ଓଡ଼ିଶାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାକୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା(ଏସ୍ଏଫ୍ଏସ୍ଏସ୍)କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ସଚିବାଳୟ ଠାରେ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ନବରଙ୍ଗପୁର, ବଲାଙ୍ଗୀର, ସୁନ୍ଦରଗଡ଼ ଓ ବାଲେଶ୍ୱରରେ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି। ରାଜ୍ୟ ସରକାର ଏହି ନିଜସ୍ୱ ଯୋଜନାରେ ୧୫ ଲକ୍ଷ ୭୪ ହଜାର ହିତାଧିକାରୀଙ୍କୁ ସାମିଲ କରିଥିବା ବେଳେ ଆଗାମୀ ମାର୍ଚ୍ଚ ସୁଦ୍ଧା ଆହୁରି ପାଖାପାଖି ୧୦ ଲକ୍ଷ ହିତାଧିକାରୀ ଯୋଡ଼ି ହେବେ ବୋଲି କହିଛନ୍ତି। ପଶ୍ଚିମ ଓଡ଼ିଶାରୁ ସର୍ବାଧିକ ୪ ଲକ୍ଷ ୪୮ ହଜାର ହିତାଧିକାରୀ ଯୋଡ଼ି ହୋଇ ଯାଇଛନ୍ତି। ଏହି ଯୋଜନାରେ ୬ ଲକ୍ଷ ୭୦ ହଜାର ପରିବାରରେ ଥିବା ମୋଟ୍ ୨୫ ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା।

ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ନିକଟରେ କରିଥିବା ସମୀକ୍ଷାରୁ ଜଣାଯାଇଛି ଯେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ୭୩ ପ୍ରତିଶତରୁ ଅଧିକ ଲକ୍ଷ୍ୟ ପୂରଣ ହୋଇଥିବା ବେଳେ ଅବଶିଷ୍ଟ ହିତାଧିକାରୀ ଆସନ୍ତା ମାସ ଦ୍ବିତୀୟ ସପ୍ତାହ ସୁଦ୍ଧା ଏଥିରେ ସାମିଲ ହୋଇପାରିବେ। ରାଜ୍ୟର ୪ଟି ଜିଲ୍ଲାରେ ୯୦ ପ୍ରତିଶତରୁ ଅଧିକ ଲକ୍ଷ୍ୟ ପୂରଣ ହୋଇଛି। ନୂଆପଡ଼ା ଜିଲ୍ଲାରେ ୯୮ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇଥିବା ବେଳେ ବଲାଙ୍ଗୀରରେ୯୫.୮, ବୌଦ୍ଧରେ ୯୨.୭ ପ୍ରତିଶତ ପୂରଣ ହୋଇଛି। ଗଞ୍ଜାମ ଜିଲ୍ଲାରେ ୯୦ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇଛି। ଗଞ୍ଜାମ ଜିଲ୍ଲା ସର୍ବାଧିକ ୧ ଲକ୍ଷ ୮୬ ହଜାର ହିତାଧିକାରୀଙ୍କ ସହିତ ପ୍ରଥମ ସ୍ଥାନରେ ଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ୯୬ହଜାର ହିତାଧିକାରୀଙ୍କ ସହିତ ଦ୍ବିତୀୟ ସ୍ଥାନରେ ରହିଛି। ସ˚ଖ୍ୟାଧିକ ହିତାଧିକାରୀଙ୍କ ନାମ ଏନ୍ଏଫ୍ଏସ୍ଏରେ ରହିଥିବା ବେଳେ ସେମାନେ ରାଜ୍ୟ ଯୋଜନାରେ ଆବେଦନ କରିଥିବାରୁ ତାହାକୁ ଖାରଜ କରାଯାଉଛି। ଯେଉଁ ଗରିବ ଲୋକମାନେ ଏନ୍ଏଫ୍ଏସ୍ଏରେ ସ୍ଥାନ ପାଇନାହାନ୍ତି ସେମାନଙ୍କୁ ଏହି ରାଜ୍ୟ ଯୋଜନାରେ ସୁବିଧା ମିଳିବ।

ସୂଚନାଯୋଗ୍ୟ, ୨୦୦୮ ଅକ୍ଟୋବର ୨ ତାରିଖରୁ ରାଜ୍ୟ ସରକାର କିଲୋ ପ୍ରତି ୨ ଟଙ୍କା ଦରରେ ଚାଉଳ ଯୋଗାଣ ଆରମ୍ଭ କରିଥିଲେ। ୨୦୧୩ ମସିହାରୁ ଏକ ଟଙ୍କାରେ ଚାଉଳ ଯୋଗା ଯାଉଥିବା ବେଳେ ବର୍ତମାନ ଏଥିରେ ଆଉ ୨୫ ଲକ୍ଷ ହିତାଧିକାରୀ ଯୋଡ଼ି ହେବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର