୧୫ଶହ ଟଙ୍କା ଲାଞ୍ଚ ନେଇ କିରାଣି ଗିରଫ

କେନ୍ଦ୍ରାପଡ଼ା: ୧୫ଶହ ଟଙ୍କା ଲାଞ୍ଚ ନେଇ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣି ତଥା କର୍ମଚାରୀ ସଂଘ ସଭାପତି ଶୁଭେନ୍ଦୁ ତ୍ରିପାଠୀ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଶ୍ରୀ ତ୍ରିପାଠୀ ଏକ କ୍ଲବ୍‌ର ପଞ୍ଜୀକରଣ ପାଇଁ ଲାଞ୍ଚ ଆକାରରେ ଏହି ଟଙ୍କା ନେଉଥିଲେ। ଡେରାବିଶ୍‌ ବ୍ଲକ୍‌ କୁଶିଆପାଳ ହଳଦିଆ ଗ୍ରାମର ଆଦର୍ଶ ସ୍ୱରୋଜଗାର ଗ୍ରାମୀଣ ମଣ୍ଡଳ ନାମରେ ଏହି କ୍ଲବ୍‌ ଗଠନ କରାଯାଇଛି। ଏହାର ପଞ୍ଜୀକରଣ ପାଇଁ ଶ୍ରୀ ତ୍ରିପାଠୀ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏଥିପାଇଁ କ୍ଲବ୍‌ର ସମ୍ପାଦକ ନାରାୟଣ ବାରିକଙ୍କୁ ବାରମ୍ବାର ଦୌଡ଼ିବାକୁ ପଡ଼ୁଥିଲା। ଶେଷରେ ବାଧ୍ୟହୋଇ ନାରୟଣ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଆଜି ପୂର୍ବ ଯୋଜନା ମୁତାବକ ନାରାୟଣ ଶ୍ରୀ ତ୍ରିପାଠୀଙ୍କୁ ଭେଟି ୧୫ଟି ଶହେ ଟଙ୍କିଆ ନୋଟ୍‌ ଦେଇଥିଲେ। ଶ୍ରୀ ତ୍ରିପାଠୀ ନିଜେ ଟଙ୍କା ନରଖି ଡ୍ର’ରେ ରଖିବା ପାଇଁ ନାରାୟଣଙ୍କୁ କହିଥିଲେ। ଟଙ୍କା ରଖି ନାରାୟଣ ଫେରି ଆସିବା ପରେ ଭିଜିଲାନ୍ସ ବିଭାଗ ଡିଏସ୍‌ପି ସୁରେନ୍ଦ୍ରନାଥ ରାଇଗୁରୁ ଓ ଇନ୍ସପେକ୍ଟର ବିଜୟ କୁମାର ସେଠୀଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢ଼ାଉ କରିଥିଲା। ଭିଜିଲାନ୍‌ସ ବିଭାଗ କେସ୍‌ ନଂ ୩/୨୦୧୮ରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୩(୨), ଆର୍‌/ଡବ୍ଲ୍ୟୁ ୧୩(୧)(ଘ), ୭ ଦୁର୍ନୀତି ନିବାରଣ ଆଇନ୍‌ରେ ଏକ ମାମଲା ରୁଜୁ କରାଯାଇ ଶ୍ରୀ ତ୍ରିପାଠୀଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ସମୟରେ ଜିଲ୍ଲାପାଳ କିମ୍ବା ଅତିରିକ୍ତ ଜିଲ୍ଲାପାଳ କେହି କାର୍ଯ୍ୟାଳୟରେ ନଥିଲେ। ଘଟଣା ଆଜି କେନ୍ଦ୍ରାପଡା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର