ମରୁଭୂମିରେ ଶିଳ୍ପର ଏନ୍ତୁଡ଼ିଶାଳ ‘ଚୌଦ୍ୱାର’ : ୨ଟି ପ୍ରମୁଖ ଶିଳ୍ପସଂସ୍ଥା ବନ୍ଦ ପରେ ଅଞ୍ଚଳର ଅର୍ଥନୀତି ବିପର୍ଯ୍ୟୟ, ଭୋକ ଉପାସରେ ଦିନ କାଟୁଛନ୍ତି ହଜାରହଜାର ଶ୍ରମିକ

ସରକାର ଦୃଷ୍ଟି ଦିଅନ୍ତୁ ନଚେତ୍‌ ଆନ୍ଦୋଳନ ଚେତାବନୀ

ଚୌଦ୍ୱାର : କଟକ, ଭୁବନେଶ୍ବର ଅନତିଦୂରରେ ଅବସ୍ଥିତ ଚୌଦ୍ୱାର ଏବେ ମରୁଭୂମିରେ ପରିଣତ ହୋଇଛି। ଏକଦା ଶିଳ୍ପ ସମ୍ରାଟ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଚୌଦ୍ବାରକୁ ଶିଳ୍ପ ସାମ୍ରାଜ୍ୟରେ ପରିଣତ କରିଥିଲେ। ତାଙ୍କରି ଉଦ୍ୟମରେ କାଗଜ କଳା, ଲୁଗାକଳ, ପାଇପ୍ କାରଖାନା, ବୈକୁଣ୍ଠ କଟନ ମିଲ୍, ଲିବ୍ରାକାରପେଟ୍‌ ଓ ଅନ୍ୟାନ୍ୟ ଛୋଟବଡ଼ କାରଖାନା ପ୍ରତିଷ୍ଠା କରାଯାଇଥିଲା। ମାତ୍ର, ତାଙ୍କ ପରଲୋକ ପରେ ଚୌଦ୍ବାର ପ୍ରତି ସରକାରଙ୍କର କୌଣସି ଦୃଷ୍ଟି ନଥିବାବେ‌େଳ ଏବେ ଏହା ଶ୍ରୀହୀନ ଅବସ୍ଥାରେ ପଡ଼ିରହିଛି। ଯାହାକୁ ନେଇ ସ୍ଥାନୀୟ ଜନସାଧାରଣ ଏବଂ ଶ୍ରମିକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଶିଳ୍ପ ସହିତ ଚୌଦ୍ବାରର ପରିଚୟ ଏବେକାର ନୁହେଁ। ସ୍ବାଧୀନତା ପୂର୍ବରୁ ଏବଂ ପରେ ଏଠାରେ ଶିଳ୍ପ ପ୍ରତିଷ୍ଠାନ ଗଢ଼ି ଉଠିଥିଲା। ଏହି ଅଞ୍ଚଳରେ ମୁଖ୍ୟତଃ ଦୁଇଟି ବଡ଼ଶିଳ୍ପ ପ୍ରତିଷ୍ଠା ହୋଇଥିଲା। ଗୋଟିଏ ହେଉଛି ବାଲାରପୁର ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ବିଲ୍‌ଟ) ବା ବାଲାରପୁର କାଗଜକଳ। ଏବଂ, ଅନ୍ୟଟି ହେଉଛି ଓଟିଏମ୍‌ (ଓଡ଼ିଶା ଟେକ୍ସଟାଇଲ୍‌ ମିଲ୍‌)। ବାଲାରପୁର କାଗଜକଳ ୨୦୦୩ ମସିହାରୁ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, କାଗଜକଳର ମାଲିକ ଚକ୍ରାନ୍ତ କରି କାରଖାନା ୨ଟି ବଡ଼ ବଡ଼ ମେସିନ ଓ ଅନ୍ୟାନ ଯନ୍ତ୍ରାଂଶ ଅନ୍ୟତ୍ର ହସ୍ତାନ୍ତର କରି ନେଇଅଛନ୍ତି। ଏହି କାରଖାନାରେ ୬ ହଜାର ଲୋକ କାମ କରୁଥିଲେ। ଫଳରେ, କାରଖାନା ବନ୍ଦ ହେବା ଫଳରେ ଶ୍ରମିକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି। ସେମାନଙ୍କ ମଧ୍ୟରୁ ୨୦୦ରୁ ୩୦୦ ଶ୍ରମିକ ମୃତ୍ୟୁବରଣ କରିଥିବା ଏକ ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ହାତୀମାର୍କା କାଗଜ ଏସିଆ ମହାଦେଶରେ ଆୱାର୍ଡ ପାଇଥିଲା। ମାତ୍ର, ଏହି କାରଖାନା ବନ୍ଦ ହୋଇଯାଇଥିଲେ ମଧ୍ୟ ଶିିଳ୍ପ ବିଭାଗ, ଶ୍ରମ ବିଭାଗ ଏବଂ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ସମ୍ପୃକ୍ତ ଶ୍ରମିକମାନଙ୍କ ବିକଳ କ୍ରନ୍ଦନକୁ ବି ସରକାର କର୍ଣ୍ଣପାତ କରିନାହାନ୍ତି। ଫଳରେ, ଶ୍ରମିକ ପରିବା‌ରରେ ଚୁଲି ଜଳୁ ନାହିଁ। ଏଥିସହତ, ସ୍ବାସ୍ଥ୍ୟ, ଶିକ୍ଷା ଓ ଖାଦ୍ୟ ବସ୍ତ୍ରର ଯେଉଁ ସଙ୍କଟ ତାହା ନକହିଲେ ଭଲ। ତା’ ସାଙ୍ଗକୁ ‘ଫନି’ ବାତ୍ୟା ପରେ ଏମାନଙ୍କ ଭବିଷ୍ୟତ ଘୋର ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଥିବା ଦେଖିବାକୁ ମିଳିଛ।
ପରବର୍ତ୍ତୀ ଅଧ୍ୟାୟରେ ଓଟିଏମ୍‌ ଅନୁରୂପ ଅବସ୍ଥା ମଧ୍ୟ ଦେଇ ଗତି କରିବା ଫଳରେ ଏଠାରେ କାର୍ଯ୍ୟରତ ଶ୍ରମିକ ଘୋର ବିପର୍ଯ୍ୟୟ ମଧ୍ୟଦେଇ ଗତି କରୁଛନ୍ତି। ଓଟିଏମ୍‌ର ଉତ୍ପାଦିତ ଲୁଗା ଓ କପଡ଼ା ମଧ୍ୟ ଏସିଆ ମହାଦେଶରେ ସ୍ବତନ୍ତ୍ରତା ଲାଭ କରିବା ସହିତ ପୁରସ୍କୃତ ହୋଇଥିଲା। ଏହାର କପଡ଼ା ଭାରତ କାହିଁକି ଦେଶ ବିଦେଶରେ ମଧ୍ୟ ରପ୍ତାନି କରାଯାଉଥିଲା। ୧୯୯୯ ମସିହାଠାରୁ ଅଦ୍ୟାବଧି ଏହି କାରଖାନାଟି ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ, ଏଥିରେ କ‌ାର୍ଯ୍ୟ କରୁଥିବା ଅନ୍ୟୂନ ୧୦ ହଜାର ଶ୍ରମିକଙ୍କ ଜୀବନର ଗତିପଥ ବଦଳି ଯାଇଛି। ମାତ୍ର ପେଟ ବିକଳରେ ସମସ୍ତେ ଏଣେତେଣେ ପଳାଇ ଯାଉଥିବା ଦେଖିବାକୁ ମିଳୁଛି। ୫୦୦ରୁ ଅଧିକ ଶ୍ରମିକ ଏବଂ ସେମାନଙ୍କ ପରିବାର ଆର୍ଥିକ ସଙ୍କଟ ଦେଇ ଗତିକରୁଥିବାବେଳେ ମୃତ୍ୟୁବରଣ କରିସାରିଲେଣି। କହିବାକୁ ଗଲେ, ଅନାହାରରେ ସେମାନଙ୍କର ମୃତ୍ୟୁ ଘଟିଛି।

ସ୍ଥା‌ନୀୟ ଅଞ୍ଚଳର ବୁଦ୍ଧିଜୀବୀଙ୍କ ମତରେ ଖାଲି ଶ୍ରମିକମ‌ାନେ କାହିଁକି, କାରଖାନା ବନ୍ଦ ହେବା ଫଳରେ ଚୌଦ୍ବାରର ସାମଗ୍ରିକ ଅର୍ଥନୈତିକ ଅବସ୍ଥା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଛି।

ଏହି ଦୁଇଟି ବଡ଼ ବଡ଼ କାରଖାନା ବ୍ୟତିରକେ ଅନ୍ୟାନ୍ୟ ଛୋଟ କାରଖାନାକୁ ହିସାବକୁ ନେଲେ ଅନ୍ୟୂନ ୨୦ରୁ ୨୨ ହଜାର ଶ୍ରମିକ କାର୍ଯ୍ୟରତ ଥିଲେ। ଯଦି ପ୍ରତି ପରିବାରକୁ ୫ ଜଣ ଅନ୍ତତଃପକ୍ଷେ ଧରାଯାଏ, କେତେ ଯେ ଲୋକେ ଦାରୁଣ ବିପର୍ଯ୍ୟୟର ସମ୍ମୁଖୀନ- ତାହାର ହିସାବ ନାହିଁ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଚୌଦ୍ବାର ଅଞ୍ଚଳ ପରିଦର୍ଶନ କରି ବାସ୍ତବ ଚିତ୍ର ଦେଖିବା ସହିତ ୨ଟି ବଡ଼ ବଡ଼ କାରଖାନାକୁ ପୁନଶ୍ଚ କାର୍ଯ୍ୟକ୍ଷମ ଅର୍ଥାତ ଚାଲୁ କରିବା ପାଇଁ ଚୌଦ୍ବାର ଅଞ୍ଚଳବାସୀଙ୍କ ତରଫରୁ ସମାଜସେବୀ ତଥା ଶ୍ରମିକ ନେତା ଗୋପାଳଚନ୍ଦ୍ର ଦାଶ ଅନୁରୋଧ କରିଛନ୍ତି। ରାଜ୍ୟ ସରକାର କୌଣସି କାଳକ୍ଷେପଣ ନୀତି ଅବଲମ୍ବନ ନ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ଦାଶ ଆହ୍ବାନ ଜଣାଇଛନ୍ତି। ନଚେତ୍‌, ଆଗାମୀ ଦିନରେ ଶ୍ରମିକମାନେ ଆନ୍ଦୋଳନାତ୍ମକ କ‌ାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ସେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର