ଅନ୍‌ଲାଇନ୍‌ରେ ବଣ୍ଟାଯିବ ହରିଶ୍ଚନ୍ଦ୍ର ସହାୟତା, ଖର୍ଚ୍ଚ ଭରଣା ପୋର୍ଟାଲ୍‌ ଉନ୍ମୋଚିତ

ଭୁବନେଶ୍ୱର : ହରିଶ୍ଚନ୍ଦ୍ର ସହାୟତାର ନୂଆ ଖର୍ଚ୍ଚ ଭରଣା ପୋର୍ଟାଲ୍‌ ଉନ୍ମୋଚିତ ହୋଇଛି। ଏହା ଦ୍ୱାରା ୧୬ଟି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଅନ୍‌ଲାଇନ୍‌ ଜରିଆରେ ସହାୟତା ବଣ୍ଟନ କରାଯିବ। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି ଓ ହରିଶ୍ଚନ୍ଦ୍ର ସହାୟତା ଯୋଜନାର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୋର୍ଟାଲ୍‌କୁ ଉନ୍ମୋଚିତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି ସହାୟତା ପାଇବାରୁ ଯେପରି ଜଣେ ବି ଯୋଗ୍ୟ ଲୋକ ବଞ୍ଚିତ ନ ହୁଏ, ସେଥି ପ୍ରତି ଉଚିତ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସମୀକ୍ଷାରୁ ଜଣାପଡ଼ିଛି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ପ୍ରତି ବର୍ଷ ୧୦ କୋଟି ଟଙ୍କା ନିଃସହାୟ ଲୋକଙ୍କୁ ସହାୟତା ପାଇଁ ଦିଆଯାଉଥିଲା ବେଳେ ଜିଲ୍ଲାପାଳମାନଙ୍କ ଜରିଆରେ ଏଥି ପାଇଁ ୪ କୋଟି ଟଙ୍କା ଯୋଗାଇ ଦିଆଯାଉଛି। ସେହିପରି ହରିଶ୍ଚନ୍ଦ୍ର ସହାୟତା ଯୋଜନାରେ ଗତ ବର୍ଷ ୮୦ ହଜାର ଲୋକଙ୍କୁ ୧୫ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା ବେଳେ ୨୦୧୭-୧୮ ବର୍ଷରେ ୮୮ ହଜାର ଲୋକଙ୍କୁ ୧୭ କୋଟି ଟଙ୍କା ସହାୟତା ଯୋଗାଇ ଦିଆଯାଇଛି। ‘ମହାପ୍ରୟାଣ’ ଗାଡ଼ି ସେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୩୯ଟି ଗାଡ଼ି ୨୯ଟି ଜିଲ୍ଲାକୁ ଯୋଗାଇ ଦିଆଯାଇଥିବା ବେଳେ ୩ଟି ମେଡିକାଲ କଲେଜକୁ ୬ଟି ଗାଡ଼ି ଯୋଗାଇ ଦିଆଯାଇଛି। ‘ମହାପ୍ରୟାଣ’ ଗାଡ଼ି ସେବା, ହରିଶ୍ଚନ୍ଦ୍ର ସହାୟତା ଏବଂ ଅସହାୟ ଲୋକଙ୍କ ଚିକିତ୍ସା ସହାୟତା ସହିତ ଆହାର କେନ୍ଦ୍ର ପରିଚାଳନା ନିମନ୍ତେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ସହାୟତା ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିର ସହାୟତାକୁ ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠି ସହାୟତା ପରି ସିଏସ୍‌ଆର୍‌ ଅକାର୍ଯ୍ୟ ଭାବେ ଗ୍ରହଣ କରିବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯିବା ନିମନ୍ତେ ସ୍ଥିର କରାଯାଇଛି। ଆଜିର ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର୍‌ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର