କୋରାପୁଟ ପରେ ମାଲକାନଗିରି, ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ମାଲକାନଗିରି/ନବରଂଗପୁର : ପୁଣି ଜଣେ ସେବାଶ୍ରମ ଛାତ୍ରୀ ହୋଇଛନ୍ତି ଗର୍ଭବତୀ। ଏଥର ମାଲକାନଗିରି ଜିଲ୍ଲାର ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ସୂଚନା ମିଳିଛି। ତେବେ ଛାତ୍ରୀ ଜଣକ ନବରଙ୍ଗପୁର ଜିଲ୍ଲା ତାରାଗାଁ ଅଞ୍ଚଳର ଗୋଟିଏ ସେବାଶ୍ରମରେ ପାଠ ପଢ଼ୁଛନ୍ତି। ତେବେ ‌ସେବାଶ୍ରମ ହଷ୍ଟେଲରେ ରହିବା ମଧ୍ୟରେ ନା ଛୁଟିରେ ଘରକୁ ଯାଇ ନବାଳିକା ଜଣକ ଗର୍ଭବତୀ ହୋଇଛନ୍ତି, ତାହା ସ୍ପଷ୍ଟ ହୋଇପାରି ନାହିଁ। ସିଡବ୍ଲୁସି ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାର ଜଣେ ଛାତ୍ରୀ ନବରଙ୍ଗପୁର ଜିଲ୍ଲା ତାରାଗାଁ ଅଞ୍ଚଳର ଗୋଟିଏ ସେବାଶ୍ରମ ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି। ଖରା ଛୁଟିଠାରୁ ଗତ ମାସ ସୁଦ୍ଧା ନବମ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ରୀ ଜଣକ ଦୁଇରୁ ଅଧିକ ଥର ଘରକୁ ବିଭିନ୍ନ କାରଣରୁ ଯାଇଛନ୍ତି। ଏପରିକି ଗତ ମାସରେ ବି ମଧ୍ୟ କିଛି ଦିନ ପାଇଁ ସେ ଦରଖାସ୍ତ ଦେଇ ଘରକୁ ଯାଇଥିଲେ। ଘରୁ ଫେରିବା ପରେ ହଷ୍ଟେଲରେ ହୋଇଥିବା ସ୍ବାସ୍ଥ୍ୟ ପରୀକ୍ଷାରୁ ଛାତ୍ରୀ ଜଣକ ଗର୍ଭବତୀ ହୋଇଥିବା ଜଣାପଡ଼ିଥିଲା। ଏ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଅବଗତ ହେବାପରେ ପରିବାର ଲୋକଙ୍କୁ ଡକାଇ ଆଲୋଚନା କରିଥିଲେ। ଏହାପରେ ଛାତ୍ରୀଙ୍କୁ ପରିବାର ଲୋକଙ୍କ ଜିମାରେ ଛାଡ଼ିଥିଲେ।

କୌଣସି ସୂତ୍ରରୁ ଛାତ୍ରୀ ଗର୍ଭବତୀ ହେବା ସଂପର୍କରେ ସିଵାଇଏସଡି କର୍ମକର୍ତ୍ତା ଜାଣିବା ପରେ ଛାତ୍ରୀଙ୍କୁ ଆଜି ସିଡବ୍ଲୁସି ନିକଟରେ ହାଜର କରିଥିଲେ। କେମିତି ଗର୍ଭବତୀ ହେଲେ ସେନେଇ ବାରମ୍ବାର ପଚାରିବା ସତ୍ତ୍ବେ ଛାତ୍ରୀ ଜଣକ ମୁହଁ ଖୋଲି ନଥିଲେ। ସେ ତଦନ୍ତରେ ଆଦୌ ସହଯୋଗ କରି ନଥିବା ସିଡବ୍ଲୁସି ଅଧ୍ୟକ୍ଷ ଅଶୋକ କୁମାର ପଟ୍ଟନାୟକ କହିଛନ୍ତି। ମାନସିକ ଚାପରେ ରହିଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ସଖୀ କେନ୍ଦ୍ରକୁ ପଠାଇ ଦିଆଯାଇଛି। ୫ଦିନ ପାଇଁ ନାବାଳିକା ସେଠାରେ ରହିବ ଏବଂ ଡାକ୍ତରୀ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ଏହି ସମୟରେ ଆଇନ ଅନୁଯାୟୀ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସୂଚନାଯୋଗ୍ୟ, ଉପରୋକ୍ତ ଘଟଣା ପୂର୍ବରୁ ଚଳିତ ମାସରେ ହିଁ କୋରାପୁଟ ଜିଲ୍ଲାର ଦୁଇ ଜଣ ସେବାଶ୍ରମ ଛାତ୍ରୀ ଗର୍ଭବତୀ ହେବା ଘଟଣା ସାମ୍ନାକୁ ଆସିଥିଲା। ଉଭୟ ଘଟଣାରେ ଅଭିଯୁକ୍ତମାନେ ଗିରଫ ହୋଇ ସାରିଛନ୍ତି। ଏହାପରେ ସେବାଶ୍ରମଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା। ଏବେ ପୁଣି ପଡ଼ୋଶୀ ଜିଲ୍ଲାର ଜଣେ ଛାତ୍ରୀ ଗର୍ଭବତୀ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର