ଭର୍ତ୍ତୃହରିଙ୍କୁ ଖ୍ରୀଷ୍ଟିଆନ୍‌ ସଂଗଠନଙ୍କ ସମାଲୋଚନା

ଯୀଶୁଙ୍କ ଜନ୍ମ ତାରିଖ ବିବାଦ

କଟକ : ଯୀଶୁଙ୍କ ଜନ୍ମକୁ ନେଇ ମନ୍ତବ୍ୟ ରଖି ବିବାଦରେ ଫସିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ଶ୍ରୀ ମହତାବଙ୍କ ଏଭଳି ମନ୍ତବ୍ୟକୁ ବିରୋଧ କରିଛନ୍ତି ଖ୍ରୀଷ୍ଟିଆନ୍‌ ସଂଗଠନର କର୍ମକର୍ତ୍ତା। ପୃଥିବୀର ଇତିହାସ ଦୁଇ ପ୍ରକାର । ଗୋଟିଏ ପ୍ରଭୁ ଯୀଶଙ୍କ ଜନ୍ମପୂର୍ବର(ଖ୍ରୀ.ପୂ) ଏବଂ ଅନ୍ୟଟି ଯୀଶୁଙ୍କ ଜନ୍ମପରର(ଖ୍ରୀଷ୍ଟାଦ୍ଦ) । ଯୀଶୁ ଡିସେମ୍ବର ୨୫ ତାରିଖରେ ଜନ୍ମ ହୋଇଥିଲେ ଏବଂ ସାତଦିନ ପରେ ଅର୍ଥାତ ଜାନୁଆରି ୧ ତାରିଖରେ ତାଙ୍କର ନାମକରଣ ହୋଇଥିଲା । ଏ ନେଇ ଦୁଇ ହଜାର ବର୍ଷର ଇତିହାସ ରହିଛି । ଯଦି ଭର୍ତ୍ତୃହରିବାବୁ ଏହାକୁ ବଦଳାଇବାକୁ ଚାହାନ୍ତି ତାହାହେଲେ ପ୍ରଥମେ ସେ କ୍ୟାଲେଣ୍ଡର ବଦଳାଇ ନିଜ ଜନ୍ମ ତାରିଖକୁ ବଦଳାଇ ଦିଅନ୍ତୁ । ବଡଦିନରେ ଯୀଶୁ ଜନ୍ମ ହୋଇ ନଥିଲେ ବୋଲି ମତ ରଖିଥିବା ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଏପରି ଜବାବ ଦେଇଛନ୍ତି ଚର୍ଚ୍ଚ ଅଫ ନର୍ଥ ଇଣ୍ଡିଆ(କଟକ ଡାଏସିସ)ର ସମ୍ପାଦକ ତଥା ଆଇନଜୀବୀ ବିଭୂଦତ୍ତ ଦାସ ।

ଶ୍ରୀ ଦାସ ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଖ୍ରୀଷ୍ଟ ଧର୍ମରେ ରୋମାନ କ୍ୟାଥଲିକମାନେ ପୂଜାପାଠ କରୁଥିବାବେଳେ ପ୍ରୋଟେଷ୍ଟାଣ୍ଟ ସଂପ୍ରଦାୟ ପୂଜା ନ କରି କେବଳ ପ୍ରାର୍ଥନା କରିଥାନ୍ତି । ବଡ଼ଦିନରେ ଯୀଶୁ ଜନ୍ମ ନ ହେବା ନେଇ ଇତିହାସରେ କୌଣସି ପ୍ରାମାଣିକ ତଥ୍ୟ ନ ଥିବାବେଳେ ଭର୍ତ୍ତୃହରିବାବୁ ଏପରି ମନ୍ତବ୍ୟ ଦେଇ ଖ୍ରୀଷ୍ଟ ସଂପ୍ରଦାୟ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛନ୍ତି । କିଛି ପ୍ରମାଣ ନଥାଇ ଏପରି ମନ୍ତବ୍ୟ ଦେବା ଠିକ ନୁହେଁ ବୋଲି ଶ୍ରୀ ଦାସ କହିଛନ୍ତି । ଧର୍ମ ଏବଂ ରାଜନୀତି ଦୁଇଟି ଅଲଗା ଜିନିଷ । ଏହି ଦୁଇଟି ଜିନିଷ ମିଶିଲେ ବିଭ୍ରାଟ ହୁଏ । ତେବେ ବରିଷ୍ଠ ନେତାମାନେ ଏଥିପ୍ରତି ଦୃଷ୍ଟି ଦେଇ ଆଲୋଚନା ମାଧ୍ୟମରେ ଏ ନେଇ ସଚେତନତା ସୃଷ୍ଟି କରନ୍ତୁ ବୋଲି ଶ୍ରୀ ଦାସ କହିଛନ୍ତି ।

ଅନ୍ୟପଟେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କଟକ ବ୍ୟାପ୍ଟିିଷ୍ଟ ମଣ୍ଡଳର ରେଭରେଣ୍ଡ ନିହାର କୁମାର ବୁଦଧର । ସେ କହିଛନ୍ତି ଯେ ବାଇବେଲ ଅନୁସାରେ ପ୍ରଭୁ ଯୀଶୁଙ୍କ ଜନ୍ମଦିନ ପାଳନ କରାଯାଏ । ୨ହଜାର ବର୍ଷର ଇତିହାସ ଆମ ପାଖରେ ରହିଛି । ତେଣୁ ଏ ନେଇ କିଏ କଣ ମନ୍ତବ୍ୟ ଦେଲେ ସେଥିରେ ଆମର କିଛି ଯାଏଆସେ ନାହିଁ ବୋଲି ଶ୍ରୀ ବୁଦଧର କହିଛନ୍ତି ।

ସୂଚନାଯୋଗ୍ୟ ଯେ ଗତକାଲି କଟକର ଶ୍ରୀରାମଚନ୍ଦ୍ର ଭବନରେ ଫ୍ରି ଥିଙ୍କର୍ସ ପକ୍ଷରୁ ଆୟୋଜିତ ଏକ ଆଲୋଚନାଚକ୍ରରେ ଯୋଗ ଦେଇ ସାଂସଦ ଭର୍ତ୍ତୃହରି ମହତାବ ବଡଦିନରେ ଯୀଶୁ ଜନ୍ମ ହୋଇ ନଥିଲେ ବୋଲି ମତ ରଖିଥିଲେ। ଏହାକୁ ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ ବିରୋଧ କରିବା ସହ ସାଂସଦଙ୍କର ଏଭଳି ମନ୍ତବ୍ୟ ଦଳର କ୍ଷତି କରିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର