ଏଡିଆର ରିପୋର୍ଟ : ବିଧାନସଭା କ୍ଷେତ୍ରରୁ ନବୀନ, ଲୋକସଭାରୁ ସଙ୍ଗୀତା ସବୁଠାରୁ ଧନୀ

ବିଜେପିର ସର୍ବାଧିକ ପ୍ରାର୍ଥୀଙ୍କ ନ‌ାମରେ ମା‌ମଲା, ୧୧୧ଜଣ ପ୍ରାର୍ଥୀଙ୍କ ଶିକ୍ଷା ୫ମରୁ ୧୨ଶ ଶ୍ରେଣୀ, ୬୧ରୁ ୮୦ ବର୍ଷ ବୟସର ୩୬ ପ୍ରାର୍ଥୀ

ଭୁବନେଶ୍ବର : ଆସନ୍ତା ୧୮ ତାରିଖରେ ରାଜ୍ୟର ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ‌ ପାଇଁ ସାଧାରଣ ନିର୍ବାଚନ ହେଉଛି। ଏସବୁ ବିଧାନସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ମୋଟ ୨୪୪ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୪୧ଜଣଙ୍କର ବିଭିନ୍ନ ତଥ୍ୟକୁ ନେଇ ବିଶ୍ଳେଷଣ ହୋଇଛି। ସେହି ତଥ୍ୟରୁ ଜଣାଯାଇଛି, ସର୍ବାଧିକ ବିଜେପି ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି। ଏହି ପର୍ଯ୍ୟାୟରେ ୧୪ଟି ବିଧାନସଭା କ୍ଷେତ୍ର(ରେଡ୍‌ ଆଲର୍ଟ ଆସନ) ରହିଛି, ଯେଉଁଠି ପ୍ରତ୍ୟେକ ଆସନରୁ ଅପରାଧିକ ମାମଲା ଥିବା ଅନ୍ୟୂନ ୩ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏହି ପର୍ଯ୍ୟାୟ ପ୍ରାର୍ଥୀମାନଙ୍କ ମଧ୍ୟରେ ୭୦ଜଣ ହେଉଛନ୍ତିି କୋଟିପତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଭୟ ସ୍ଥାବର ଓ ଅସ୍ଥାବର ସଂପତ୍ତିର ମୂଲ୍ୟ ୬୩ କୋଟି ଟଙ୍କାରୁ ଅଧିକ। ତେବେ ଏମାନଙ୍କ ମଧ୍ୟରେ ରହିଥିବା ୨ଜଣ ପ୍ରାର୍ଥୀଙ୍କ ନାମରେ ଆଦୌ ସଂପତ୍ତି ନାହିଁ। ୧୧୧ଜଣ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ୫ମରୁ ଦ୍ବାଦଶ ଶ୍ରେଣୀ। ସବୁଠାରୁ ଚିନ୍ତାଜନକ ବିଷୟ ଯେ ମହିଳା ପ୍ରତିନିଧିତ୍ବ ହାର ମାତ୍ର ୧୦ ପ୍ରତିଶତ।

ଆଜି ପ୍ରକାଶିତ ଏଡିଆର ସର୍ଭେ ରିପୋର୍ଟରେ ଦ୍ବିତୀୟ ପର୍ଯ୍ୟାୟର ନିର୍ବାଚନ‌ ଲଢ଼ୁଥିବା ପ୍ରାର୍ଥୀମାନଙ୍କ ଅପରାଧିକ, ଆର୍ଥିକ, ଶିକ୍ଷାଗତ ଓ ଅନ୍ୟାନ୍ୟ ବିବରଣୀ ସଂପର୍କରେ ରୋଚକ ତଥ୍ୟମାନ ପ୍ରକାଶ ପାଇଛି। ଏ ସମସ୍ତ ତଥ୍ୟ ଖୋଦ୍‌ ପ୍ରାର୍ଥୀମାନେ ନିଜ ନିଜ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଏହି ପର୍ଯ୍ୟାୟର ନିର୍ବାଚନରେ ଉଭୟ ହିଞ୍ଜିଳି ଓ ବିଜେପୁର ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଅନ୍ୟ ଜଣାଶୁଣା ନେତାମାନଙ୍କ ମଧ୍ୟରେ ଅଛନ୍ତିି ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ, ତାଙ୍କ ପତ୍ନୀ ସଙ୍ଗୀତା ସିଂହଦେଓ, ଅର୍କେଶ ନାରାୟଣ ସିଂହଦେଓ, ନରସିଂହ ମିଶ୍ର, ବିକ୍ରମ କେଶରୀ ଆରୁଖ ପ୍ରମୁଖ।

