ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ ସାରି ୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଲେ ପୁରୀକୁ ଆହୁରି ସୁନ୍ଦର କରାଯିବ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ମଧ୍ୟାହ୍ନ ୧୨ଟା ସମୟରେ ସେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଥିବା ଜଣାଯାଇଛି । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଂହଦ୍ୱାରରେ ଦ୍ୱୀପ ପ୍ରଜ୍ଜ୍ବଳନ କରିଥିଲେ ।

ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇବା ସହିତ କହିଥିଲେ ଯେ ସେ ମହାପ୍ରଭୁଙ୍କ ଦର୍ଶନ କରି ଖୁବ୍ ଖୁସି। ଏଥିସହ  ଆଗକୁ ପୁରୀକୁ ଆହୁରି ସୁନ୍ଦର କରାଯିବ ବୋଲି ସେ ଘୋଷଣା କରିଥଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରସ୍ତାବିତ ଶ୍ରୀକ୍ଷେତ୍ର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ମାନଚିତ୍ର ଦେଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ୫‘ଟି’ ସଚିବ ଭି କେ ପାଣ୍ଡିଆନ୍ ମଧ୍ୟ ପୁରୀ ଗସ୍ତରେ ଯାଇଥିଲେ।

ଶ୍ରୀଜିଉଙ୍କ ଦର୍ଶନ ସାରି ମନ୍ଦିର ଭିତରେ ପ୍ରାୟ ୨୦ମିନିଟ୍ ସମୟ ରହିବା ପରେ ମୁଖ୍ୟମନ୍ତ୍ରୀ  ପୁରୀ ମୁନସିପାଲଟି ମାର୍କେଟରେ ପହଞ୍ଚି ଶ୍ରୀକ୍ଷେତ୍ରର ନବକଳେବର ପାଇଁ ୫୧୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେବାକୁ ଥିବା ୭ଟିପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ପ୍ରକଳ୍ପ ନିର୍ମାଣ ପରେ  ପୁରୀ ବିଶ୍ୱ ଐତ୍ୟହ୍ୟର ରୂପ ପାଇବ ବୋଲି ଆକଳନ କରାଯାଇଛି। ଏହା ମଧ୍ୟରେ  ଆକର୍ଷଣୀୟ ଶ୍ରୀସେତୁ,  ଶ୍ରୀଜଗନ୍ନାଥବଲ୍ଲଭ ଯାତ୍ରୀ ସେବା କେନ୍ଦ୍ର, ସ୍ୱର୍ଗଦ୍ୱାର ଶ୍ମଶାନ ଘାଟର ସୌନ୍ଦର୍ଯ୍ୟକରଣ, ଜେଲ ରୋଡରେ ବହୁତଳ ପାର୍କିଂ,  ବେଳାଭୂମିରେ ଭେଣ୍ଡିଂ ଜୋନ୍, ମାର୍କେଟ ଛକରେ ବହୁମୁଖୀ ମାର୍କେଟ କମ୍ପେ୍ଲକ୍ସ ଭଳି ସୌନ୍ଦର୍ଯ୍ୟକରଣ ପ୍ରକଳ୍ପମାନ ରହିଛି । ଏହି ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହେଲେ ପୁରୀ ଆହୁରି ସୁନ୍ଦର ଦେଖାଯିବ ବୋଲି କହିଛନ୍ତି ନବୀନ ।

ସୂଚନାଯୋଗ୍ୟ, ପ୍ରତିବର୍ଷ ନୂଆବର୍ଷରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥାନ୍ତି ମୁଖ୍ୟମନ୍ତ୍ରୀ । କିନ୍ତୁ ଚଳିତ ଥର ଭିଣୋଇଙ୍କ ଦେହାନ୍ତ କାରଣରୁ ନୂଆ ବର୍ଷରେ ପୁରୀ ଯାଇ ପାରି ନ ଥିଲେ କି ମହାପ୍ରଭୁଙ୍କ ଦର୍ଶନ କରିପାରି ନ ଥିଲେ ।

ସମ୍ବନ୍ଧିତ ଖବର