ପୁରୀ ହେବ ବିଶ୍ବ ଐତିହ୍ୟ ସହର

ପୁରୀରେ ସ୍ଥିତି ସମୀକ୍ଷା କଲେ ନବୀନ, ରାସନ୍‌ କାର୍ଡ ନଥିଲେ ବି ମିଳିବ ୫୦ ‌କେଜି ଚାଉଳ, ବିଜୁଳି ନ ଆସିବା ଯାଏ ୨.୫ ଲିଟର କିରାସିନ୍‌ ମାଗଣା

ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ସର୍କିଟ୍‌ ହାଉସରେ ‘ଫନି’ କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ଲୋକଙ୍କୁ ତୁରନ୍ତ ବିଦ୍ୟୁତ୍ ସଂଯୋଗ ଓ ରିଲିଫ୍ କାର୍ଯ୍ୟ ତ୍ବରାନ୍ବିତ ଉପରେ ସେ ଗୁରୁତ୍ବାରୋପ କରିବା ସହ ଆସନ୍ତା ଏକ ସପ୍ତାହ ମଧ୍ୟରେ କ୍ଷୟକ୍ଷତି ଆକଳନ କରି ଲୋକଙ୍କ ପାଖରେ ସହାୟତା ପହଞ୍ଚାଇବାକୁ ପ୍ରାଥମିକତା ଦେଇଛନ୍ତି। ଏହାଛଡ଼ା ପୁରୀକୁ ବିଶ୍ବ ଐତିହ୍ୟ ସହର ଭାବେ ଗଢି ତୋଳିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ବାତ୍ୟା ‘ଫନି’ ପ୍ରଭାବରେ ପୁରୀରେ ବିଦ୍ୟୁତ ଭିତ୍ତିଭୂମି ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଛି। ହଜାର ହଜାର ଗଛ ଉପୁଡି ପଡିଥିବାରୁ ସମସ୍ୟା ଉପୁଜିଛି। ବିଦ୍ୟୁତ୍ ସଂଯୋଗ ଦେବା ଲାଗି ୧୦ ହଜାର କର୍ମଚାରୀ ଦିନରାତି ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ପୁରୀକୁ ଆଜି ଗୋଟିଏ ଫିଡ଼ରରୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିବା ବେଳେ ନିମାପଡା ଓ କୋଣାର୍କ ଏନ୍‌ଏସିକୁ ଆଜିଠାରୁ ପର୍ଯ୍ୟାୟ କ୍ରମେ ବିଦ୍ୟୁତ୍ ସଂଯୋଗ ଦିଆଯିବ। ‌ଲୋକମାନଙ୍କ ସହଯୋଗ ମିଳିଲେ ଏସବୁ କାମ ସୁରୁଖୁରରେ ସଂପନ୍ନ ହେବ ବୋଲି ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଥିଲେ। ଏଥି ସହିତ ଗତକାଲି ବିଦ୍ୟୁତ୍ ମରାମତି ‌ବେଳେ ପ୍ରାଣ ହରାଇଥିବା ଲିଙ୍ଗରାଜ ରାଓଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକ‌ାଶ କରିଛନ୍ତି।

ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ବାତ୍ୟା ଦୁର୍ଗତଙ୍କ ପାଇଁ ବଡ଼ ଘୋଷଣା କରିଥିଲେ। ସଂପୂର୍ଣ୍ଣ ବିଦ୍ୟୁତ୍ ସଂ‌ଯୋଗ ନ ଆସିବା ପର୍ଯ୍ୟନ୍ତ ପ୍ରତ୍ୟେକ ବିପନ୍ନ ପରିବାରକୁ ପ୍ରତି ଦଶ ଦିନ ଅନ୍ତରରେ ଅଢେଇ ଲିଟର କିରାସିନ ମାଗଣାରେ ମିଳିବ। ସେହିଭଳି ରାସନ୍‌ କାର୍ଡ ନ ଥିବା ବିପନ୍ନ ପରିବାରକୁ ୫୦ କେଜି ଚାଉଳ ଦିଆଯିବ। ରିଲିଫ୍‌ କୋର୍ଡ ମୁତାବକ କ୍ଷୟକ୍ଷତି ଆକଳନ କରାଯାଇ ଆସନ୍ତା ଏକ ସପ୍ତାହ ମଧ୍ୟରେ କ୍ଷତିପୂରଣ ଦିଆଯିବ। ବିପନ୍ନଙ୍କୁ ମାଗଣାରେ ୧୦ ଲକ୍ଷ ମହମବତୀ ଏବଂ ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ସାନିଟାରୀ ନାପକିନ୍‌ ମାଗଣାରେ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଅପରାହ୍ନ ସାଢେ ୪ଟାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକ ପ୍ରାୟ ଅଧାଘଣ୍ଟା ଧରି ଚାଲିଥିଲା। ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ, ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି, ମନ୍ତ୍ରୀ ନିରଂଜନ ପୂଜାରୀ, ଶକ୍ତି ସଚିବ ହେମନ୍ତ ଶର୍ମା, ପଞ୍ଚାୟତରାଜ ସଚିବ ଡି.କେ. ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର