ପୁରାତନ ଛାତ୍ରମାନେ ଅନୁଷ୍ଠାନର ପ୍ରଥମ ସମ୍ପଦ: ସୌମ୍ୟରଞ୍ଜନ

ଅନ୍ତରା ମହତୀପୁର ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉଦ୍‌ଯାପିତ

ଖଇରା/ସିମୁଳିଆ : ପୁରାତନ ଛାତ୍ରମାନେ ଅନୁଷ୍ଠାନର ପ୍ରଥମ ସମ୍ପଦ। ବିଦ୍ୟାଳୟର ଉନ୍ନତି ପାଇଁ ସେମାନଙ୍କ ସହଯୋଗର ଆବଶ୍ୟକତା ରହିଛି। ବିଭିନ୍ନ ପଦ ପଦବିରେ ପ୍ରତିଷ୍ଠିତ ପୁରାତନ ଛାତ୍ରମାନେ ଏକ ପାଣ୍ଠି ଗଠନ କରି ବିଦ୍ୟାଳୟର ଉନ୍ନତିମୂଳକ କାଯ୍ୟର୍ରେ ତାହାର ବ୍ୟବହାର ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ଆବଶ୍ୟକ ବୋଲି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଆହ୍ଵାନ ଦେଇଛନ୍ତି।

ଆଜି ଖଇରା ବ୍ଲକ ଅଧିନ ଅନ୍ତରା ମହତିପୁର ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଯାପନୀ ସମାରୋହରେ ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ସେ କହିଲେ ପୁରାତନ ଛାତ୍ରଛାତ୍ରୀ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଶିକ୍ଷାନୁଷ୍ଠାନର ବିକାଶ ପ୍ରତି ଧ୍ୟାନ ଦେବା ଜରୁରୀ। ଏହା ହୋଇପାରିଲେ ନିଜ ବିଦ୍ୟାଳୟର ଆଉ ସମସ୍ୟା ରହିବ ନାହିଁ ବୋଲି ସେ ମତ ଦେଇଥିଲେ। ସମାରୋହରେ ସ୍ଥାନୀୟ ସରପଞ୍ଚ ତଥା ପୁରାତନ ଛାତ୍ର ଅନନ୍ତ କିଶୋର ମହାପାତ୍ର ସଭାପତିତ୍ୱ କରିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସ୍ତମ୍ଭକାର ଅଭୟ କୁମାର ଦ୍ୱିବେଦୀ, ସମ୍ମାନିତ ଅତିଥି ଭାବେ ନାରାୟଣ ସେନାପତି, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ବରେଣ୍ୟ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ଶିକ୍ଷାବିତ ବ୍ରଜମୋହନ ମିଶ୍ର, ବିଦ୍ୟାଳୟର ପ୍ରଧାନଶିକ୍ଷକ କୃତ୍ତିବାସ ପଣ୍ଡା, ସୁବର୍ଣ୍ଣ ଜୟନ୍ତୀ କମିଟି ସଭାପତି ବଂଶୀଧର ମହୁରୀ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ଦିବସବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ। ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ବିଭିନ୍ନ ବର୍ଗର ପ୍ରତିଭାଧାରୀ ବ୍ୟକ୍ତିମାନଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ତିନିଦିନ ଧରି ଅନୁଷ୍ଠିତ ଏହି କାଯ୍ୟର୍କ୍ରମକୁ ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତା, ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ପରିଚାଳନା କରିଥିଲେ। ଉଦ୍‌ଯାପନୀ ଦିବସରେ ବାଲେଶ୍ୱର ରକ୍ତଭଣ୍ଡାର ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ପୁରାତନ ଛାତ୍ରଛାତ୍ରୀ ଓ ଅନ୍ୟମାନେ ରକ୍ତଦାନ କରିଥିଲେ।

ସମ୍ବନ୍ଧିତ ଖବର