ବାତ୍ୟା ‘ଫନି’ରେ ଅଧିକ କ୍ଷତିଗ୍ରସ୍ତ ପୁରୀ ପେଣ୍ଠକଟା ଓ ତାଳବଣିଆ ଅଞ୍ଚଳ ଗସ୍ତ କରି ସ୍ଥିତି ପରଖିବା ସହ ରିଲିଫ୍ ଓ ଆର୍ଥିକ ସହାୟତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ : ବାତ୍ୟା ‘ଫନି’ ପ୍ରକୋପରେ ଅଧିକ ବିପର୍ଯ୍ୟୟ ହୋଇଥିବା ପୁରୀ ସହରର ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫନି ଦ୍ୱାରା ଅତ୍ୟଧିକ ପ୍ରଭାବିତ ହୋଇଥିବା ପୁରୀର ପେଣ୍ଠକଟା ଓ ତାଳବଣିଆ ଅଞ୍ଚଳ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନରେ ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ କରି ବାତ୍ୟା ପ୍ରଭାବିତ ଲୋକଙ୍କୁ ଭେଟି ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖି କହିଛନ୍ତି କି, ପୁରୀ ସହରରେ ବାତ୍ୟାର ୪୮ ଘଣ୍ଟା ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୭୫% ଅଞ୍ଚଳରେ ପାଇପ୍ ପାଣି ଯୋଗାଣ ବ୍ୟବସ୍ଥା ପୁନଃରୁଦ୍ଧାର କରାଯାଇଛି । ଏଥିସହ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ୯୦% ଅଞ୍ଚଳରେ ପାଇପ୍ ପାଣି ଜଳ ଯୋଗାଣ ସ୍ୱାଭାବିକ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେହିପରି ପେଣ୍ଠକଟାର କ୍ଷତିଗ୍ରସ୍ତ ପରିବାରଙ୍କୁ ରିଲିଫ୍ ଓ ଆର୍ଥିକ ସହାୟତା ଭାବରେ ୫୦ କିଲୋ ଚାଉଳ ଓ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି । ପୂର୍ବରୁ ସଚିବାଳୟରେ ମୁଖ୍ୟମନ୍ତ୍ରୀ ବାତ୍ୟା ବିପନ୍ନଙ୍କ ନିମନ୍ତେ ରିଲିଫ୍ ପ୍ରଦାନ ଓ ଆର୍ଥିକ ସହାୟତା ଓ ଗୃହ ନିର୍ମାଣ ସହାୟତା ଘୋଷଣା କରିଥିଲେ । ତେବେ ବିପନ୍ନ ଅଞ୍ଚଳରେ ଖୁବ୍ ଶୀଘ୍ର କ୍ଷୟକ୍ଷତିର ଆକଳନ କରାଯାଇ ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏପରିକି ବାତ୍ୟା ତାଣ୍ଡବ ରଚିଥିବା ପୂର୍ବରୁ ଏବଂ ପରେ ଯେଉଁଭଳି ତତ୍ପରତା ପ୍ରକାଶ କରି ଦିନରାତି କାର୍ଯ୍ୟ କରି ପ୍ରଭାବିତଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିଥିବାରୁ ସଂପୃକ୍ତ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇବା ସହ ଉଚ୍ଚ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଜନସାଧାରଣଙ୍କ ସହଯୋଗରେ ଏଭଳି ବଡ଼ ବିପତ୍ତିର ମୁକାବିଲା କରିପାରିଲୁ । ଠିକ୍ ସେହିପରି ସହଯୋଗରେ ପୁନଃନିର୍ମାଣ କାର୍ଯ୍ୟ ମଧ୍ୟ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସମ୍ବନ୍ଧିତ ଖବର