ତୃତୀୟ ମହଲାକୁ ଟାର୍ଗେଟ୍‌ ପରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ : ସମୟ ଆସିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

 

ଭୁବନେଶ୍ୱର: ତୃତୀୟ ମହଲାକୁ ହେଉଥିବା ଘନ ଘନ ଶାଣିତ ଆକ୍ରମଣର ଜବାବ ଦେବା ପାଇଁ ଆଜି ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦାକୁ ବାହାରି ଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଟାର୍ଗେଟ କରୁଥିବା ରାଜନେତାମାନଙ୍କୁ ନିଜ ଷ୍ଟାଇଲରେ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଯେଉଁମାନେ ତୃତୀୟ ମହଲାକୁ ଟାର୍ଗେଟ କରୁଛନ୍ତି, ସେମାନଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ। ପ୍ରସଙ୍ଗ ନ ଥିବାରୁ ସେମାାନେ ମୋ କାର୍ଯ୍ୟାଳୟକୁ ଟାର୍ଗେଟ କରୁଛନ୍ତି ବୋଲି କହି ତେରଛା ବାଣ ମାରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ।ଯେଉଁ ଦଳୀୟ ନେତା ତୃତୀୟ ମହଲାକୁ ଟାର୍ଗେଟ କରିଛନ୍ତି, ତାଙ୍କୁ ସମୟ ଆସିଲେ ଉତ୍ତର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।

ସୂଚନା ଯୋଗ୍ୟ ଯେ ଗତ ଦୁଇଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ତୃତୀୟ ମହଲାକୁ ତିନି ତିନି ଜଣ ରାଜନେତା ଟାର୍ଗେଟ କରିଛନ୍ତି। ଦୁଇଜଣ ବିଜୁ ଜନତା ଦଳର ହୋଇଥିବା ବେଳେ ତୃତୀୟ ଜଣକ ହେଉଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଗତକାଲି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍‌ ବୁହାଳୋ ପଞ୍ଚାୟତଠାରେ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ଏକ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନ ପାଇଁ ଯାଇଥିଲେ। ପୂର୍ବରୁ ବୈଜୟନ୍ତଙ୍କୁ ବିରୋଧ କରି ବିଜେଡି ବ୍ଲକ୍‌ ସଭାପତି ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ଏହି ପ୍ରକଳ୍ପ ଉଦ୍‌ଘାଟନ ବନ୍ଦ କରିବାକୁ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ। ତେବେ ବୈଜୟନ୍ତ ଏହି ପ୍ରକଳ୍ପ ଉଦ୍‌ଘାଟନ କରିବା ପରେ ଶାଣିତ ଅଥଚ ତେରଛା ବାଣ ମାରି ତୃତୀୟ ମହଲାକୁ ଟାର୍ଗେଟ କରିଥିଲେ। ଅତୀତରେ ମଧ୍ୟ ତୃତୀୟ ମହଲାର ଅଣଓଡ଼ିଆ ଅଧିକାରୀ ବିବାଦ ସୃଷ୍ଟି କରୁଛନ୍ତି ବୋଲି ବୈଜୟନ୍ତ କହିଥିଲେ।

ସେହିପରି ଅନ୍ୟତମ ବିଜେଡ଼ି ନେତା ସତ୍ୟବାଦୀର ପୂର୍ବତନ ବିଧାୟକ ରାମରଞ୍ଜନ ବଳିୟାରସିଂହ ଦଳରୁ ଇସ୍ତଫା ଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ବିଜେଡି ଉପରୁ ନିୟନ୍ତ୍ରଣ ହରାଇଛନ୍ତି। ବିଜେଡିକୁ ଆଉ ଜଣେ ଅଣଓଡ଼ିଆ ଅଧିକାରୀ ନିୟନ୍ତ୍ରଣ କରୁଛନ୍ତି। ବିଜେଡିର ଏହି ଦୁଇ ନେତା ସିଧାସଳକ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଟାର୍ଗେଟ କରିବା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ତୃତୀୟ ମହଲାର ଅଣଓଡ଼ିଆ ଅଧିକାରୀ ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦେଶକଙ୍କୁ ଅସହାୟ କରି ରାଜ୍ୟର ୫୫୦ ଥାନାକୁ ସିଧାସଳଖ ନିୟନ୍ତ୍ରଣ କରୁଛନ୍ତି।

PTI7_25_2014_000214A

ଗୋଟିଏ ଦିନରେ ତିନି ତିନି ଜଣ ରାଜନେତା ତୃତୀୟ ମହଲାକୁ ନିଜ ବୟାନରେ ଆକ୍ରମଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ମୁହଁ ଖୋଲିଛନ୍ତି। ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଟାର୍ଗେଟ ସମ୍ପର୍କରେ କହିଛନ୍ତିି, ସେମାନଙ୍କ ପାଖରେ ବର୍ତ୍ତମାନ ପ୍ରସଙ୍ଗ ନ ଥିବାରୁ ସେମାନେ ମୋ କାର୍ଯ୍ୟାଳୟକୁ ଟାର୍ଗେଟ କରିଛନ୍ତି। ଯେଉଁ ଦଳୀୟ ନେତା ତୃତୀୟ ମହଲାକୁ ଟାର୍ଗେଟ କରିଛନ୍ତି, ତାଙ୍କୁ ସମୟ ଆସିଲେ ଉତ୍ତର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିବା ସହିତ ବୈଜୟନ୍ତଙ୍କ ବିରୋଧରେ ଆଗାମୀ ଦିନରେ ଯେ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ନେଇ ପରୋକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର