ସନ୍ଧ୍ୟା ସୁଦ୍ଧା ୯୦ ପ୍ରତିଶତ ବାତ୍ୟା ପ୍ରଭାବିତ ଅଂଚଳରେ ଜଳ ଯୋଗାଣ ହେବ: ନବୀନ
ପୁରୀ: ସାମୁଦ୍ରିକ ଝଡ଼ ‘ଫନି’ ଯୋଗୁଁ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସମେତ ପୁରୀ ବ୍ୟାପକ ବିପର୍ଯ୍ୟୟର ଶିକାର ହୋଇଛି। ଶୁକ୍ରବାର ପୂର୍ବାହ୍ଣରେ ହୋଇଥିବା ଝଡ଼ ଯୋଗୁଁ ବିଦ୍ୟୁତ ଯୋଗାଯୋଗ ହୋଇପାରି ନାହିଁ। ମାତ୍ର ପୁରୀରେ ପାଣି ଯୋଗାଇବା ବ୍ୟବସ୍ଥା ଧୀରେ ଧୀରେ ସୁଧୁରୁଛି। ଏଯାଏଁ ୭୦ ପ୍ରତିଶତ ଅଚଂଳରେ ଜଳ ଯୋଗାଣ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସ୍ଥାନୀୟ ପେଣ୍ଠକଟା ଓ ତାଳବଣିଆ ଅଂଚଳ ଗସ୍ତ କରି ନବୀନ କହିଛନ୍ତି, ଆଜି ରାତି ସୁଦ୍ଧା ୯୦ ପ୍ରତିଶତ ଅଂଚଳରେ ଜଳ ଯୋଗାଣ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ ନବୀନ ପଟ୍ଟନାୟକ ଆକାଶମାର୍ଗରୁ ବାତ୍ୟାର ସ୍ଥିତି ସମୀକ୍ଷା କରିଥିଲେ। ଏଥି ସହିତ ନବୀନ ଆଜି ବାତ୍ୟା ପ୍ରଭାବିତ ଲୋକଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। କୌଣସି ବ୍ୟକ୍ତିଙ୍କ ଘର ସଂପୂର୍ଣ୍ଣ ରୂପେ ଭାଙ୍ଗିଥାଏ, ତା’ ହେଲେ ୯୫ ହଜାର ୧୦୦ ଟଙ୍କା ମିଳିବ। ଆଂଶିକ ରୂପେ ଭାଙ୍ଗିଥିଲେ ୫୨,୦୦ ଟଙ୍କା ଓ ସାମାନ୍ୟ ଭାଙ୍ଗିଥିଲେ ୩୨୦୦ ଟଙ୍କା ମିଳିବ। ପ୍ରଭାବିତ ଅଂଚଳର ପେନ୍ସନଧାରୀଙ୍କୁ ଗୋଟିଏ ମାସର ଅତିରିକ୍ତ ଟଙ୍କା ପେନ୍ସନ୍ ମିିଳବ।
ଘୋଷଣା ଅନୁସାରେ ଘର ଭାଙ୍ଗିଯାଇଥିଲେ ହାଉସିଂ ସ୍କିମରେ ପୁନଃନିର୍ମାଣ କରାଯିବ। ଫସଲ ନଷ୍ଟ ଓ ଗୃହପାଳିତ ପଶୁ ମରିଥିଲେ କ୍ଷତିପୂରଣ ମିଳିବ। ସେହିପରି ରିଲିଫ, ପୁନରୁଦ୍ଧାର କାର୍ଯ୍ୟ ସରିବା ପରେ ବୃକ୍ଷରୋପଣ ତ୍ୱରାନ୍ଵିତ ହେବ। ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏହି ଲୋକମାନଙ୍କୁ ୫୦ କିଲୋ ଲେଖାଏଁ ଚାଉଳ ଦିଆଯିବ।
ବନ୍ୟା ବିପନ୍ନର ଶିକାର ହୋଇଥିବା ଲୋକଙ୍କୁ ଚାଉଳ ସହିତ ୨ ହଜାର ଟଙ୍କା ଓ ପଲିଥିନ ଦିଆଯିବ। ଖୋର୍ଦ୍ଧା ଜିଲ୍ଲାରେ ଅତି ପ୍ରଭାବିତ ଲୋକଙ୍କୁ ଗୋଟିଏ ମାସର ଅତିରିକ୍ତ ଚାଉଳ ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି। ପ୍ରଭାବିତଙ୍କୁ ୧ ହଜାର ଟଙ୍କା ସହିତ ପଲିଥିନ୍ ମଧ୍ୟ ଦିଆଯିବ। କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ପ୍ରଭାବିତ ଲୋକଙ୍କୁ ୫୦୦ ଟଙ୍କା ମିଳିବ। ଏଥି ସହିତ ଅତିରିକ୍ତ ଗୋଟିଏ ମାସର ଚାଉଳ ମଧ୍ୟ ମିଳିବ।