ପୂର୍ତ୍ତ ବିଭାଗରେ ବିଚିତ୍ର ସ୍ଥିତି : ସିଭିଲ୍‌ ଯନ୍ତ୍ରୀ କରୁଛନ୍ତି ବିଦ୍ୟୁତ୍‌ ରକ୍ଷଣାବେକ୍ଷଣ

ଆର ଆଣ୍ଡ୍‌ ବି-ଜିଇଡି ମିଶ୍ରଣ ପରେ ବିଭ୍ରାଟ, ହାଇକୋର୍ଟରେ ମାମଲା

କଟକ: ସିଭିଲ ଯନ୍ତ୍ରୀ ସମ୍ଭାଳୁଛନ୍ତି ବିଦ୍ୟୁତ ରକ୍ଷଣାବେକ୍ଷଣ ଦାୟିତ୍ୱ। ରାଜ୍ୟରେ ଆୟୋଜିତ ହେଉଥିବା ପ୍ରଧାନମନ୍ତ୍ରୀଙ୍କ ସଭା କାର୍ଯ୍ୟ ହେଉ ଅଥବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ, ସବୁଠି ବିଦ୍ୟୁତ ପରିଚାଳନା କାର୍ଯ୍ୟ ସମ୍ଭାଳୁଛନ୍ତି ସିଭିଲ୍‌ ଯନ୍ତ୍ରୀ। ଏଭଳି ବିଚିତ୍ର ଆଉ ସାଂଘାତିକ ସ୍ଥିତି କିଛି ବର୍ଷ ହେଲା ଲାଗି ରହିଥିଲେ ବି ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ପୂର୍ତ୍ତ ବିଭାଗ ଏଥିପ୍ରତି ବେଫିକର। ଜିଇଡି ଓ ଆର ଆଣ୍ଡ୍‌ ବି ବିଭାଗର ମିଶ୍ରଣ ପରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ ରାଜ୍ୟର ବିଭିନ୍ନ ସରକାରୀ କୋଠାବାଡିଗୁଡିକର ବିଦ୍ୟୁତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ୧୯୪୬ରେ ଆରମ୍ଭ ହୋଇଥିଲା ଓଡିଶା ଇଲେକ୍ଟି୍ରକ ଡିପାର୍ଟମେଣ୍ଟ (ଓଇଡି)। ଶକ୍ତି ବିଭାଗ ଅଧୀନରେ ଥିବା ଓଇଡିର ପ୍ରଥମେ ଦୁଇଟି ଡିଭିଜନ (କଟକ, ଭୁବନେଶ୍ୱର) କାର୍ଯ୍ୟ ଆରମ୍ଭ କରିଥିଲା । ୧୯୪୮ରେ ଓଇଡି ନାମ ବଦଳାଇ ଜେନେରାଲ ଇଲେକ୍ଟି୍ରକ ଡିପାର୍ଟମେଣ୍ଟ (ଜିଇଡି) ରଖାଯିବା ସହ ଏହାକୁ ପୂର୍ତ୍ତ (ଓ୍ଵାର୍କସ୍‌) ବିଭାଗ ଅଧୀନରେ ରଖାଗଲା। ପରବର୍ତ୍ତୀ ସମୟରେ ଜିଇଡିର ଚାରିଟି ଡିଭିଜନ ଗଠିତ ହୋଇଥିଲା। କିନ୍ତୁ ଗତବର୍ଷ ନଭେମ୍ବର ୧୪ ତାରିଖରେ ରାଜ୍ୟସରକାର ଜିଇଡିକୁ ରାସ୍ତା ଓ ଗୃହ ନିର୍ମାଣ (ଆର୍‌ ଆଣ୍ଡ୍‌ ବି) ବିଭାଗରେ ମିଶ୍ରଣ କରାଇଦେଲେ। କିନ୍ତୁ ମିଶ୍ରଣ ପରେ ଏହି ବିଭାଗରେ ଏକାଧିକ ବରିଷ୍ଠ ବିଦ୍ୟୁତ ଯନ୍ତ୍ରୀ ପଦବି ସହ ଶତାଧିକ ଅନ୍ୟାନ୍ୟ ପଦବି ଖାଲି ପଡିଛି। ଅନ୍ୟପଟେ ଜିଇଡିର ଚାରିଟି ଡିଭିଜନର ବିଦ୍ୟୁତ ନିର୍ବାହୀଯନ୍ତ୍ରୀଙ୍କୁ ଅପସାରିତ କରାଯାଇ ପୂର୍ତ୍ତବିଭାଗର ନିର୍ବାହୀ ଯନ୍ତ୍ରୀ (ସିଭିଲ୍‌)ଙ୍କ ହାତରେ ବିଦ୍ୟୁତ ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇଛି।

ଏଭଳି ସ୍ଥିତିରେ ଏବେ ହାତଗଣତି କେତେଜଣ କନିଷ୍ଠଯନ୍ତ୍ରୀ (ଇଲେକ୍ଟି୍ରକାଲ୍‌)ଙ୍କୁ ନେଇ ପୂର୍ତ୍ତବିଭାଗ କାମ ଚଳାଉଛି । ଏପରିକି ସ୍ଥଳ ବିଶେଷରେ କେତେକ ଅନଭିଜ୍ଞ ତଥା ଠିକା କର୍ମଚାରୀ ବିଭିନ୍ନ ସରକାରୀ କୋଠାବାଡିରେ ଲିଫ୍ଟ ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଯାଞ୍ଚ ଓ ରକ୍ଷଣାବେକ୍ଷଣ କରୁଥିବା ଅଭିଯୋଗ ହୋଇଛି । ଜିଇଡି ପ୍ରତିଷ୍ଠା ହେବା ଦିନଠାରୁ ୭୫୬ଟି ମଞ୍ଜୁରୀପ୍ରାପ୍ତ ପଦବିରେ କର୍ମଚାରୀଙ୍କୁ ନିଯୁକ୍ତି ମିଳିଥିଲା । କିନ୍ତୁ ଏବେ ସେହି ପଦବିରୁ ୪୮୦ଟି ପଦବି ଖାଲିପଡିଛି । ୧୯୯୩ ମସିହାରୁ ବିଭାଗରେ ୧୬୬ଜଣ ଅସ୍ଥାୟୀ କର୍ମଚାରୀ କାର୍ଯ୍ୟ କରିଆସୁଛନ୍ତି। ଜିଇଡିରେ ଆବଶ୍ୟକତା ଅନୁଯାୟୀ ୨୦୦୨ରେ ଅଧିକ ୨୫୫୯ଟି ପଦବି ପୂରଣ ପାଇଁ ସର୍ଭେ ରିପୋର୍ଟ ପ୍ରସ୍ତୁତ ହୋଇଥିଲା । ମାତ୍ର ତାହା ଫାଇଲ୍‌ ଭିତରେ ରହିଗଲା। ସେହିପରି ମିଶ୍ରଣ ପରେ ଜିଇଡିର ପ୍ରତ୍ୟେକ ଡିଭିଜନ ଅଧୀନରେ ୫ଟି ସବଡିଭିଜନ ପ୍ରତିଷ୍ଠା ହୋଇଥିବାବେଳେ ପ୍ରତ୍ୟେକ ସବଡିଭିଜନ ଅଧୀନରେ ୫ଟି ସେକ୍ସନ ରହିଛି। କିନ୍ତୁ ସେଠି ସର୍ବନିମ୍ନ ଆବଶ୍ୟକତା ଅନୁଯାୟୀ କର୍ମଚାରୀ ନଥିବାରୁ କାମ ଠିକ ଢଙ୍ଗରେ ହୋଇପାରୁ ନାହିଁ। କର୍ମଚାରୀମାନେ ବି ନିୟମିତ ଦରମା ପାଉ ନଥିବା ଅଭିଯୋଗ ହେଉଛି। ବିଭାଗ ଅଧୀନରେ କାମ କରିଥିବା ଠିକାଦାରମାନଙ୍କୁ ବର୍ଷେରୁ ଅଧିକ ହେବ ବିଲ ମଂଜୁର କରାଯାଉ ନଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିକୁ ନେଇ ଓଡିଶା ଇଲେକ୍ଟି୍ରକ ଓ୍ଵାର୍କର୍ସ ୟୁନିୟନ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି। କିନ୍ତୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ଯେଉଁଭଳି କାମଚଳା ଢଙ୍ଗରେ ପରିଚାଳନା କରାଯାଉଛି, ସେଥିରେ ଯଦି କୌଣସି ଅଘଟଣ ଘଟେ ତେବେ କିଏ ଦାୟୀ ହେବ ବୋଲି ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର