ଅନ୍ୟ ରାଜ୍ୟରେ ଫସି ଯାଇଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଅନ୍ୟ ରାଜ୍ୟରେ ଫସିଥିବା ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ବିଭିନ୍ନ କାରଣ ନେଇ ଅନ୍ୟ ରାଜ୍ୟରେ ଓଡ଼ିଶାର ଲୋକେ ଫସିଛନ୍ତି। ଓଡ଼ିଆ ଲୋକଙ୍କୁ ସହାୟତା କରିବା ପାଇଁ ନବୀନ ଅପିଲ କରିଛନ୍ତି। ସେମାନଙ୍କ ରହିବା, ଖାଇବା ବନ୍ଦୋବସ୍ତ କରିବାକୁ ନିବେଦନ କରିଛନ୍ତି। ସେହି ବାବଦରେ ଓଡ଼ିଶା ସରକାର ସମସ୍ତ ଖର୍ଚ୍ଚ ବହନ କରିବେ। ସଂପୃକ୍ତ ଜିଲ୍ଲାପାଳମାନଙ୍କୁ ଜଣାଇବାକୁ ନବୀନ ଅନୁରୋଧ କରିଛନ୍ତି। ପ୍ରମୁଖ ସଚିବ ଏ ନେଇ ତଦାରଖ କରିବେ ବୋଲି ନବୀନ କହିଛନ୍ତି।

ସେହିପରି ବାହାର ରାଜ୍ୟରୁ ଆସି ଓଡ଼ିଶାରେ ଥିବା ଲୋକଙ୍କୁ ସହାୟତା କରାଯାଉଛି ବୋଲି ନବୀନ କହିଛନ୍ତି। ସେମାନଙ୍କ ସମସ୍ତ ଆନୁଷଙ୍ଗିକ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ବହନ କରୁଛି। ଅନ୍ୟ ରାଜ୍ୟର କେହି ଲୋକେ ଫସିଥିଲେ ସିଧାସଳଖ ଜଣାନ୍ତୁ ବୋଲି ନବୀନ କହିଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ପରିସ୍ଥିତିରେ ଓଡ଼ିଶାର ବହୁ ସଂଖ୍ୟାରେ ଲୋକେ ଓଡ଼ିଶା ବାହାରେ ଫସିରହିଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଲୋକ ବାହାରକୁ ତୀର୍ଥସ୍ଥାନ ଯାଇ ଫସିଥିବା ବେଳେ ଅନ୍ୟମାନେ ଚାକିରି କରୁଥିବାରୁ ଓଡ଼ିଶାକୁ ଫେରି ଆସିପାରି ନାହାନ୍ତି। ସେହିଭଳି ଓଡ଼ିଶାରୁ ଦାଦନ ଖଟିବାକୁ ଯାଇ ମଧ୍ୟ ତାମିଲନାଡୁ, ଆନ୍ଧ୍ୟପ୍ରଦେଶ, କେରଳ, କର୍ଣ୍ଣାଟକ, ଗୁଜୁରାଟ, ଗୋଆ, ମହରାଷ୍ଟ୍ର ଆଦି ରାଜ୍ୟରେ ବହୁ ଶ୍ରମିକ ଫସିଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି।

କରୋନା ଲକ୍ ଡାଉନ୍ ପାଇଁ କଳାହାଣ୍ଡି ଜିଲ୍ଲାର ୨୫ରୁ ଅଧିକ ଦାଦନ ଶ୍ରମିକ ଆନ୍ଧ୍ର ପ୍ରଦେଶରେ ଫସିଛନ୍ତି। ସେମାନେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଘର ବାହୁଡ଼ା ପାଇଁ ନିବେଦନ କରିଛନ୍ତି। ୨୫ରୁ ଅଧିକ ଦାଦନ ଶ୍ରମିକ ଆନ୍ଧ୍ର ପ୍ରଦେଶର ଆଚୁତପୁରମଠାରେ ଭୋକ ଉପାସରେ ଫସି ରହିଛନ୍ତି। କଂପାନି ଦୁଇ ମାସର ଦରମା ପୈଠ କରି ନାହିଁ କି ଖାଇବା ବ୍ୟବସ୍ଥା କରି ନାହିଁ। ଏମାନେ ଜୁନାଗଡ଼, ଗୋଲାମୁଣ୍ଡା, କେସିଙ୍ଗା ବ୍ଲକର ଦାଦନ ଶ୍ରମିକ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର