ଭୁବନେଶ୍ୱରରୁ ପୁଣେ ବିମାନ ଉଡ଼ାଣ ହେଉ

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଭୁବନେଶ୍ୱରରୁ ପୁଣେକୁ ବିମାନ ଉଡ଼ାଣ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଶୋକ ଗଜପତି ରାଜୁ ପୁଶପତିଙ୍କୁ ଚିଠି ଲେଖିଛନ୍ତି। ଭୁବନେଶ୍ୱର ଓ ପୁଣେ ମଧ୍ୟରେ ବହୁ ଯାତ୍ରୀ ଯାତାୟତ କରୁଥିଲେ ହେଁ ସିଧା ବିମାନ ସେବା ନଥିବାରୁ ଯାତ୍ରୀମାନେ ଭୁବନେଶ୍ୱରରୁ ଭାୟା ହାଇଦ୍ରାବାଦ ବା ବମ୍ବେ ହୋଇ ପୁଣେ ଯାଉଛନ୍ତି। ତେଣୁ ଏହି ରୁଟ୍‌ରେ ଏୟାର ଇଣ୍ଡିଆ କି ଅନ୍ୟ କୌଣସି ଘରୋଇ ସଂସ୍ଥା ଯେପରି ସିଧା ବିମାନ ଉଡ଼ାଣ ସେବା ଆରମ୍ଭ କରିବେ ସେନେଇ କେନ୍ଦ୍ରମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଭୁବନେଶ୍ୱର ଓ ପୁଣେ ଦେଶର ଦୁଇଟି ପ୍ରମୁଖ ଶିକ୍ଷା ଓ ଆଇଟି ହବ୍‌। ବହୁ ଶିକ୍ଷାବିତ, ଆଇଟି କର୍ମଚାରୀ, ଉଚ୍ଚପଦସ୍ଥ ଅଧିକାରୀମାନେ ବିଭିନ୍ନ କାର୍ଯ୍ୟରେ ଏହି ଦୁଇ ସହର ମଧ୍ୟରେ ବହୁବାର ଯାତାୟତ କରୁଛନ୍ତି। ଏହାବାଦ୍‌ ପୁଣେରୁ ବହୁ ଲୋକ ପୁରୀ, କୋଣାର୍କ, ଚିଲିକା ଏବଂ ଭୁବନେଶ୍ୱର ଆଖପାଖରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଆସୁଛନ୍ତି। ଏଠାରୁ ବହୁ ଲୋକ ପୁଣେ ନିକଟସ୍ଥ ଶିରିଡ଼ି, ମହାବଳେଶ୍ୱର, ତ୍ରୟମ୍ବକେଶ୍ୱର ଆଦି ସ୍ଥାନକୁ ଯାଉଛନ୍ତି। କିନ୍ତୁ ସିଧା ବିମାନ ଉଡ଼ାଣ ନଥିବାରୁ ଯାତ୍ରୀମାନେ ଭାୟା ହାଇଦ୍ରାବାଦ କି ବମ୍ବେ ହୋଇ ଯାତାୟତ କରୁଛନ୍ତି। ଏହାଦ୍ୱାରା ବିମାନ ଭଡ଼ା ଅଧିକ ପଡ଼ୁଛି। ତେଣୁ ଯଥାସମ୍ଭବ ଶୀଘ୍ର ଭୁବନେଶ୍ୱରରୁ ପୁଣେକୁ ସିଧା ବିମାନ ଉଡ଼ାଣ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି।

ସମ୍ବନ୍ଧିତ ଖବର