ରୀ ପରିଡ଼ା ବାରମ୍ବାର ଚେତାଶୂନ୍ୟ ହୋଇ ପଡ଼ିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ପଚରାଉଚୁରା ଜାରି ରହିଛି। ସିବିଆଇ ଭୁବନେଶ୍ୱରର ଇନିସ୍‌ପେକ୍ଟର ପିସି ସାହୁଙ୍କ ନେତୃତ୍ୱରେ ଆସିଥିବା ଆଣ୍ଟି କରପସନ ଟିମ୍‌ ଏହି ଚଢ଼ଉ କରିଥିଲା।

ସମ୍ବନ୍ଧିତ ଖବର