ବିକାଶ ପ୍ରସ୍ତାବକୁ ଅନୁଧ୍ୟାନ କରିବେ ରାଜ୍ୟ ସରକାର: ସୂର୍ଯ୍ୟ ପାତ୍ର

ଓଡ଼ିଶା ବିକାଶ କନ୍‌କ୍ଲେଭ-୨୦୧୮ ଉଦ୍‌ଯାପିତ

ଭୁବନେଶ୍ୱର : ତିନି ଦିନ ବ୍ୟାପି ଚାଲିଥିବା ଓଡ଼ିଶା ବିକାଶ କନକ୍ଲେଭ-୨୦୧୮ ଉଦ୍‌ଯାପିତ ହୋଇଯାଇଛି। ଓଡିଶା ସମେତ ନଅଟି ରାଜ୍ୟର ୨୬୭୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ୧୯ଟି ପୃଥକ ପୃଥକ ପ୍ରସଙ୍ଗ ଉପରେ ମାରାଥନ ଚର୍ଚ୍ଚା କରି ଓଡ଼ିଶା ବିକାଶର ରୋଡ଼ମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି। ଏହି ପରାମର୍ଶଗୁଡ଼ିକୁ ରାଜ୍ୟ ସରକାର ଅନୁଧ୍ୟାନ କରିବେ ବୋଲି ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି। ସମାବେଶରେ ସମାନ୍ତରାଳ ଭାବେ ଚାଲିଥିବା ପ୍ରାସଙ୍ଗିକ ବିଚାର ବିମର୍ଷ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ପାଇଁ ବିଭିନ୍ନ ସାମାଜିକ ଅନୁଷ୍ଠାନ, ସରକାରୀ କର୍ମଚାରୀ, ନୀତି ନିର୍ଦ୍ଧାରକ, ଶିକ୍ଷାବିତ, ନିର୍ବାଚିତ ପଞ୍ଚାୟୟତ ପ୍ରତିନିଧି, ତୃଣମୂଳ ସ୍ତରୀୟ କର୍ମୀ, ବିଭିନ୍ନ ନାଗରିକ ମଞ୍ଚର ପ୍ରତିନିଧି ମିଳିତ ଭାବେ କରିଥିବା ପ୍ରଚେଷ୍ଟା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଦେଶର ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସରକାର, ସରକାରୀ କର୍ମଚାରୀମାନଙ୍କ ସମେତ ଜନସାଧାରଣ ଓ ସାମାଜିକ ଅନୁଷ୍ଠାନମାନଙ୍କର ମଧ୍ୟ ଗୁରୁ ଦାୟିତ୍ୱ ରହିଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଡ. ସୁବ୍ରତ ବାଗ୍‌ଚି ପରିବର୍ତ୍ତନକାରୀର ସ୍ୱଭାବ ଓ ଗୁଣଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଚିରସ୍ଥାୟୀ ଓ ନିରନ୍ତର ବିକାଶ ପ୍ରକ୍ରିୟା ବଜାୟ ରଖିବାକୁ ହେଲେ ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନକାରୀଙ୍କ ଆବଶ୍ୟକତା ରହିଛି। ନିରନ୍ତର ବିକାଶ ଓ ଆଖିଦୃଶିଆ ପରିବର୍ତ୍ତନ ଆଣିବାକୁ ହେଲେ ବ୍ୟକ୍ତିଗତ ସ୍ତରରେ ଅନେକ କଷ୍ଟ ସହିବାକୁ ପଡେ ଯାହାକି ଜଣେ ସାଧାରଣ ବ୍ୟକ୍ତିଙ୍କୁ ଦୂରଦର୍ଶୀ ଭାବେ ଗଢି ତୋଳିଥାଏ। ଦୃଷ୍ଟିଭଙ୍ଗୀ ବଦଳିଲେ ବିକାଶ ପ୍ରକ୍ରିୟା ତ୍ୱରାନ୍ଵିତ ହେବ ଏବଂ ଓଡ଼ିଶାରେ କିଛି ନାହିଁ କହିବା ଅପେକ୍ଷା ସବୁ ଅଛି ବୋଲି କହିବାକୁ ସେ ପରାମର୍ଶ ଦେଇଥିଲେ।

ଭାରତ ସରକାରଙ୍କ ଶ୍ରମ ଓ ସଂସଦୀୟ ମନ୍ତ୍ରାଳୟର ପୂର୍ବତନ ସଚିବ ଡ. ଲକ୍ଷ୍ମୀଧର ମିଶ୍ର ତିନି ଦିନିଆ ଓଡ଼ିଶା ବିକାଶ ସମ୍ମିଳନୀ ରାଜ୍ୟର ବିକାଶରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ ବୋଲି କହିଥିଲେ। ଏହି ସମାବେଶରେ ରାଜ୍ୟର ଏକାଧିକ ବିଶ୍ୱ ବିଦ୍ୟାଳୟ ପ୍ରଥମ ଥର ଅଂଶଗ୍ରହଣ କରିଥିଲେ। ଅଂଶଗ୍ରହଣ କରିଥିବା ସମସ୍ତ ବିଶ୍ୱ ବିଦ୍ୟାଳୟର କୁଳପତିମାନଙ୍କ ପାଇଁ ଏହି ଅନୁଭବ ନିଶ୍ଚିତ ଭାବେ ବିକାଶ ପ୍ରକ୍ରିୟାରେ ସାମିଲ ହେବା ପାଇଁ ରାସ୍ତା ଫିଟାଇଛି ବୋଲି ଓଡିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟ କୁଳପତି ଡ. ଶ୍ରୀକାନ୍ତ ମହାପାତ୍ର କହିଥିଲେ।

ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ମାନ ବୃଦ୍ଧି ପାଇଁ ପାଠ୍ୟ ପୁସ୍ତକର ବିଷୟବସ୍ତୁଠାରୁ ଦକ୍ଷତା ଓ ଯୋଗ୍ୟତା ଭଳି ମାନକ ନିର୍ଦ୍ଧାରଣ ଅଧିକ ଗୁରୁତ୍ୱ ବହନ କରୁଛି ବୋଲି ରାଷ୍ଟ୍ରୀୟ ଶୈକ୍ଷିକ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ନିର୍ଦ୍ଦେଶକ ହୃଷିକେଶ ସେନାପତି କହିଥିଲେ। ଏହି କନ୍‌କ୍ଲେଭରେ ମୟୂରଭଞ୍ଜରୁ ମାଲକାନାଗିରି, ବାଲେଶ୍ୱରରୁ ନବରଙ୍ଗପୁର ଯାଏ ୩୦ ଜିଲ୍ଲାର ପ୍ରତିନିଧିତ୍ୱ ରହିଥିବା ଏବଂ ଓଡିଶା ସମେତ ନଅଟି ରାଜ୍ୟର ୬୫ ସଂଗଠନ ଯୋଡ଼ିହେବା ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍‌ଧି ବୋଲି ‘ଓଡିଶା ବିକାଶ କନ୍‌କ୍ଲେଭ’ର ଆବାହକ ଜଗଦାନନ୍ଦ କହିଥିଲେ। ଓଡ଼ିଶା ବିକାଶ କନ୍‌କ୍ଲେଭରେ ୧୯ଟି ପ୍ରସଙ୍ଗକୁ ନେଇ ଯେଉଁ ପରାମର୍ଶ ଆସିିଛି ସେଥିରୁ ଦୀର୍ଘକାଳୀନ ଓ ସ୍ୱଳ୍ପକାଳୀନ ସମାଧାନର ମନ୍ତ୍ର ରହିଛି। ଆଗତ ପ୍ରସ୍ତାବଗୁଡ଼ିକର ଏକ ସବିଶେଷ ଦସ୍ତାବିଜ ପ୍ରସ୍ତୁତ କରାଯାଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ସେ ସୂଚନା ଦେଇଥିଲେ। ଶେଷରେ ସିୱାଇଏସ୍‌ଡିର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର