ସବୁ ଅଣସଂଗଠିତ ଶ୍ରମିକଙ୍କୁ ପରିଚୟପତ୍ର

ବିଜୁ ଶ୍ରମିକ ସାମ୍ମୁଖ୍ୟର ପ୍ରଥମ ରାଜ୍ୟ ସମ୍ମିଳନୀ

ଭୁବନେଶ୍ୱର : ରାଜ୍ୟର ସବୁ ଅଣସଂଗଠିତ ଶ୍ରମିକଙ୍କୁ ପରିଚୟପତ୍ର ଦିଆଯିବ। ଘରୋଇ କାର୍ଯ୍ୟରେ ସହାୟତା କରୁଥିବା ଲୋକଙ୍କ ଠାରୁ ଆରମ୍ଭ କରି ପରିବହନ କର୍ମଚାରୀ, ବିକ୍ରେତା ଆଦି ସମସ୍ତ ମଜଦୁର୍‌ ଏଥିରେ ସାମିଲ୍‌ ହେବେ। ସମସ୍ତଙ୍କୁ ସାମାଜିକ ନିରାପତ୍ତା ଯୋଜନାରେ ବି ସାମିଲ୍‌ କରାଯିବ। ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ସାମାଜିକ ନିରାପତ୍ତା ବ୍ୟବସ୍ଥା କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି।

ବିଜେଡିର ଶ୍ରମିକ ଶାଖା ‘ବିଜୁ ଶ୍ରମିକ ସାମ୍ମୁଖ୍ୟ’ର ପ୍ରଥମ ରାଜ୍ୟ ସମ୍ମିଳନୀ ଆଜି ୟୁନିଟ୍‌-୬ସ୍ଥିତ ପାଣିଟାଙ୍କି ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ଏହାକୁ ଉଦ୍‌ଘାଟନ କରି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଧୁନିକ ଓଡ଼ିଶା ଗଠନରେ ଶ୍ରମିକମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। କୋଣାର୍କ ଠାରୁ କଳିଙ୍ଗ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ, ରୋଳ ଲାଇନ୍‌, ଟେଲିକମ୍‌ ନେଟ୍‌ଓ୍ଵର୍କ, ହୀରାକୁଦ ବନ୍ଧ, ସଚିବାଳୟ ଓ ବିଧାନସଭା ସବୁଥିରେ ଶ୍ରମିକଙ୍କ କୁଶଳୀ ହାତ ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଶ୍ରମିକଙ୍କ ପାଇଁ ବିଜେଡି ଓ ରାଜ୍ୟ ସରକାରଙ୍କ ଦରଦ ବଖାଣି ମୁଖ୍ୟମନ୍ତ୍ରୀ କହିଥିଲେ, ବିଜେଡି ସବୁବେଳେ ଶ୍ରମିକମାନଙ୍କ ସାଥୀରେ ରହିଆସିଛି। ଶ୍ରମିକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ବହୁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଶ୍ରମିକଙ୍କ ପାଇଁ ଘର, ପିଲାଙ୍କ ପଢ଼ିବା ଓ ବାହାଘର ପାଇଁ ସହାୟତା, ପେନ୍‌ସନ୍‌, ମାଇଗ୍ରେସନ୍‌ ରୋକିବା ପାଇଁ ଆକ୍ସନ୍‌ ପ୍ଲାନ୍‌ ଓ ଆହୁରି ଅନେକ ପଦକ୍ଷେପ ନିଆଯାଇଛି। ଶ୍ରମିକଙ୍କ ପାଇଁ ପକ୍କା ଘର ଓ ସହରରେ ଭଡ଼ା ଘର ଯୋଗାଇ ଦିଆଯାଇଛି। ଏହା ସମଗ୍ର ଦେଶରେ ଆଦର୍ଶ ପାଲଟିଛି। ବିଜୁ ଜନତା ଦଳ କଥାରେ ନୁହେଁ, କାମରେ ବିଶ୍ୱାସ କରେ। ଶ୍ରମିକଙ୍କ ଅଧିକାର ଓ ହକ୍‌ର ସୁରକ୍ଷା ପାଇଁ ଉଦ୍ୟମ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ବିଜୁ ଶ୍ରମିକ ସାମ୍ମୁଖ୍ୟର ସଭାପତି ରାଜେନ୍ଦ୍ର ପ୍ରସାଦ ସିଂହ ସଭାରେ ଅଧ୍ୟକ୍ଷତା କରିଥିଲେ। ସଂଗଠନର ମହାସଚିବ ସୁବାସ ସିଂହ କହିଥିଲେ, ଓଡ଼ିଶାର ଦେଢ଼ କୋଟି ଅଣସଂଗଠିତ ଶ୍ରମିକଙ୍କ କଲ୍ୟାଣ ପାଇଁ ସାମ୍ମୁଖ୍ୟ କାର୍ଯ୍ୟ କରିବ। ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସାମ୍ମୁଖ୍ୟର ଉପଦେଷ୍ଟା ତଥା ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରୀତି ରଞ୍ଜନ ଘଡ଼ାଇ, ସମୀର ରଞ୍ଜନ ଦାଶ, ପଶ୍ଚିମ ଓଡ଼ିଶାର ଶ୍ରମିକ ନେତା ପ୍ରଶାନ୍ତ ପାଢ଼ୀ, ଲଳିତ ନାୟକ, ରାଜେନ୍ଦ୍ର ଦାସ, ପୂର୍ବତନ ବିଧାୟକ ଅନୁପ ସାଏ ଓ ସଂଯୁକ୍ତା ମହଲ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ମଞ୍ଚରେ ସାମ୍ମୁଖ୍ୟର ଉପସଭାପତି ମେୟର ଅନନ୍ତ ନାରାୟଣ ଜେନା, ଯୁଗଳ ନାୟକ, ପଞ୍ଚାନନ ସେନାପତି, ବୈଦ୍ୟନାଥ ଦାସ, ସୁରେନ୍ଦ୍ର କୁମାର ସ୍ୱାଇଁ, ସଚ୍ଚିନ୍ଦ୍ର ଦାସ, ଅରୁଣ ସ୍ୱାଇଁ, ଅମୃତ ଦାସ ଓ ଗୋଲକ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କିଛି ପଞ୍ଜିକୃତ ସଂଗଠନ ବିଜୁ ଶ୍ରମିକ ସାମ୍ମୁଖ୍ୟ ସହ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର