ଶେଷା କିଷାନ୍‌ଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସମ୍ବଲପୁର ଜିଲ୍ଲାର ନାକଟିଦେଉଳ ବ୍ଲକ୍‌ର ଛୋଟିଆ ଗାଁ ବଳସିଂହାର ଏକ ସାଧାରଣ ଚାଷୀ ପରିବାରର ପିଲା ହେଉଛି ଶେଷା କିଶାନ। ବାଲ୍ୟକାଳରୁ ମାତୃହୀନ ଶେଷା ନିଜର ଅସାଧାରଣ ପ୍ରତିଭା, ଦୃଢ଼ ମନୋବଳ ଯୋଗୁଁ ଆଜି ଜର୍ମାନୀର ଗଟିନ୍‌ଜେନ୍‌ ବିଶ୍ୱବିଦ୍ୟାଳୟରେ ମାସକୁ ୨ ଲକ୍ଷ ଟଙ୍କା ବୃତ୍ତିରେ ରିସର୍ଚ୍ଚ ଆସୋସିଏଟ୍‌ ଭାବେ ଯୋଗ ଦେଇଛନ୍ତି। ତାଙ୍କର ଏହି ଅସାଧାରଣ ସଫଳତା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କୁ ସଚିବାଳୟରେ ସମ୍ବର୍ଦ୍ଧିତ କରିଛନ୍ତି। ଏହା ସହ ଓଏମ୍‌ସି ପକ୍ଷରୁ ତାଙ୍କୁ ଏକ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ରାଜ୍ୟ ତଥା ଦେଶର ସବୁ ଛାତ୍ରଛାତ୍ରୀଙ୍କ ପାଇଁ ସେ ପ୍ରେରଣା ସୃଷ୍ଟି କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।

ଶେଷା ନିଜ ଗାଁର ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ କରିଥିଲେ। ସ୍କୁଲ୍‌ ସହିତ ବାପାଙ୍କ ସାଙ୍ଗରେ ବିଲବାଡ଼ିରେ ମଧ୍ୟ ତାଙ୍କୁ କାମ କରିବାକୁ ପଡ଼ୁଥିଲା। ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସେ ଜବାହାର ନବୋଦୟ ବିଦ୍ୟାଳୟରେ ପାଠ ପଢ଼ିଥିଲେ। ଦ୍ୱାଦଶ ଶ୍ରେଣୀରେ ସେ ନେଷ୍ଟ ପରୀକ୍ଷାରେ ସଫଳ ହୋଇଥିଲେ ମଧ୍ୟ ପିତାଙ୍କ ଦେହାନ୍ତ ଯୋଗୁଁ ସେ ଗାଁକୁ ଯାଇଥିବାରୁ ନିଜର ସଫଳତା ବିଷୟରେ ଜାଣିପାରିଲେ ନାହିିଁଁ। ଏହା ପରେ ସେ ଭୁବନେଶ୍ୱରର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ନାମ ଲେଖାଇଥିିଲେ। ତା ପର ବର୍ଷ ମଧ୍ୟ ସେ ନେଷ୍ଟ ପରୀକ୍ଷାରେ କୃତିତ୍ୱ ହାସଲ କରି ନାଇଜର୍‌ରେ ନାମ ଲେଖାଇଲେ। ପରେ ସେ ଜର୍ମାନୀର ଗଟିନଜେନ୍‌ସ୍ଥିତ ଜର୍ଜ ଅଗଷ୍ଟ ବିଶ୍ୱବିଦ୍ୟାଳୟରେ ଜଣେ ରିସର୍ଚ୍ଚ ଆସୋସିଏଟ୍‌ ଭାବେ ଯୋଗ ଦେବା ପାଇଁ ମନୋନୀତ ହୋଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ଗତ ଉତ୍କଳ ଦିବସ ଅବସରରେ ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧିତ ଖବର