ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ : ପାସ ହାର ୭୬.୯୮ ପ୍ରତିଶତ

ଗତବର୍ଷ ତୁଳନାରେ କମିଲା ପାସ ହାର

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ବିଜ୍ଞାନ ବିଭାଗ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ପୂର୍ବାହ୍ନ ୧୧ଟାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ବିଜ୍ଞାନ ବିଭାଗରେ ୯୬,୧୭୫ ଜଣ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୩ ହଜାର ୨୧୧ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅର୍ଥାତ ବିଜ୍ଞାନରେ ପାସ ହାର ୭୬.୯୮ ପ୍ରତିଶତ ରହିଛି। ଛାତ୍ରଛାତ୍ରୀ ‘www.chseodisha.nic.in’ ଓ ‘www.orissaresults.nic.in’ ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ।

ସୂଚନାଯୋଗ୍ୟ ଯେ ଗତ ମାର୍ଚ୍ଚ ୫ରୁ ୨୯ ତାରିଖ ପର୍ଯ୍ୟନ୍ତ ୧୧୦୪ଟି ପରୀକ୍ଷା କେନ୍ଦ୍ରରେ ୩,୬୫,୮୨୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ବିଜ୍ଞାନ ବିଭାଗରେ ୯୬,୧୭୫ ଜଣ ପରୀକ୍ଷା ଦେଇଥିବା ବେଳେ କଳା ବିଭାଗରେ ୨,୩୩,୯୭୮ ଏବଂ ବାଣିଜ୍ୟ ବିଭାଗରେ ୨୭,୪୪୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ୨୦୧୭ ମସିହାରେ ବିଜ୍ଞାନ ବିଭାଗ ପରୀକ୍ଷା ଫଳ ମେ’ ୧୨ରେ ପ୍ରକାଶ ପାଇଥିଲା। ତେବେ ଏଥର ୭ ଦିନ ବିଳମ୍ବରେ ଏହା ପ୍ରକାଶ ପାଇଛି। ଗତବର୍ଷ ପାସ୍‌ହାର ୮୧.୧୧ ପ୍ରତିଶତ ଥିଲା ବେଳେ ଏଥର ପାସ ହାର ୭୬.୯୮ ପ୍ରତିଶତ ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ଶ୍ରେଣୀରେ ମୋଟ ୧୯ ହଜାର ୫୬୧ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୮ ଜଣ ଛାତ୍ର ଓ ୧୩ ଜଣ ଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।

ସେହିପରି ଦ୍ୱିତୀୟ ଶ୍ରେଣୀରେ ୨୪ ହଜାର ୧୬୪ ଜଣ ଓ ତୃତୀୟ ଶ୍ରେଣୀରେ ୨୮ ହଜାର ୯୬୮ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥର ମୋଟ୍‌ ୪୨ ହଜାର ୮୮୬ ଜଣ ଛାତ୍ର ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୩୦ ହଜାର ୩୨୫ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ସମ୍ବନ୍ଧିତ ଖବର