କୁନ୍ଦୁଲି ଗଣଦୁଷ୍କର୍ମ ମାମଲା: ପୀଡ଼ିତାଙ୍କ ଅାତ୍ମହତ୍ୟା ବିଚାର ବିଭାଗୀୟ ତଦନ୍ତର ପରିସରଭୁକ୍ତ ହେଲା

ଭୁବନେଶ୍ୱର: କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ବିଚାର ବିଭାଗୀୟ ତଦନ୍ତ ପରିସରକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା  ଏବେ ବିଚାର ବିଭାଗୀୟ ତଦନ୍ତ ପରିସରଭୁକ୍ତ ହୋଇଛି। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କୁନ୍ଦୁଲି ପୀଡ଼ିତା କେଉଁ ପରିସ୍ଥିତିରେ ଓ କାହିଁକି ଆତ୍ମହତ୍ୟା କଲେ ତାହାକୁ ତଦନ୍ତ ପରିଧିକୁ ଅଣାଯାଇଛି। ପୂର୍ବରୁ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ତଦନ୍ତ ଦାୟିତ୍ବ ଜଣେ ଜିଲ୍ଲା ଜଜଙ୍କୁ ଦିଅାଯାଇଥିଲା। ଗତ ଡିସେମ୍ବର ୨୬ରେ କୁନ୍ଦୁଲି  ଗଣଦୁଷ୍କର୍ମର  ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ହୋଇଥିଲା।

ସୂଚନାଯୋଗ୍ୟ, କୁନ୍ଦୁଲି ଘଟଣାର ତଦନ୍ତ ଜାତୀୟ ମାନବିକ ଅଧିକାର କମିସନ(ଏନ୍‌ଏଚ୍‌ଆରସି) କରିବେ । ଏନ୍‌ଏଚ୍‌ଆରସିର ଏକ ବିଶେଷଜ୍ଞ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ରିପୋର୍ଟ ପ୍ରଦାନ କରିବେ। କୁନ୍ଦୁଲୀ ନାବାଳିକା ଛାତ୍ରୀ ଗଣ ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାରେ ହସ୍ତକ୍ଷେପ ପାଇଁ ରାଧାକାନ୍ତ ତ୍ରିପାଠୀ ନାମକ ଜଣେ ଆବେଦନକାରୀଙ୍କ ଆବେଦନ ଉପରେ ଶୁଣାଣି କରି କମିସନ ଏନଏଚ୍‌ଆରସିର ଡିଜି ( ତଦନ୍ତ)ଙ୍କୁ ଏକ ଟିମ୍‌ ଗଠନ କରି ତୁରନ୍ତ ଏହି ମାମଲାର ତଦନ୍ତ ପାଇଁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କମିସନ୍‌ ରାଜ୍ୟ ସରକାରଙ୍କୁ ମଧ୍ୟ ଏନଏଚ୍‌ଆରସି ଟିମ୍‌କୁ ତଦନ୍ତ ସମୟରେ ସମସ୍ତ ସହଯୋଗ କରିବା ସହିତ ଆବଶ୍ୟକ ସମସ୍ତ ତଥ୍ୟ ଓ ରିପୋର୍ଟ ଏହି ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଟିମ୍‌ ୧୫ ଦିନ ମଧ୍ୟରେ କୁନ୍ଦୁଲି ଯାଇ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ କମିସନ୍‌ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର