ଇନ୍‌କାଲ୍‌-୨୦୧୯ ଉଦ୍‌ଯାପିତ : ଆଲୁମିନିୟମ୍ ଉତ୍ପାଦନ ୧୦ ନିୟୁତ ଟନ୍ ହେବ

ଭୁବନେଶ୍ବର ବିମାନ ବନ୍ଦର ସହ ଅନୁଗୁଳ ଆଲୁମିନିୟମ୍ ପାର୍କକୁ ଯୋଡ଼ିବ ରାଜପଥ

ଭୁବନେଶ୍ବର : ଦେଶର ଆଲୁମିନିୟମ୍ ଉତ୍ପାଦନ ଏବେ ୩.୪ ନିୟୁତ ଟନ୍‌ରେ ରହିଛି। ୨୦୩୦ ସୁଦ୍ଧା ତାହାକୁ ୧୦ ନିୟୁତ ଟନ୍‌ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ଖଣି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର୍‌ କହିଛନ୍ତି।

ଆନ୍ତର୍ଜାତିକ ଆଲୁମିନିୟମ୍ ସଂଘ (ଏଏଆଇ) ଓ କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ହୋଟେଲ୍‌ ସ୍ବସ୍ତି ପ୍ରିମିୟମ୍ ଓ ଜନତା ମୈଦାନରେ ଆୟୋଜିତ ଆନ୍ତର୍ଜାତିକ ଆଲୁମିନିୟମ ସମ୍ମିଳନୀ ଓ ପ୍ରଦର୍ଶନୀ (ଇନ୍‌କାଲ୍‌-୨୦୧୯)ର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ତୋମର୍‌ କହିଛନ୍ତି ଯେ ଯାନବାହନ ନିର୍ମାଣ, ପ୍ରତିରକ୍ଷା ଠାରୁ ଆରମ୍ଭ କରି ମହାକାଶ ଯାନ ପର୍ଯ୍ୟନ୍ତ ଅନେକ କାମରେ ଆଲୁମିନିୟମ୍ ବ୍ୟବହାର କରାଯାଉଛି। ଏହି ସବୁ କ୍ଷେତ୍ରରେ ଆଲୁମିନିୟମର ଚାହିଦା ବଢ଼ୁଛି। ସେହି ଚାହିଦା ପୂରଣ କରିବା ନିମନ୍ତେ ଆମକୁ ଉତ୍ପାଦନ ପରିମାଣ ବଢ଼ାଇବାକୁ ହେବ।

ଖଣି ନିଲାମ ସମ୍ପର୍କରେ ସେ କହିଛନ୍ତି ଯେ, ଦେଶରେ ୫୩ଟି ଖଣି ନିଲାମ ହୋଇସାରିଲାଣି। ସେଥିରୁ ୧ ଲକ୍ଷ ୪୩ ହଜାର କୋଟି ଟଙ୍କାର ରାଜସ୍ବ ମିଳିଛି। ଆହୁରି ୧୦୦ରୁ ଅଧିକ ଖଣି ନିଲାମ ପାଇଁ ପ୍ରସ୍ତୁତ ହୋଇରହିଛି। ୨୦୨୦ରେ ଯେଉଁ ସବୁ ଖଣିଗୁଡ଼ିକର ଲିଜ୍‌ ରଦ୍ଦ ହେବାକୁ ଯାଉଛି, ସେଗୁଡ଼ିକ ମଧ୍ୟ ନିଲାମ ପାଇଁ ପ୍ରସ୍ତୁତ ହୋଇଗଲାଣି ବୋଲି ଶ୍ରୀ ତୋମର୍‌ କହିଛନ୍ତି। ଜିଲ୍ଲା ଖଣିଜ ପାଣ୍ଠି(ଡିଏମ୍ଏଫ୍‌)ରେ ୨୩ ହଜାର କୋଟି ଟଙ୍କା ରହିଛି। ଡିଏମ୍ଏଫ୍‌ ପାଣ୍ଠିକୁ ଏକ ଲକ୍ଷରୁ ଅଧିକ ପ୍ରକଳ୍ପରେ ଖର୍ଚ କରାଯାଉଛି ବୋଲି ସେ କହିଛନ୍ତି।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍‌ ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଅନୁଗୁଳରେ ନାଲ୍‌କୋ ପକ୍ଷରୁ ସ୍ଥାପନ କରାଯାଉଥିବା ଆଲୁମିନିୟମ୍ ପାର୍କର ସବୁ ପ୍ଲଟ୍ ବଣ୍ଟନ ହୋଇସାରିଲାଣି। ଏହି ପାର୍କକୁ ସିଧାସଳଖ ଭୁବନେଶ୍ବର ବିମାନବନ୍ଦର ସହ ଯୋଡ଼ିବାର ବ୍ୟବସ୍ଥା କରାଯାଇଛି। ପୁରୁଣା ଜଗନ୍ନାଥ ସଡ଼କ ଦେଇ ଏହି ରାଜପଥ ଆଲୁମିନିୟମ୍ ପାର୍କ ପାଖରେ ପହଞ୍ଚିବ। ଏହି ପାର୍କ ରାଜ୍ୟରେ ଶିଳ୍ପାୟନ ପାଇଁ ଏକ ବହୁତ ବଡ଼ ପଦକ୍ଷେପ ହେବ ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ, ବିଭିନ୍ନ ସମୟରେ କୋଇଲାକୁ ନେଇ ଶିଳ୍ପସଂସ୍ଥାଗୁଡ଼ିକ ଅସୁବିଧା ସାମ୍ନା କରୁଛନ୍ତି। ରାଜ୍ୟ ସରକାର ଜମି ଅଧିଗ୍ରହଣରେ ସହଯୋଗ କଲେ କୋଇଲା ଉତ୍ପାଦନରେ କୌଣସି ଅସୁବିଧା ହେବ ନାହିଁ।

ଏହି ଅବସରରେ ଭାରତୀୟ ଆଲୁମିନିୟମ ସଂଘର ଅଧ୍ୟକ୍ଷ ତଥା ନାଲ୍‌କୋର ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି ଯେ, ଆଲୁମିନିୟମ ଶିଳ୍ପର ବିକାଶ ପାଇଁ ଏକ ସ୍ବତନ୍ତ୍ର ନୀତିର ଆବଶ୍ୟକତା ରହିଛି। ଏକ ଆଲୁମିନିୟମ ବିକାଶ ପରିଷଦ ଗଠନ କରିବା ଉପରେ ସେ ଜୋର୍ ଦେଇଛନ୍ତି। ସେ କହିଲେ, ଆଲୁମିନିୟମ ଶିଳ୍ପକୁ ‌ଏବେ ‘୩ଏସ୍‌ ’ ଉପରେ ଗୁରୁତ୍ବ ଦେବାକୁ ହେବ। ତାହା ହେଉଛି ସ୍ପିଡ୍‌ (ବେଗ), ସେଭିଂ (ସଂଚୟ) ଓ ସଷ୍ଟେନେବିଲିଟି (ନିରନ୍ତରତା)। ସେ କହିଛନ୍ତି ଯେ, ସମ୍ମିଳନୀରେ ୭୫୦ରୁ ଅଧିକ ପ୍ରତିନିଧି, ୧୦୦ରୁ ଅଧିକ ଆମନ୍ତ୍ରିତ ଅତିଥି ଓ ୨୩ଟି ଦେଶର ୧୨୫ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ବିଭିନ୍ନ କଂପାନି ମଧ୍ୟରେ ବୁଝାମଣା ହୋଇଥିବା ସେ କହିଛନ୍ତି।

ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରୋତ ବାଗ୍‌ଚୀ, ଦକ୍ଷତା ବିକାଶ, ଟୋଟାଲ୍ କ୍ବାଲିଟି ମ୍ୟାନେଜମେଣ୍ଟ୍‌ ଓ ଉଦ୍ୟମିତା ଉପରେ ଆଲୋଚନା କରିଛନ୍ତି। ୨୦୨୧ରେ ହେବାକୁ ଥିବା ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ଓଡ଼ିଶା ଆଖିଦୃଶିଆ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି। ଦିନ୍ ଦୟାଲ୍ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନାରେ ଓଡ଼ିଶା ଦ୍ବିତୀୟ ଥର ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ରାଜ୍ୟ ଭାବେ ଉଭା ହୋଇଛି ବୋଲି ଶ୍ରୀ ବାଗ୍‌ଚୀ କହିଛନ୍ତି।

ଆଜିର ଉଦ୍‌ଯାପନୀ ଉତ୍ସବରେ ଆଲ୍‌କାନ୍‌ର ନିର୍ଦେଶକ-ପ୍ରଯୁକ୍ତି ଡକ୍ଟର ଆଲାଇସ୍ ବର୍ଣ୍ଣାଡ୍‌ ଓ ରିଡ୍‌ ଏକ୍‌ଜିବିସନ୍‌ର ଇଭେଣ୍ଟ୍‌ ଡାଇରେକ୍ଟର ଓଲାଫ୍ ଫ୍ରାଏର୍‌ ଉପସ୍ଥିତ ଥିଲେ। ତିନିଦିନିଆ ଇନ୍‌କାଲ୍‌-୨୦୧୯ ଗତ ଜାନୁଆରି ୩୧ରେ ଆରମ୍ଭ ହୋଇଥିଲା। ଏହାକୁ ‌କେନ୍ଦ୍ର ଖଣି ମନ୍ତ୍ରୀ ଅନିଲ ମୁକିମ୍ ଉଦ୍‌ଘାଟନ କରିଥିଲେ। ଜନତା ମୈଦାନର ପ୍ରଦର୍ଶନୀରେ ୧୨୦ଟି କଂପାନି ସେମାନଙ୍କ ପ୍ରଯୁକ୍ତି ପ୍ରଦର୍ଶିତ କରିଥିଲେ। ଆସନ୍ତାକାଲି ସମ୍ମିଳନୀର ପ୍ରତିନିଧିମା‌ନେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଓ ଅନୁଗୁଳ ଆଲୁମିନିୟମ ପାର୍କ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର