କନ୍ଧମାଳରେ ଲଜ୍ଜା : ଦଶମ ଶ୍ରେଣୀ ଛାତ୍ରୀ ୬ ମାସର ଗର୍ଭବତୀ

୨୦ ଦିନରେ ୮ମ ଘଟଣା

ଦାରିଙ୍ଗବାଡ଼ି : କନ୍ଧମାଳରେ ପିଛା ଛାଡୁନି ଲଜ୍ଜା। ସମ୍ପର୍କୀୟ ଭାଇଙ୍କ ଦ୍ବାରା ଦଶମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକା ଗର୍ଭବତୀ ହେବ‌ା ଘଟଣା ଯୋଗୁଁ ପୁଣି ଜିଲ୍ଲାକୁ ଆଉ ଥରେ ସାଧାରଣରେ ନିନ୍ଦିତ ହେବାକୁ ପଡିଛି। ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ନାବାଳିକା ଦୁଷ୍କର୍ମର ଶିକାର ହେଉଥିବା ‌ବେଳେ ଗତ ୨୦ ଦିନ ଏହା ୮ମ ଘଟଣା। ନାବାଳିକାର ବାପା ବ୍ରାହ୍ମଣୀଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ କେସ ନଂ ୮/୧୯ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ଜୟଚନ୍ଦ୍ର ମଲିକ ସୂଚନା ଦେଇଛନ୍ତି।

ପରିବାର ପକ୍ଷରୁ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କଟିଙ୍ଗା ପଂଚାୟତର ଜଣେ ୧୫ବର୍ଷୀୟା ନାବାଳିକା ଦୂର ସମ୍ପର୍କୀୟ ଭାଇ ଦ୍ୱାରା ୬ ମାସର ଗର୍ଭବତୀ ହୋଇଛି।  ନାବାଳିକା ଜଣକ ଝାରସୁଗୁଡ଼ାର ଏକ  ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡ଼ିଛି। ସେ ଦଶହରା ଛୁଟିରେ ଗ୍ରାମକୁ ଆସି ଆଉ ବିଦ୍ୟାଳୟକୁ ଫେରି ନଥିଲା। ସେହିଦିନ ଠାରୁ ନାବାଳିକା ଜଣକ ଘରେ ଥିବା ବେଳେ କ୍ରମେ ଅସୁସ୍ଥ ହୋଇ ପଡ଼ିଥିଲା। ଏଥିପାଇଁ ବାପା ଆଜି ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ନେଇଥିଲେ। ଡାକ୍ତର ପରୀକ୍ଷା କରି ସେ ୬ ମାସର ଗର୍ଭବତୀ ଥିବା ଜଣା ପଡ଼ିଥିଲା।

ଦାରିଙ୍ଗବାଡି ସେବାଶ୍ରମରେ କୁମାରୀ ମାତୃତ୍ୱ ଘଟଣା ପର ଠାରୁ ଜିଲ୍ଲାରେ  ଗୋଟିଏ ପରେ ଗୋଟିଏ ନାବାଳିକା ଛାତ୍ରୀ ଦୁଷ୍କର୍ମ ମାମଲା ପଦାକୁ ଆସୁଛି। ଘୁ.ଉଦୟଗିରି ଥାନା ଅଞ୍ଚଳରେ ନାବାଳିକାର ଗର୍ଭନଷ୍ଟ, ଅଶ୍ଳୀଳ ଭିଡ଼ିଓ ଭାଇରଲ, ତୁମୁଡିବନ୍ଧରେ ନାବାଳିକାକୁ ଘରୁ ଉଠାଇ ନେଇ ଦୁଷ୍କର୍ମ, ବେଲଘର ଥାନା ଅଂଚଳରେ ନାବାଳିକାକୁ ଗର୍ଭ ନଷ୍ଟ ଉଦ୍ୟମ ଓ ତାକୁ ଗୁରୁତର ଅବସ୍ଥାରେ ମେଡିକାଲ ଭର୍ତ୍ତି କରାଯିବା, ବେଲଘର ଥାନା ମୁଣ୍ଡିଗଡ଼ ପଞ୍ଚାୟତର ସପ୍ତମ ଶ୍ରେଣୀ ଛାତ୍ରୀକୁ ବାରମ୍ବାର ଦୁଷ୍କର୍ମ ଭଳି ଲଜ୍ଜାକର ଘଟଣା ପଦାକୁ ଆସିଥିଲା।

ସମ୍ବନ୍ଧିତ ଖବର