ସରିଲା ଧର୍ମଘଟ: ଆଂଶିକ ପ୍ରଭାବ ପଡ଼ିଲା ଯାତ୍ରୀ ପରିବହନ ବ୍ୟବସ୍ଥା ବନ୍ଦ ରହିଲା

ଭୁବନେଶ୍ବର: ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଦୁଇ ଦିନିଆ ଧର୍ମଘଟର ପ୍ରଭାବ ଦ୍ବିତୀୟ ଦିନରେ ଆଂଶିକ ଅନୁଭୂ୍ତ ହୋଇଛି। ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ଜୀବନଯାତ୍ରା ସ୍ବାଭାବିକ ଥିଲା। ତେବେ ଯାତ୍ରୀ ପରିବହନ ବ୍ୟବସ୍ଥା ବନ୍ଦ ଥିବାରୁ ଲୋକମାନେ ଅସୁବିଧା ଭୋଗିଥିଲେ। ରାଜଧାନୀ ସମେତ ଅନ୍ୟ ଜିଲ୍ଲାଗୁଡ଼ିକରେ ଆନ୍ଦୋଳନକାରୀମାନେ ପିକେଟିଂ କରି ପୂର୍ବାହ୍ନରେ କିଛି ସମୟ ରାସ୍ତାଘାଟ ବନ୍ଦ ରଖିଥିଲେ। ଦୁଇ ଦିନିଆ ଧର୍ମଘଟକୁ ସ୍ବତଃପ୍ରବୃତ୍ତ ଭାବେ ଜନସମର୍ଥନ ମିଳିଛି ବୋଲି ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ କୁହାଯାଇଛି। ଆଜି ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନର ରାଜ୍ୟ ନେତାମାନେ ରାଜଧାନୀରେ ପିକେଟିଂ କରିଥିଲେ। ସହରର ମୁଖ୍ୟ ରାସ୍ତାଗୁଡ଼ିକରେ ମଧ୍ୟାହ୍ନ ୧୨ଟା ଯାଏ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ପ୍ରମୁଖ ବଜାର ଆଜି ବନ୍ଦ ରହିଥିଲା। ପୂର୍ବ ଘୋଷଣା ଅନୁଯାୟୀ ବସ୍, ଅଟୋ ଚଳାଚଳ କରୁ ନ ଥିଲା। ଚାରି ଚକିଆ ଯାନ ରାସ୍ତାରେ ଯା’ଆସ କରୁଥିଲେ ବି ସଂଖ୍ୟା କମ୍ ଥିଲା। ଲୋକମାନେ ମୋଟର୍‌ ସାଇକେଲ୍ ଯୋଗେ ଯାତାୟତ କରୁଥିଲେ। ପେଟ୍ରୋଲ ପମ୍ପଗୁଡ଼ିକ ଦିନତମାମ ବନ୍ଦ ରହିଥିଲା। ବନ୍ଦ ପାଇଁ ଗତକାଲି ପରି ଆଜି ପୁଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ପାଳନକାରୀମାନେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ପୂର୍ବାହ୍ନରେ କିଛି ସମୟ ପିକେଟିଂ କରିଥିଲେ। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ‌େତବେ ଗତକାଲି ପରି ଆଜି ଧର୍ମଘଟର ପ୍ରଭାବ ସେପରି ଦେଖିବାକୁ ମିଳି ନ ଥିଲା। କୌଣସି ସ୍ଥାନରେ ହିଂସାକାଣ୍ଡର ଖବର ଆସି ନାହିଁ। ପରିସ୍ଥିତିକୁ ଦେଖି ସ୍କୁଲ୍‌ ଓ କଲେଜ ଛୁଟି କରିବା ପାଇଁ ଜିଲ୍ଲାପାଳମାନଙ୍କୁ ସରକାର ନିର୍ଦ୍ଦେଶ ଦେଇଥିଲେ। ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ ଦୁଇଟି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ଗତକାଲି ରାତିରୁ ଜିଲ୍ଲାପାଳମାନେ ସ୍କୁଲ୍, କଲେଜ ଛୁଟି ଘୋଷଣା କରିଦେଇଥିଲେ। ତେବେ ବିଭିନ୍ନ ସରକାରୀ ଓ ଘରୋଇ କାର୍ଯ୍ୟାଳୟଗୁଡ଼ିକ ଯଥାରୀତି ଚାଲିଥିଲା। ବିଭିନ୍ନ ଷ୍ଟେସନ୍‌ରେ ବନ୍ଦ ପାଳନକାରୀମାନେ ପିକେଟିଂ କରିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପୂର୍ବତଟ ରେଳପଥରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ୩ଟି ଟ୍ରେନ୍ ବାତିଲ୍ ହୋଇଥିଲା ବେଳେ ଗୋଟିଏ ଆଂଶିକ ବାତିଲ୍ କରାଯାଇଛି। ୫ଟି ଟ୍ରେନ୍ ବିଭିନ୍ନ ସ୍ଥାନରେ ଅଟକ ରହିଥିଲା।

ସମ୍ବନ୍ଧିତ ଖବର