ବିଜେପୁର ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗଙ୍ଗାଧର ମେହେର ଲିଫ୍ଟ କେନାଲ ସିଷ୍ଟମ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ। ଜନ୍ମ ଦିନରେ ଲୋକଙ୍କୁ ଉପହାର ମିଳିଥାଏ। ମାତ୍ର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମରୁଡ଼ି ପ୍ରପୀଡ଼ିତ ବରଗଡ଼ ଜିଲ୍ଲାର ବିଜେପୁର ଅଞ୍ଚଳର ଚାଷୀଙ୍କୁ ଜଳସେଚନର ପାଇଁ ୧୨୫୦ କୋଟି ଟଙ୍କାର ଉପହାର ଦେଇଛନ୍ତି। ସମଗ୍ର ଦେଶରେ ଅଣ୍ଡରଗ୍ରାଉଣ୍ଡ ପାଇପଲାଇନ୍‌ ଜରିଆରେ ଏକ ଅଞ୍ଚଳର ଜଳସେଚନ ବ୍ୟବସ୍ଥା କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହେବାକୁ ଯାଉଛି। କେବଳ ସେତିକି ନୁହେଁ, ବରଗଡ଼ ଜିଲ୍ଲାର ବରପାଲିରେ ଜନ୍ମ ଗ୍ରହଣ କରି ନିଜ ସାରସ୍ୱତ ସାଧନା ବଳରେ ସମଗ୍ର ଓଡ଼ିଶାରେ ଏକ ସମ୍ଭ୍ରମ ଉଚ୍ଚାରଣ ହୋଇପାରିଥିବା ପ୍ରଥିତଯଶା କବି ଗଙ୍ଗାଧର ମେହେରଙ୍କ ନାମରେ ଏହି ପ୍ରକଳ୍ପକୁ ନାମିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ଗୁଳିରେ ଦୁଇଟି ଶିକାର କରି ସେ ଯେ ତାଙ୍କ ବିରୋଧୀଙ୍କ ଠାରୁ ଆଗରେ ତାହା ପ୍ରମାଣିତ କରିଛନ୍ତି। ଆଗାମୀ ୨୦୧୯ ମସିହା ସୁଦ୍ଧା ଅଧିକ ଯେଉଁ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ପାଇଁ ରାଜ୍ୟ ସରକାର ଯୋଜନା ରଖିଛନ୍ତି, ସେହି ଯୋଜନାର ଏକ ଅଂଶ ସ୍ୱରୁପ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଲିଫ୍ଟ କେନାଲ ସିଷ୍ଟମକୁ ଗଙ୍ଗାଧର ମେହେର ଲିଫ୍ଟ କେନାଲ ସିଷ୍ଟମ ନାମରେ ନାମିତ କରିଥିବା ଘୋଷଣା କରିଛନ୍ତି।

ଗଙ୍ଗାଧର ମେହେର ଲିଫ୍ଟ କେନାଲ ସିଷ୍ଟମ ଜରିଆରେ ବରଗଡ଼ ଜିଲ୍ଲାର ବିଜେପୁରର ୩୨ ହେକ୍ଟର ଜମିକୁ ମାଟି ତଳେ ପାଇପ ଯୋଗେ ଜଳସେଚନ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ୧୨୫୦ କୋଟି ଟଙ୍କା ବ୍ୟୟ କରିବାକୁ ଯାଉଛନ୍ତି। ବିଜେପୁର ଉପନିର୍ବାଚନ ପୂର୍ବରୁ ଚାଷୀଙ୍କ ପାଇଁ ଏହା ବିଜେଡ଼ିର ବଡ଼ ଉପହାର ବୋଲି ଚର୍ଚ୍ଚା ହେଉଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟରେ ଜଳସେଚନର ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଚାଷୀ ଓ କୃଷିର ବିକାଶ ପାଇଁ ତାଙ୍କ ସରକାର ପ୍ରତିିଶ୍ରୁତିବଦ୍ଧ। ଏ ଦିଗରେ ରାଜ୍ୟ ସରକାର ଆଗାମୀ ୨୦୧୯ ମସିହା ସୁଦ୍ଧା ରାଜ୍ୟର ଅଧିକ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ତେବେ ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇଦେବା ପାଇଁ ବରଗଡ଼ ଜିଲ୍ଲର ଚାଷୀମାନେ ଦୀର୍ଘ ଦିନ ହେବ ଦାବି କରି ଆସୁଛନ୍ତି। ବିଶେଷ କରି ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳରେ ଏହି ଦାବି ବେଶ ଜୋର ଧରିଛି। ଏହି କ୍ରମରେ ଆମେ ପ୍ରଥମେ ବିଜେପୁର ଲିଫ୍ଟ କେନାଲ ସିଷ୍ଟମ ଆରମ୍ଭ କରିବାକୁ ଯାଉଛୁ ଯାହା ଗଙ୍ଗାଧର ମେହେର ଲିଫ୍ଟ କେନାଲ ସିଷ୍ଟମ ନାମରେ ନାମିତ ହେବ।

ଏହି ବ୍ୟବସ୍ଥା ସମଗ୍ର ରାଜ୍ୟରେ ପ୍ରଥମ। ଯୋଜନା ଅନୁଯାୟୀ ମାଟିତଳେ ପାଇପ ଯୋଗେ ପାଣିି ଅଣାଯାଇ ବିଜେପୁର ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା କରାଯିବ। ଏହି ପ୍ରକଳ୍ପ ଦ୍ୱାରା ଖରିଫ ଚାଷ ପାଇଁ ୨୫ ହଜାର ୬ଶହ ହେକ୍ଟର ଓ ରବି ଫସଲ ପାଇଁ ଜଳସେଚନ ବ୍ୟବସ୍ଥା କରାଯାଇ ପାରିବ। ଏହି ପ୍ରକଳ୍ପର ମୋଟ୍‌ କମାଣ୍ଡ ଏରିଆ ପ୍ରାୟ ୩୨ ହଜାର ହେକ୍ଟର ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିପାଇଁ ବରଗଡ଼ କେନାଲରେ ପମ୍ପ ଯୋଗେ ପାଣି ଉଠାଯାଇ ପାଇପ ଯୋଗେ ଏହାକୁ ୧୮ କିଲୋମିଟର ଦୂର ବିଜେପୁର ପଠାଯିବ।ସେଠାରେ ପ୍ରତି ୪ ହେକ୍ଟର ପାଇଁ ଗୋଟିଏ ଲେଖାଏଁ ଆଉଟ୍‌ ଲେଟ୍‌ ରହିବ। ଏହି ପ୍ରକଳ୍ପ ପାଇଁ ୧୨୫୦ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପ୍ରକଳ୍ପରେ ଅତ୍ୟାଧୁନିକ ଜ୍ଞାନକୌଶଳ ବିନିଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିବା ସହିତ ସମଗ୍ର ଦେଶରେ ଏହା ଏକ ମଡେଲ ପ୍ରୋଜେକ୍ଟ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।

ସୂଚନାଯୋଗ୍ୟ ଯେ ଆଗାମୀ ଦିନରେ ବିଜେପୁର ଉପନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଉଭୟ ଭାରତୀୟ ଜନତା ପାର୍ଟି ଓ ରାଜ୍ୟର ଶାସକ ବିଜେଡି ଦଳ ମଧ୍ୟରେ ସେଠାରେ ଶକ୍ତି ସଂଗ୍ରହ କରାଯାଉଛି। ଏ ପରିପ୍ରେକ୍ଷୀରେ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗଙ୍ଗାଧର ମେହେର ଲିଫ୍‌ଟ କେନାଲ ସିଷ୍ଟମ ସମ୍ପର୍କରେ ଘୋଷଣା କରି ବରଗଡ଼ର ଚାଷୀ ବିଶେଷ କରି ବିଜେପୁର ଚାଷୀଙ୍କ ମନ ମୋହିବାକୁ ଚେଷ୍ଟା କରିଛନ୍ତି।

ସମ୍ବନ୍ଧିତ ଖବର