ଜନାର୍ଦ୍ଦନଙ୍କ ଏକଛତ୍ରବାଦ ନୀତିକୁ ନେଇ ସିଟୁରେ ବିଦ୍ରୋ‌ହ

କେନ୍ଦ୍ରୀୟ ନେତୃତ୍ବ ନିକଟରେ ଫେରାଦ, ସିପିଏମ୍‌ ଓ ସିଟୁକୁ ଜନାର୍ଦ୍ଦନ ଦୁର୍ବଳ କରୁଥିବା ଅଭିଯୋଗ

ଭୁବନେଶ୍ବର : ଶ୍ରମିକ ସଂଗଠନ ‘ସେଣ୍ଟର୍‌ ଅଫ୍ ଇଣ୍ଡିଆନ୍ ଟ୍ରେଡ୍‌ ୟୁନିଅନ୍‌’(ସିଟୁ)ର ରାଜ୍ୟ ଶାଖାରେ ବିଦ୍ରୋହ ଦେଖାଦେଇଛି। ବରିଷ୍ଠ ନେତା ଜନାର୍ଦ୍ଦନ ପତିଙ୍କ ଏକଛତ୍ରବାଦ ନୀତିକୁ ନେଇ ଶ୍ରମିକ ନେତା ନବକିଶୋର ମହାନ୍ତି ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଶ୍ରୀ ପତିଙ୍କ ଆପତ୍ତିଜନକ କାର୍ଯ୍ୟକଳାପ ସମ୍ପର୍କରେ କେନ୍ଦ୍ରୀୟ ନେତୃତ୍ବଙ୍କୁ ସେ ଚିଠି ଲେଖି ଅବଗତ କରାଇଛନ୍ତି। ଶ୍ରୀ ପତିଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ରାଜ୍ୟରେ ସିପିଆଇ(ଏମ୍‌) ଓ ସିଟୁ ସଂଗଠନ କିପରି ଦୁର୍ବଳ ହେବାରେ ଲାଗିଛି, ତାହା ଏହି ଚିଠିରେ ଦର୍ଶାଯାଇଛି। ଏହି ପ୍ରସଙ୍ଗ ଏବେ ଶ୍ରମିକ ସଂଗଠନଗୁଡ଼ିକରେ ଚର୍ଚ୍ଚାର ବିଷୟ ପାଲଟିଛି।

YouTube

ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି, ସିଟୁର ରାଜ୍ୟ କମିଟି ଏବେ ଜନାର୍ଦ୍ଦନ ପତିଙ୍କ ନିର୍ଦେଶ କାର୍ଯ୍ୟ କରୁଛି। ସାଧାରଣ ସମ୍ପାଦକ ଓ ଅନ୍ୟ କର୍ମକର୍ତ୍ତାମାନଙ୍କର ମତର କୌଣସି ମୂଲ୍ୟ ରହୁ ନାହିଁ। ଶ୍ରୀ ପତି ଯାହା ନିର୍ଦ୍ଦେଶ ଦେଉଛନ୍ତି, ତାହା ହିଁ କାର୍ଯ୍ୟକାରୀ କରାଯାଉଛି। ସିଟୁରେ ଗଣତାନ୍ତ୍ରିକ ପ୍ରକ୍ରିୟା ଆଦୌ ନାହିଁ। ତାଙ୍କର ଏପରି ଏକଛତ୍ରବାଦ ଆଭିମୁଖ୍ୟ ଓ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଭାବେ ସିଟୁ ସମ୍ବିଧାନର ବିରୋଧୀ। ଶ୍ରୀ ପତିଙ୍କ କାର୍ଯ୍ୟକଳାପ ପାଇଁ ବର୍ତ୍ତମାନ ସିଟୁର ସଦସ୍ୟତା କମି ଚାଲିଛି ଓ ସଂଗଠନର କାର୍ଯ୍ୟକଳାପ ସୀମିତ ହୋଇଯାଇଛି। କୌଣସି କର୍ମକର୍ତ୍ତା ଶ୍ରୀ ପତିଙ୍କ ନିର୍ଦ୍ଦେଶକୁ ପ୍ରତିବାଦ କରୁ ନାହାନ୍ତି।

ଶ୍ରୀ ପତି ସିପିଆଇ(ଏମ୍‌)ର ସାଧାରଣ ସମ୍ପାଦକ ଭାବେ ଦୀର୍ଘ ବର୍ଷ କାର୍ଯ୍ୟ କରିଥିଲେ। ତାଙ୍କରି ଏପରି ଏକଛତ୍ରବାଦୀ କାର୍ଯ୍ୟକଳାପ ଯୋଗୁ ଦଳ ଦୁର୍ବଳ ହୋଇଯାଇଛି ଓ କେବଳ ଏକ କଙ୍କାଳ ସଦୃଶ ଅବସ୍ଥାକୁ ଆସିଯାଇଛି। ବିଭିନ୍ନ ଗଣ ସଂଗଠନର ମିଥ୍ୟା ସଦସ୍ୟତା ଦେଖାଯାଉଛି। ରାଜ୍ୟରେ କୌଣସି ଗଣ ଆନ୍ଦୋଳନ କରାଯାଉନି। ଯଦିଓ ଏବେ ଅଳିକିଶୋର ପଟ୍ଟନାୟକ ସିପିଆଇ(ଏମ୍‌)ର ରାଜ୍ୟ ସାଧାରଣ ସମ୍ପାଦକ ଅଛନ୍ତି, କିନ୍ତୁ ଶ୍ରୀ ପତିଙ୍କ ଏକଛତ୍ରବାଦୀ ନୀତି ଏବେ ବି ଚାଲୁ ରହିଛି। କେହି ଏହାର ପ୍ରତିବାଦ କରୁ ନାହାନ୍ତି। ଶ୍ରୀ ପଟ୍ଟନାୟକ ବ୍ରହ୍ମପୁରରେ ରହୁଛନ୍ତି ଓ ଶ୍ରୀ ପତି ସାଧାରଣ ସମ୍ପାଦକ ପରି ହିଁ କାର୍ଯ୍ୟ କରୁଛନ୍ତି।

ସିଟୁ ସଂଗଠନ ଆଉ ୩୦ଟି ଜିଲ୍ଲା ଓ ଶିଳ୍ପାଞ୍ଚଳରେ କାମ କରୁ ନାହିଁ। ଖଣି ମାଲିକ, ଠିକାଦାର, ଶିଳ୍ପପତି ଓ ପରିବହନ କମ୍ପାନି ମାଲିକମାନଙ୍କଠାରୁ ମୋଟା ଅଙ୍କର ଆଦାୟ କରାଯାଇ ମିଛ ସଦସ୍ୟତା ଦେୟ ଦାଖଲ କରାଯାଉଛି। ସିଟୁରେ ଅଙ୍ଗନବାଡ଼ି, ଆଶା, ମଧ୍ୟାହ୍ନ ଭୋଜନ କର୍ମଚାରୀଙ୍କ ସଦସ୍ୟତା ବହୁତ କମ୍। କିନ୍ତୁ ତାହାକୁ ଅଧିକ କରି ଦେଖାଯାଉଛି। ୭୦ ପ୍ରତିଶତ ସଂଘ ସେମାନଙ୍କ ବାର୍ଷିକ ସମ୍ମିଳନୀ କରୁ ନାହାନ୍ତି। ପ୍ରାୟ ସବୁ ଜିଲ୍ଲାରେ ସିଟୁରେ ଗୋଷ୍ଠୀବିବାଦ ଦେଖାଦେଇଛି। ସିଟୁ କର୍ମକର୍ତ୍ତାମାନେ ନିଜ ନିଜ ଭିତରେ ଲଢ଼େଇ କରୁଛନ୍ତି। ଏହା ଦ୍ବାରା ସିଟୁ ବଦନା‌ମ ହେଉଛି ବୋଲି ଶ୍ରୀ ମହାନ୍ତି ତାଙ୍କ ଚିଠିରେ ଦର୍ଶାଇଛନ୍ତି। ଏହା ବାଦ୍ ଓୟୁଏଟି କର୍ମଚାରୀ ସଂଘର ସଭାପତି ଥିବା ଶ୍ରୀ ମହାନ୍ତିଙ୍କୁ ହଟାଇ ଅତ୍ୟନ୍ତ ଅନୈତିକ ଉପାୟରେ ଜନାର୍ଦ୍ଦନ ପତି ସଭାପତି ହୋଇଥିବା‌ ନେଇ ମଧ୍ୟ ସେ ଆରୋପ ଲଗାଇଛନ୍ତି।

ସମ୍ବନ୍ଧିତ ଖବର