ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ୨୮୫୦ ପଞ୍ଚାୟତ ପାଇଁ ମଞ୍ଜୁର ହେଲାଣି ୬୫୭ କୋଟି

ଭୁବନେଶ୍ୱର : ୧୨୩ ବ୍ଲକ୍‌ରେ ପହଞ୍ଚିଛି ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ। ଏଥିରେ ୨୮୫୦ ଗ୍ରାମ ପଞ୍ଚାୟତ ସହିତ ଆଲୋଚନା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ପାଖାପାଖି ୬୫୭ କୋଟି ଟଙ୍କାରେ ପାଖାପାଖି ୨୬,୫୮୭ ପ୍ରକଳ୍ପ ମଞ୍ଜୁର କରାଯାଇଛି। ଏହା ବିକାଶ ଧାରାରେ ଲୋକଙ୍କୁ ସାମିଲ୍‌ କରିବା ପାଇଁ ଏକ ସୁଯୋଗ ସୃଷ୍ଟି କରିଛି। ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୂହିକ କାର୍ଯ୍ୟାନ୍ଵୟନ ଓ ସ୍ୱଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗତ ମାର୍ଚ୍ଚ ୫ ତାରିଖରେ ଆରମ୍ଭ ହୋଇଥିଲା ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସଚିବାଳୟରୁ ମୁଖ୍ୟମନ୍ତ୍ରୀ ସିଧାସଳଖ ଜନସାଧାରଣଙ୍କ ସହ ଆଲୋଚନା କରି ପ୍ରକଳ୍ପ ମଞ୍ଜୁର କରୁଛନ୍ତି। ପ୍ରଥମେ ଏହା ପଞ୍ଚାୟତ ସ୍ତରରେ ଚାଲିଥିଲା। ଅଧିକରୁ ଅଧିକ ପଞ୍ଚାୟତରେ ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ଵିତ କରିବା ପାଇଁ ମେ’ ୨୩ ତାରିଖରୁ ଏହି କାର୍ଯ୍ୟକ୍ରମ ବ୍ଲକ୍‌ ସ୍ତରରୁ ଆରମ୍ଭ ହୋଇଥିଲା।

‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬ଟି ବ୍ଲକ୍‌ର ୧୨୩ଟି ପଞ୍ଚାୟତ ପାଇଁ ୧୦୨୧ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ବ୍ଲକ୍‌ଗୁଡ଼ିକ ହେଲା ବରଗଡ଼ ଜିଲ୍ଲାର ବିଜେପୁର, ଜଗତସିଂହପୁର ଜିଲ୍ଲାର ରଘୁନାଥପୁର, ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ ସଦର, ଅନୁଗୁଳ ଜିଲ୍ଲାର କଣିହା, ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲାର ବିଜତୋଳା। ମୋଟ୍‌ ପ୍ରକଳ୍ପର ମୂଲ୍ୟ ରହିଛି ୨୫.୪୦ କୋଟି ଟଙ୍କା।

ବିଜେପୁର ବ୍ଲକ୍‌ର ୨୩ଟି ପଞ୍ଚାୟତ ପାଇଁ ୪ କୋଟି ଟଙ୍କାରେ ୧୭୮ଟି ପ୍ରକଳ୍ପ, ରଘୁନାଥପୁର ବ୍ଲକ୍‌ର ୧୯ଟି ପଞ୍ଚାୟତ ପାଇଁ ୩.୭୫ କୋଟି ଟଙ୍କାରେ ୨୦୭ଟି ପ୍ରକଳ୍ପ, ଢେଙ୍କାନାଳ ସଦର ବ୍ଲକ୍‌ର ୨୯ଟି ପଞ୍ଚାୟତ ପାଇଁ ୫.୭୫ କୋଟି ଟଙ୍କାରେ ୨୩୪ଟି ପ୍ରକଳ୍ପ, କଣିହା ବ୍ଲକ୍‌ର ୨୬ଟି ପଞ୍ଚାୟତ ପାଇଁ ୬.୫୦ କୋଟି ଟଙ୍କାରେ ୧୮୬ଟି ପ୍ରକଳ୍ପ, ଚନ୍ଦାହାଣ୍ଡି ବ୍ଲକ୍‌ର ୧୪ଟି ପଞ୍ଚାୟତ ପାଇଁ ୨.୪୦ କୋଟି ଟଙ୍କାରେ ୧୦୬ଟି ପ୍ରକଳ୍ପ ଓ ବିଜତୋଳା ବ୍ଲକ୍‌ର ୧୨ଟି ପଞ୍ଚାୟତ ପାଇଁ ୩ କୋଟି ଟଙ୍କାରେ ୧୧୦ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ବିଧାୟକ, ଉନ୍ନୟନ କମିସନର୍‌, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର