ଉଚ୍ଚଶିକ୍ଷା ବିଭାଗର ସ୍ପଷ୍ଟୀକରଣ

ଭୁବନେଶ୍ୱର: ‘ସମ୍ବାଦ’ର ଅକ୍ଟୋବର ୯ ତାରିଖ ସଂସ୍କରଣରେ ପ୍ରକାଶିତ ‘ବିଦ୍ୟାର୍ଥୀ ମୁଣ୍ଡାଇବେ ବିଶ୍ୱ ବ୍ୟାଙ୍କ ଋଣ ବୋଝ’ ଶୀର୍ଷକ ଖବର ସଂକ୍ରାନ୍ତରେ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି। ଏଥିରେ ପ୍ରକାଶିତ ଖବରକୁ ‘କପୋଳକଳ୍ପିତ ଓ ବିଭ୍ରାନ୍ତକାରୀ’ ବୋଲି ଦର୍ଶାଯାଇଛି।
ଉଚ୍ଚଶିକ୍ଷା ବିଭାଗ ଦର୍ଶାଇଛି ଯେ ବିଶ୍ୱବ୍ୟାଙ୍କ ଋଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୭୦ଟି ମହାବିଦ୍ୟାଳୟ ଓ ୬ଟି ବିଶ୍ୱବିଦ୍ୟାଳୟକୁ ବିଶେଷଜ୍ଞ କମିଟି ଦ୍ୱାରା ଯାଞ୍ଚ କରାଯାଇ ଚୟନ କରାଯାଇଛି। ତେଣୁ ବର୍ତମାନ ଅବସ୍ଥାରେ ଏଥିରେ ପରିବର୍ତନ ହେବାର ପ୍ରଶ୍ନ ଉଠୁନାହିଁ। ଉଚ୍ଚଶିକ୍ଷାର ବିକାଶ ପାଇଁ ୧୦୭୧ କୋଟି ଟଙ୍କାର ସହାୟତାର ୭୦ ଭାଗ ବିଶ୍ୱବ୍ୟାଙ୍କ ଓ ୩୦ ଭାଗ ରାଜ୍ୟ ସରକାର ବହନ କରିବେ। ଏଥିପାଇଁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଏହାର ସୁଧ ଓ ମୂଳ ପରିଶୋଧର ବୋଝ ବିଦ୍ୟାର୍ଥୀ ଉପରେ ପଡିବା ସତ୍ୟ ନୁହେଁ। ରାଜ୍ୟ ସରକାର ଋଣ ପରିଶୋଧର ଦାୟିତ୍ୱ ନେବେ।
ସରକାରଙ୍କ ଯୁକ୍ତି ହେଉଛି, ଓଡ଼ିଶା ଏଜୁକେସନ ଆକ୍ଟ, ୧୯୬୯ ଅନୁସାରେ, ଯେଉଁ ବେସରକାରୀ ସଂସ୍ଥା ନିର୍ଦିଷ୍ଟ ଆବେଦନ ପତ୍ରରେ ନିଜର ଅର୍ଥନୈତିକ ସ୍ୱାବଲମ୍ବିତା ଉପରେ ପ୍ରତିଶ୍ରୁତି ଦିଅନ୍ତି, ସରକାର ସେମାନଙ୍କୁ ମହାବିଦ୍ୟାଳୟ ଖୋଲିବା ପାଇଁ ଅନୁମତି ଦେଇଥାନ୍ତି। ଗତ ୧୦ବର୍ଷର ଖର୍ଚ୍ଚକୁ ଅନୁଧ୍ୟାନ କଲେ ଜଣାପଡେ ଯେ ମହାବିଦ୍ୟାଳୟମାନଙ୍କ ପରିଚାଳନା ଖର୍ଚ୍ଚ, ବିଦ୍ୟୁତ ଖର୍ଚ୍ଚ, ଯନ୍ତ୍ରପାତି ଓ ପାଠାଗାରର ପାଠ୍ୟପୁସ୍ତକ କ୍ରୟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚର ବୃଦ୍ଧି ଘଟିଛି। ତେଣୁ ବିଶ୍ୱବ୍ୟାଙ୍କର ଅନୁଦାନ ନ ଥାଇ ମଧ୍ୟ ସେମାନେ ଏହି ଖର୍ଚ୍ଚକୁ ଭରଣା ପାଇଁ ଫି ବୃଦ୍ଧି କରିଥାନ୍ତି। ବିଶ୍ୱବ୍ୟାଙ୍କରୁ ଋଣ ଆଣିବା ଯୋଗୁଁ ସେମାନେ ଫି କରିବେ, ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ।
ଉଚ୍ଚଶିକ୍ଷା ବିଭାଗ କହିଛି, ଏହି ପ୍ରକଳ୍ପଟି ସମ୍ପୂର୍ଣ୍ଣ ଭାବେ ଶିକ୍ଷାନୁଷ୍ଠାନମାନଙ୍କ ଦ୍ୱାରା ପ୍ରଦତ୍ତ ପ୍ରତିଷ୍ଠାନ ବିକାଶ ଯୋଜନା ଅନୁସାରେ ପରିଚାଳନା କରାଯିବ। ଗତ ସେପ୍‌ଟେମ୍ବର ୧୨ ତାରିଖରେ ଅନୁଷ୍ଠିତ ଷ୍ଟିଅରିଂ କମିଟି ବୈଠକରେ ଗୃହୀତ ନିଷ୍ପତ୍ତିର ପ୍ରସ୍ତାବ ୧୦ ଓ ୧୧ ଏହି ବିଶ୍ୱବ୍ୟାଙ୍କ ପ୍ରକଳ୍ପର ଏକ କ୍ଷୁଦ୍ର ଅଂଶ। ଏଠାରେ ସରକାର ସ୍ପଷ୍ଟ କରିବାକୁ ଚାହାନ୍ତି ଯେ ଆଗାମୀ ବର୍ଷରେ ଅଧ୍ୟାପକ ନିଯୁକ୍ତି ଓପିଏସ୍‌ସି ଓ ଏସ୍‌ଏସ୍‌ବି ଦ୍ୱାରା ପୂର୍ବ ବର୍ଷ ପରି ସରକାର ଚାଲୁ ରଖିବେ। ଏହାବ୍ୟତୀତ ବେସରକାରୀ ମହିବିଦ୍ୟାଳୟମାନଙ୍କରେ ଚୁକ୍ତିଭିତ୍ତିକ ନିଯୁକ୍ତି ମଧ୍ୟ ଦରକାର ଅନୁଯାୟୀ ହେବ।

 

ସମ୍ବନ୍ଧିତ ଖବର