ମୋଟ ୨୪୧ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୮୪ଜଣ ଅର୍ଥାତ୍‌ ୩୫ ପ୍ରତିଶତ ପ୍ରାର୍ଥୀ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଏବଂ ୬୮ଜଣ ପ୍ରାର୍ଥୀଙ୍କ ନାମରେ ଗୁରୁତର ଅପରାଧିକ ମାମଲାମାନ ରହିଛି। ରାଜନୈତିକ ଦଳ ହିସାବରେ ଦେଖିଲେ, ୩୫ଜଣ ବିଜେପି ପ୍ରାର୍ଥୀଙ୍କ ମଧ୍ୟରୁ ୨୧ଜଣ ଅର୍ଥାତ୍‌ ୩୫ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ଥିବା ବେଳେ କଂଗ୍ରେସର ୧୭ ଓ ବିଜେଡିର ୧୩ଜଣଙ୍କ ବିରୋଧରେ ମାମଲା ରହିଛି। ଏ କ୍ଷେତ୍ରରେ ଅପରାଧିକ ମାମଲା ରହିଥିବା ୩ କିମ୍ବା ଅଧିକ ସଂଖ୍ୟକ ପ୍ରାର୍ଥୀମାନେ ଲଢ଼ୁଥିବା ୧୪ଟି ବିଧାନସଭା ଆସନକୁ ରେଡ୍‌ ଆଲର୍ଟ ଶ୍ରେଣୀଭୁକ୍ତ କରାଯାଇଛି। ସେଗୁଡ଼ିକ ହେଉଛି ରାଉରକେଲା, ପଦ୍‌ମପୁର, ବୌଦ୍ଧ, ସୋରଡ଼ା, ରଘୁନାଥପାଲୀ, ପୋଲସରା, ଟିଟଲାଗଡ଼, ରାଜଗାଙ୍ଗପୁର, କଣ୍ଟାବାଂଜି, ବଣାଇଁ, ବିଜେପୁର, ବଲାଙ୍ଗୀର, ପାଟଣାଗଡ଼ ଓ ବ୍ରଜରାଜନଗର।

ଏହି ପର୍ଯ୍ୟାୟର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ୭୦ଜଣ କୋଟିପତିଙ୍କ ମଧ୍ୟରୁ ବିଜେଡିରୁ ୨୧ଜଣ, ବିଜେପିରୁ ୨୦ଜଣ ଓ କଂଗ୍ରେସରୁ ୧୩ଜଣ ପ୍ରାର୍ଥୀ ଅଛନ୍ତି। ତେବେ କନ୍ଧମାଳର ଫୁଲବାଣୀ ବିଧାନସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଅନନ୍ତ କଁହର ଓ ଭଞ୍ଜନଗରର କଂଗ୍ରେସ ପ୍ରାର୍ଥୀ ବିରେନ୍ଦ୍ର କୁମାର ଗୌଡ଼ଙ୍କର ସଂପତ୍ତି ଆଦୌ ନଥିବା ସେମାନେ ଦେଖାଇଛନ୍ତି। ଶିକ୍ଷାଗତ ଯୋଗ୍ୟତା ଦେଖିବାକୁ ଗଲେ, ୪ଜଣ ପ୍ରାର୍ଥୀ ସାକ୍ଷର ଥିବା ବେଳେ ୧୨୧ଜଣ ପ୍ରାର୍ଥୀ ସ୍ନାତକ ବା ତା’ଠାରୁ ଅଧିକ ଶିକ୍ଷାଗତ ଯୋଗ୍ୟତା ହାସଲ କରିଛନ୍ତି। ୧୧୧ଜଣ ପ୍ରାର୍ଥୀଙ୍କର ଶିକ୍ଷା ୫ମରୁ ଦ୍ବାଦଶ ଶ୍ରେଣୀ।

ବୟସ ତଥ୍ୟ ଅନୁଯାୟୀ ୫୭ଜଣ ପ୍ରାର୍ଥୀ ସେମାନଙ୍କର ବୟସ ୨୫ରୁ ୪୦ ବର୍ଷ ଦେଖାଇଥିବା ବେଳେ ୧୪୭ଜଣ ସେମା‌ନଙ୍କର ବୟସ ୪୧ରୁ ୬୦ ବର୍ଷ ଓ ୩୬ଜଣ ୬୧ରୁ ୮୦ ବର୍ଷ ବୟସର ବୋଲି ଦର୍ଶାଇଛନ୍ତିି। ଏହି ପର୍ଯ୍ୟାୟର ନିର୍ବାଚନରେ ୨୫ଜଣ ମହିଳା ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ ମହିଳାଙ୍କର ପ୍ରତିନିଧିତ୍ବ ହେଉଛି ୧୦ ପ୍ରତିଶତ।

ସମ୍ବନ୍ଧିତ ଖବର