‘ମେକ୍‌ ଇନ୍‌ ଓଡ଼ିଶା’ରୁ ଓହରିଗଲା ସିଆଇଆଇ

ବିକାଶ ବିରୋଧରେ ଷଡ଼ଯନ୍ତ୍ରର ଗନ୍ଧ ବାରିଲା ବିଜେଡି, ବିବାଦରେ ପୂର୍ବାଞ୍ଚଳ ଜୋନ୍‌ ସଭାପତି ଜଗିମଙ୍ଗତ ପଣ୍ଡା

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖ ଯାଏ ହେବାକୁ ଥିବା ‘ମେକ୍‌ ଇନ୍‌ ଓଡ଼ିଶା’ ଦ୍ୱିତୀୟ ସଂସ୍କରଣ ଆୟୋଜନରୁ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଗତ ୪ ତାରିଖ ଦିନ ଅପ୍ରତ୍ୟାଶିତ ଭାବେ ଓହରିଯାଇଛି। ସିଆଇଆଇର ଏଭଳି ନିଷ୍ପତ୍ତିରେ ସରକାର ଚକିତ ହୋଇପଡିଛନ୍ତି। ଯେଉଁ ସଂଘ ସବୁ ପ୍ରସ୍ତୁତି ବୈଠକରେ ସାମିଲ ହେଉଥିଲା ଓ ସହଯୋଗ କରିଆସୁଥିଲା, ହଠାତ୍‌ କ’ଣ ହେଲା ଯେ ସେ ସଂସ୍ଥା ଓହରିଯିବାକୁ ନିଷ୍ପତ୍ତି ନେଲା? କନ୍‌କ୍ଲେଭ୍‌କୁ ଭଣ୍ଡୁର କରିବା ପାଇଁ ଗୋପନରେ ଷଡ଼ଯନ୍ତ୍ର ଚାଲିଥିବା ନେଇ ସନ୍ଦେହ ପ୍ରକାଶ ପାଇଛି।

ଏହି ଘଟଣା ସହିତ ବିଜେଡିରୁ ବିଦା ହୋଇଥିବା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ ତଥା ସିଆଇଆଇ ପୂର୍ବାଞ୍ଚଳ ଜୋନ୍‌ ସଭାପତି ଜଗି ମଙ୍ଗତ ପଣ୍ଡାଙ୍କ ସଂପୃକ୍ତି ନେଇ ଚାଞ୍ଚଲ୍ୟକର ଅଭିଯୋଗ ପଦାକୁ ଆସିଛି। ଶାସକ ବିଜେଡି କହିଛି, ଓଡ଼ିଶାର ଶିଳ୍ପ ବିକାଶର ଗତିରୋଧ କରିବା ପାଇଁ ଶ୍ରୀମତୀ ପଣ୍ଡାଙ୍କ ନେତୃତ୍ୱରେ ଚକ୍ରାନ୍ତ ଚାଲିଛି। କାରଣ ଏହି ପଦରେ ସେ ଯୋଗଦେବାର ମାତ୍ର ୧୮ ଦିନ ପରେ ସିଆଇଆଇ ତାର ଆଭିମୁଖ୍ୟରେ ପରିବର୍ତ୍ତନ କରିଛି ଏବଂ ଏହା ଗ୍ରହଣୀୟ ହେଉନାହିଁ। ଏଥିସହିତ ଭାରତୀୟ ଶିଳ୍ପ ମହାସଂଘର ଏଭଳି ଆଭିମୁଖ୍ୟକୁ ମଧ୍ୟ ବିଜେଡି ନିନ୍ଦା କରିଛି। ଗତ ମାର୍ଚ୍ଚ ୧୭ ତାରିଖରେ ଶ୍ରୀମତୀ ପଣ୍ଡା ସଭାପତି ନିଯୁକ୍ତ ହୋଇଥିଲେ ଓ ଏପ୍ରିଲ ୪ ତାରିଖରେ ହଠାତ୍‌ ସିଆଇଆଇ ଓହରିଯିବା ନେଇ ଶିଳ୍ପ ବିଭାଗକୁ ଜଣାଇଥିଲେ। ତେବେ ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ କହିଛି, ସିଆଇଆଇ ଓହରିଯାଇଥିଲେ ମଧ୍ୟ ନିର୍ଧାରିତ ତାରିଖରେ ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀ ଆୟୋଜନ କରାଯିବ। ‘ମେକ୍‌ ଇନ୍‌ ଓଡ଼ିଶା’ କନ୍‌କ୍ଲେଭ୍‌ ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ପ୍ରତିନିଧିମାନଙ୍କୁ ସାମିଲ କରି ଏକ କମିଟି ଗଠନ କରାଯାଇଛି। ଏହି କମିଟି ସମ୍ମିଳନୀର ପ୍ରସ୍ତୁତି କାର୍ଯ୍ୟ ଜାରି ରଖିଛି। ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥା ଓ ପ୍ରତିଷ୍ଠାନଗୁଡ଼ିକୁ ଆମନ୍ତ୍ରଣ କରାଯାଉଛି। ସେପଟେ ଏହି ପ୍ରସଙ୍ଗରେ ଜଗି ମଙ୍ଗତ ପଣ୍ଡା ସଫେଇ ଦେଇ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ ଅଭିଯୋଗ କରିଛନ୍ତି, ଜଗି ମଙ୍ଗତ୍‌ ପଣ୍ଡା ଦାୟିତ୍ୱ ନେବା ପରେ ସିଆଇଆଇର ଓଡ଼ିଶା ପ୍ରତି ଆଭିମୁଖ୍ୟରେ ଏକ ନକରାତ୍ମକ ପରିବର୍ତ୍ତନ ଆସିଛି। ଓଡ଼ିଶାର ସ୍ୱାର୍ଥ, ଓଡ଼ିଶାବାସୀଙ୍କ ବିକାଶ ଓ ଆଶୀର୍ବାଦର ଲୋକଦେଖାଣିଆ କଥା କହୁଥିବା ଶ୍ରୀମତୀ ପଣ୍ଡାଙ୍କ ସ୍ୱାମୀ ସାଂସଦ ବୈଜୟନ୍ତ ପଣ୍ଡା ଏବେ କେନ୍ଦ୍ର ଶିଳ୍ପ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟି ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି। କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରର କିଛି ଓଡ଼ିଶା ବିରୋଧୀ ନେତାଙ୍କ ସହଯୋଗରେ ସାଂସଦ ଶ୍ରୀ ପଣ୍ଡା ଓ ତାଙ୍କ ପତ୍ନୀ ଓଡ଼ିଶା ବିରୋଧରେ ଏଭଳି ଚକ୍ରାନ୍ତ କରିଛନ୍ତି।

ଏକ ପ୍ରେସ ବିବୃତିରେ ବିଜେଡି କହିଛି, ନବୀନ ପଟ୍ଟନାୟକ ସରକାର କ୍ଷମତାକୁ ଆସିବା ପରେ ହିଁ ଓଡ଼ିଶାରେ ଶିଳ୍ପ ନିମନ୍ତେ ଅନୁକୂଳ ପରିବେଶ ପ୍ରସ୍ତୁତ ହୋଇଛି। ଏହାର ବ୍ୟାବସାୟିକ ଫାଇଦା ସାଂସଦ ଶ୍ରୀ ପଣ୍ଡାଙ୍କ ପରିବାର ନେଇଛି। ଏବେ କିନ୍ତୁ ଓଡ଼ିଶାର ବିକାଶ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତିବନ୍ଧକ ସାଜି ସେମାନେ ହିଁ ଓଡ଼ିଶା ବିରୋଧୀ ଆଭିମୁଖ୍ୟକୁ ପରୋକ୍ଷରେ ପ୍ରମାଣିତ କରାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀ ଆୟୋଜନ କରିବାକୁ ଦିନ ଧାର୍ଯ୍ୟ କରାଯାଇଛି। ଏହି ସମୟରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଥିବା ବାହାନା କରି ସିଆଇଆଇ ସମ୍ମିଳନୀ ଆୟୋଜନରୁ ଓହରି ଯାଇଛି। ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀର ପ୍ରଥମ ସଂସ୍କରଣକୁ ସିଆଇଆଇ ସହଯୋଗରେ ସଫଳତାର ସହ ଆୟୋଜନ କରାଯାଇଥିଲା। ଏଥିରେ ରାଜ୍ୟ ସରକାର ୩ ଲକ୍ଷ ୬୪ ହଜାର କୋଟି ଟଙ୍କାର ୧୨୪ଟି ପୁଞ୍ଜିନିବେଶ ପ୍ରସ୍ତାବ ପାଇଥିଲେ। ସେଥିମଧ୍ୟରୁ ୬୦% ପ୍ରସ୍ତାବର କାର୍ଯ୍ୟକାରୀ ବିଭିନ୍ନ ସ୍ତରରେ ରହିଛି। ସମ୍ମିଳନୀର ଦ୍ୱିତୀୟ ସଂସ୍କରଣକୁ ଆହୁରି ବ୍ୟାପକ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଅଧିକ ବିଦେଶୀ ରାଷ୍ଟ୍ରକୁ ସାମିଲ କରିବାକୁ ପ୍ରୟାସ କରାଯାଉଛି। ନିବେଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସ୍ଥାନରେ ରୋଡ୍‌ ସୋ’ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏତେ ସବୁ ପ୍ରସ୍ତୁତି ହୋଇଯିବା ପରେ ହଠାତ ସିଆଇଆଇ ସମ୍ମିଳନୀରୁ ଓହରିଯାଇଛି। ମେକ ଇନ୍‌ ଓଡ଼ିଶାର ଦ୍ୱିତୀୟ ସଂସ୍କରଣ ପାଇଁ ୨୦୧୭ ଜାନୁଆରି ୧୨ରେ ପ୍ରସ୍ତୁତି ବୈଠକ ବସିଥିଲା। ସେଥିରେ ସିଆଇଆଇ ଅଂଶଗ୍ରହଣ କରିଥିଲା। ୨୦୧୮ ଜାନୁଆରି ୧୭ରେ ମଧ୍ୟ ସିଆଇଆଇର ଦୀପକ କୁମାର ସିଂହ କନ୍‌କ୍ଲେଭ୍‌ର ବଜେଟ୍‌ ଆକଳନ ଦାଖଲ କରିଥିଲେ। ଚଳିତ ବର୍ଷ ଫେବ୍ରୁଆରି ୧୪ରେ ସିଆଇଆଇର ନୀତା କର୍ମାକର ରାଜ୍ୟ ସରକାରଙ୍କୁ ସିଆଇଆଇର ସଂଯୋଜକମାନଙ୍କର ଏକ ତାଲିକା ଦେଇଥିଲେ। ସବୁ ବୈଠକରେ ସାମିଲ ହେବା ଓ ସହଯୋଗ କରିବା ପରେ ହଠାତ ସିଆଇଆଇ ୟୁ-ଟର୍ଣ୍ଣ ନେଇଛି। ତେବେ ଶ୍ରୀମତୀ ପଣ୍ଡା ଏକ ପ୍ରେସ ବିବୃତି ଜରିଆରେ ବିଜେଡି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ସେ ଏବେ ଏବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଓ ରାଜ୍ୟ ସରକାରଙ୍କ ସହିତ ହୋଇଥିବା ଆଲୋଚନାରେ ଆଦୌ ସଂଶ୍ଲିଷ୍ଟ ନଥିଲେ। ସେ ସିଆଇଆଇର ରାଜ୍ୟ କମିଟିର ସଦସ୍ୟ ମଧ୍ୟ ନାହାନ୍ତି। ଓଡ଼ିଶା ସଂପର୍କିତ ସମସ୍ତ ନିଷ୍ପତ୍ତି ଷ୍ଟେଟ୍‌ କାଉନସିଲ୍‌ର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନେଇଥାନ୍ତି। ଅନେକ ବର୍ଷ ଧରି ସିଆଇଆଇର ଓଡ଼ିଶା ବ୍ୟାପାର ସହିତ ତାଙ୍କର କୌଣସି ସଂପର୍କ ନାହିଁ। ସିଆଇଆଇ ରାଜ୍ୟ ଅଫିସ, ସରକାରଙ୍କ ସହିତ ଉତ୍ତମ ସହଯୋଗ ରଖି କାମ କରେ। ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌କୁ ମଧ୍ୟ ସେମାନେ ସଫଳ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର