ସହଯୋଗୀଙ୍କ ଶିଶୁକନ୍ୟାକୁ ଦୁଷ୍କର୍ମ; ସିଆଇଏସ୍‌ଏଫ୍ କନ‌ଷ୍ଟେବଳ ଗିରଫ

ଜଗତସିଂହପୁର : ଆଇଓସିଏଲ୍‌ର ସୁରକ୍ଷା ପାଇଁ ମୁତୟନ କରାଯାଇଥିବା ସିଆଇଏସ୍‌ଏଫ୍‌ର ଜଣେ କାର୍ଯ୍ୟରତ ବରିଷ୍ଠ କନଷ୍ଟେବଳ ଉକ୍ତ ବାରାକ୍‌ରେ ରହୁଥିବା ଆଉ ଜଣେ କନଷ୍ଟେବଳଙ୍କ ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରି ଆଜି ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ଏହି କନଷ୍ଟେବଳ ହେଲେ ଏମ୍. କାଣ୍ତାସ୍ବାମୀ (୪୯)। ସେ ତାମିଲନାଡ଼ୁ ରାଜପାଲାୟମ ବିରୋଧନଗରର ଅଧିବାସୀ। ଏହାକୁ ନେଇ ପାରାଦୀପରେ ଜୋରଦାର ଚର୍ଚ୍ଚା ହୋଇଛି। ବଡ଼ କଥା ହେଲା, ଥରେ ନୁହେଁ, ନାବାଳିକାଟି ସହ କାଣ୍ତାସ୍ବାମୀ ବାରମ୍ବାର ଏମିତି କୁକର୍ମ କରିଛନ୍ତି। ଏହି ଘଟଣା ସମ୍ପର୍କରେ ସରଳ ନିଷ୍ପାପ ଝିଅଟି ବୟାନ ଦେଉଥିବା ସମୟରେ ସେ ଏହା କେତେ ଭଲ କି ଖରାପ ଆଦୌ ଜାଣିପାରୁ ନଥିଲା। ମାତ୍ର ଏହାକୁ ଶୁଣିଲା ପରେ କାଣ୍ତାସ୍ବାମୀଙ୍କ ଚରିତ୍ର ଯେ କେତେ ଘୃଣ୍ୟ ତାହା ପଦାକୁ ଆସିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, କାଣ୍ତାସ୍ବାମୀଙ୍କର ପତ୍ନୀ ତାଙ୍କର ଦୁଇ ଜଣ ପିଲାଙ୍କୁ ପ୍ରତ୍ୟେକ ଦିନ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଆଇଓସିଏଲ ଟାଉନସିପକୁ ନେଇ ଯାଆନ୍ତି। ଏହି ସମୟରେ ଘରେ ଏକୁଟିଆ ରହୁଥିବା କାଣ୍ତାସ୍ବାମୀ ନିଜର ଅସଲ ଖେଳ ଦେଖାନ୍ତି। ସେ ଏହି କୁନି ଝିଅଟିକୁ ଚକଲେଟ ଦେବା ବାହାନାରେ ଘରକୁ ଡାକନ୍ତି। ଏହାପରେ କୁନି ଝିଅଟି ସହ ସେ ଏହିପରି ଘୃଣ୍ୟ କାର୍ଯ୍ୟ କରନ୍ତି। ଏମିତି ବହୁ ଦିନ ଧରି ଏହି କାର୍ଯ୍ୟ ଚାଲୁ ରହିଥିଲା। ଶିଶୁକନ୍ୟାଙ୍କ ମା’ଙ୍କର ଏ ନେଇ ସନ୍ଦେହ ହୋଇଥିଲା। ସେ ଘଟଣା ସମ୍ପର୍କରେ ନିଜ ଝିଅକୁ ପଚାରି ସବୁ ବୁଝିଥିଲେ। ନିଷ୍ପାପ ଝିଅଟି ତାଙ୍କ ସହ ହେଉଥିବା ଅତ୍ୟାଚାର ସମ୍ପର୍କରେ ଗୋଟି ଗୋଟି କରି ମା’ ସାମ୍ନାରେ ବର୍ଣ୍ଣନା କରିଥିଲା। ଏହା ଶୁଣି କୁନି ଝିଅଟିର ମା’ଙ୍କର ମୁଣ୍ତ କାମ କରି ନଥିଲା। ଏ ନେଇ ତାଙ୍କ ପରିବାର ପକ୍ଷରୁ ଆଜି ଅଭୟଚାନ୍ଦପୁର ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ କାଣ୍ତାସ୍ବାମୀଙ୍କୁ ଥାନାକୁ ଆଣି ପଚରାଉଚରା କରିବା ସହ ଗିରଫ କରିଛି। ଏହାପରେ ପୀଡ଼ିତା ଶିଶୁକନ୍ୟାଙ୍କୁ ଜଗତସିଂହପୁର ମୁଖ୍ୟ ହସ୍‌ପିଟାଲକୁ ଡାକ୍ତରୀ ମାଇନା ପାଇଁ ପଠାଯାଇଥିଲା। ଏମିତି କାର୍ଯ୍ୟ କରିଥିବା କାଣ୍ତାସ୍ବାମୀଙ୍କ ବିରୋଧରେ ପୁଲିସ ତୁରନ୍ତ ଚାର୍ଜସିଟ୍ ଦାଖଲ କରିବା ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର