ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ‘ସବୁ ଦିନ ଯିବା ସ୍କୁଲ ଉପସ୍ଥାନ-୨୦୧୮ ଅଭିଯାନ’

ନବୀନ କହିଲେ - ବିଦ୍ୟାଳୟରେ ଶତ ପ୍ରତିଶତ ଉପସ୍ଥାନ ରହିଲେ ପୁରସ୍କୃତ ହେବ ପଞ୍ଚାୟତ

ଭୁବନେଶ୍ୱର: ବ୍ୟକ୍ତିର ବିକାଶରେ ବିଦ୍ୟାଳୟର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ତେଣୁ ପିଲାମାନେ ଯେପରି ସବୁଦିନ ବିଦ୍ୟାଳୟକୁ ଆସିବେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ‘ସବୁ ଦିନ ସ୍କୁଲ ଉପସ୍ଥାନ-୨୦୧୮’ର ଶୁଭାରମ୍ଭ କରିଛନ୍ତି। ସଚିବାଳୟରେ ଅନୁଷ୍ଠିତ ଏକ ସଂକ୍ଷିପ୍ତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହି ସଚେତନତା ଅଭିଯାନର ଶୁଭାରମ୍ଭ କରିବା ସହିତ ବିଦ୍ୟାଳୟରେ ଶତ ପ୍ରତିଶତ ଉପସ୍ଥାନ ରହିଲେ ପଞ୍ଚାୟତକୁ ପୁରସ୍କୃତ କରାଯିବ ବୋଲି ଘୋଷଣା କରିଛନ୍ତି।

ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ପିଲାମାନଙ୍କର ନିୟମିତ ଉପସ୍ଥାନକୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିରେ ପିତାମାତା, ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ପଞ୍ଚାୟତ ସ୍ତରର ନିର୍ବାଚିତ ପ୍ରତିନିଧିମାନଙ୍କୁ ଏହି ଅଭିଯାନରେ ସାମିଲ କରାଯାଇ ପ୍ରତି ଦିନ ସ୍କୁଲ ଯିବାର ଆବଶ୍ୟକତା ସଂପର୍କରେ ସଚେତନ କରାଯିବ। ଏଥି ସହିତ ବିଭିନ୍ନ ଗଣମାଧ୍ୟମ ଓ ପ୍ରଚାର ପୁସ୍ତିକା ଜରିଆରେ ସଚେତନତା ସୃଷ୍ଟି କରାଯିବ। ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ, ୟୁନିସେଫର ପ୍ରତିନିଧି ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର