ଭୁବନେଶ୍ୱର: ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ର ଶିକାର ହୋଇଥିବା ସାଲେପୁର ଅଞ୍ଚଳର ୬ ବର୍ଷର ନାବାଳିକା ରବିବାର କଟକ ବଡ଼ଡାକ୍ତରଖାନାରେ ଆଖି ବୁଜିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ନବୀନ ପୀଡ଼ିତାଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଅନୁକମ୍ପା ଦେବାକୁ ଘୋଷଣା କରିଛନ୍ତି। ଦୀର୍ଘ ଆଠ ଦିନ ହେବ ନାବାଳିକା ପୀଡ଼ିତା ଏସ୍ସିବିର ଶିଶୁ ବିଭାଗ ଟ୍ରୋମା ଆଇସିୟୁରେ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ। ଡାକ୍ତରମାନେ ବହୁ ଉଦ୍ୟମ କରି ମଧ୍ୟ ପୀଡ଼ିତାକୁ ବଞ୍ଚାଇ ପାରି ନାହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମର ଶିକାର ହେବା ପରେ ନାବାଳିକାକୁ ମୂମୁର୍ଷୁ ଅବସ୍ଥାରେ ଗତ ଏପ୍ରିଲ ୨୧ରେ ଉଦ୍ଧାର କରାଯାଇଥିଲା। ଏହା ପରେ ଗୁରୁତର ଭାବେ ଏସ୍ସିବିରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ମଧ୍ୟ ନାବାଳିକାର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ଦେଖାଯାଇ ନଥିଲା। ତାଙ୍କର ବ୍ରେନ୍ ଷ୍ଟେମ୍ କାମ କରିବା ଶନିବାର ଠାରୁ ବନ୍ଦ ହୋଇ ଯାଇଥିଲା। ତାକୁ ଚିମୁଟିଲେ ମଧ୍ୟ ଯନ୍ତ୍ରଣା ଲାଗୁ ନଥିଲା। ସେହିପରି ଆଖି ଉପରେ ଆଲୋକର ପ୍ରଭାବ ମଧ୍ୟ ନଥିବା ମଧ୍ୟ ଡାକ୍ତର ଦଳ ଦେଖିବାକୁ ପାଇଥିଲେ।
ପାଦତଳ ବଧିରା ହୋଇ ଯାଇଥିଲା। ତେଣୁ ଡାକ୍ତରମାନେ ପୂର୍ବାନୁମାନ କରିଥିଲେ ଯେ, ପୀଡ଼ିତାଙ୍କ ଅବସ୍ଥା ଆହୁରି ଖରାପ ଦିଗ ଆଡ଼କୁ ଯାଉଛି। ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ବୁଝିବାକୁ ବାଚସ୍ପତି ପ୍ରଦୀପ ଅମାତ ଶନିବାର ଏସ୍ସିବି ମେଡିକାଲକୁ ଆସିଥିଲେ।