ହୋସ୍‌ଲା-୨୦୧୮ରେ ଓଡ଼ିଆ ପିଲାଙ୍କ ସଫଳତା : ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ, ହକି ଦେଖିବାକୁ ନିମନ୍ତ୍ରଣ

ଭୁବନେଶ୍ବର : ହୋସ୍‌ଲା-୨୦୧୮ରେ ଭାଗ ନେଇ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଓଡ଼ିଆ ପୁଅ-ଝିଅଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ସମ୍ବର୍ଦ୍ଧିତ କରିଛନ୍ତି। ପିଲାମାନଙ୍କ ପ୍ରଦର୍ଶନର ଉଚ୍ଚପ୍ରଶଂସା କରିବା ସହ ସେମାନଙ୍କୁ ବିଶ୍ବକପ୍ ହକି ଖେଳ ଦେଖିବା ପାଇଁ ଆମନ୍ତ୍ରଣ କରିଥିଲେ। ପ୍ରତି‌େଯାଗିତାରେ ବିଜୟୀ ହୋଇ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତ୍ୟେକ ପିଲାଙ୍କୁ ୫୦ ହଜାର ଟଙ୍କା, ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ପିଲାଙ୍କୁ ୩୦ ହଜାର ଟଙ୍କା ଓ ତୃତୀୟ ସ୍ଥାନ ପାଇଥିବା ପିଲାଙ୍କ ପାଇଁ ୨୦ ହଜାର ଟଙ୍କା ମଧ୍ୟ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର୍ ଓ ବିଭାଗୀୟ ପ୍ରମୁଖ ସଚିବ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ନଭେମ୍ବର ମାସ ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଠାରେ ଜାତୀୟ ସ୍ତରରେ ହୋସ୍‌ଲା-୨୦୧୮ ଅନୁଷ୍ଠିତ ହୋଇଥିଲା। ଏହା ଏକ ଆନ୍ତଃ ଶିଶୁ ସେବା ଅନୁଷ୍ଠାନ ପ୍ରତିଯୋଗିତା ଉତ୍ସବ। ଏଥିରେ ଓଡ଼ିଶାରୁ ୧୮ ବର୍ଷରୁ କମ୍ ୩୭ ଜଣ ପିଲା ଫୁଟ୍‌ବଲ୍‌, ଚେସ୍, ଆଥଲେଟିକ୍‌ସ୍‌, ଚିତ୍ରାଙ୍କନ, ତର୍କ ଓ ମଡେଲ୍ ନିର୍ମାଣ ଆଦି ପ୍ରତିଯୋଗିତାରେ ଭାଗ ନେଇ ୧୪ଟି ସ୍ବର୍ଣ୍ଣ, ୪ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ୍ ପଦକ ହାସଲ କରିଛନ୍ତି। ୧୮ଟି ପ୍ରତିଯୋଗୀ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ପ୍ରଦର୍ଶନ ସର୍ବଶ୍ରେଷ୍ଠ ଥିଲା।

ସମ୍ବନ୍ଧିତ ଖବର