ଶୀତକୁ ରୋକିଛି ମେଘ

ଭୁବନେଶ୍ୱର : କାର୍ତ୍ତିକ ମାସ ସରିବାକୁ ବସିଲାଣି। ହେଲେ ଶୀତର ଦେଖାନାହିଁ। ଦିନରେ ଟାଣ ଖରା ହେଉଛି। କିଛି ସ୍ଥାନରେ ମେଘୁଆ ପାଗ ରହୁଛି। ଏହା ଫଳରେ ଶୀତ ଅନୁଭୂତ ହେଉନାହିଁ। ଆଗାମୀ ୨୯ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ରହିବ। ୨୮ ତାରିଖ ବେଳକୁ ବାୟୁମଣ୍ଡଳରେ ଥିବା ଟ୍ରଫ୍‌ ଲାଇନ ତଳକୁ ଖସିଲେ କିଛି ସ୍ଥାନରେ ବର୍ଷା ହେବ। ଏହା ପରେ ନଭେମ୍ବର ପହିଲା ବେଳକୁ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଅନୁଭୂତ ହେବ। ଉପକୂଳ, ଦକ୍ଷିଣରେ ଶୀତ ପଡ଼ିବା ଆଉ ଟିକେ ବିଳମ୍ବ ହୋଇପାରେ।

ଏଭଳି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ବର୍ତମାନ ଦିନର ସର୍ବୋଚ୍ଚ ତାପମାତ୍ରା ୨୮ରୁ ୩୪ ଡିଗ୍ରି ମଧ୍ୟରେ ରହୁଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୭ରୁ ୨୫ ଡିଗ୍ରି ମଧ୍ୟରେ ରହୁଛି। ଆଜି ସନ୍ଧ୍ୟା ସୁଦ୍ଧା ବାରିପଦାରେ ସାମାନ୍ୟ ବର୍ଷା ହୋଇଛି। ଉତ୍ତର ପଶ୍ଚିମ ଦିଗରୁ ସାମାନ୍ୟ ଥଣ୍ଡା ପବନ ବହିବାର ସମ୍ଭାବନା ଥିବାରୁ ଆସନ୍ତାକାଲି ଦିନର ତାପମାତ୍ରା ୧ ଡିଗ୍ରି ଯାଏଁ କମିପାରେ ବୋଲି କହିଛି ପାଣିପାଗ କେନ୍ଦ୍ର।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ସମଗ୍ର ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଇଛି। ଆସନ୍ତାକାଲିଠାରୁ ଦକ୍ଷିଣ ଭାରତରେ ଉତ୍ତର ପୂର୍ବ ମୌସୁମୀ ବାୟୁ ପ୍ରବାହିତ ହେବ। ଆଜି ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ତେବେ ଓଡ଼ିଶା ଉପରେ ଏହାର ପ୍ରତ୍ୟକ୍ଷ ପ୍ରଭାବ ନାହିଁ।

ସମ୍ବନ୍ଧିତ ଖବର