ଦାରିଦ୍ର୍ୟ ଦୂରୀକରଣରେ ଓଡ଼ିଶା ଅଗ୍ରଣୀ: ମୁଖ୍ୟମନ୍ତ୍ରୀ

ନୂତନ ଓଡ଼ିଶା ହେବ ସଶକ୍ତ ଓଡ଼ିଶା
ପୁଷ୍ଟିସାଧନରେ ରାଜ୍ୟ ଚମ୍ପିୟାନ୍‌
ଅଗଷ୍ଟ ୧୫ ବେଳକୁ ସରକାରୀ ସେବା ପାଇଁ ଲୋକଙ୍କୁ ଦପ୍ତର ଯିବାକୁ ପଡ଼ିବନି
ମାର୍ଚ୍ଚ ୫ ତାରିଖରୁ ସବୁ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମ ଲାଗୁ
ସହରାଞ୍ଚଳ ବାସିନ୍ଦାଙ୍କୁ ୨୪ ଘଣ୍ଟିଆ ସ୍ବଚ୍ଛ ପାନୀୟ ଯୋଗାଇବା ଲକ୍ଷ୍ୟ

ଭୁବନେଶ୍ବର : ‘ନାଗରିକ କେନ୍ଦ୍ରିକ ପ୍ରଶାସନ ହେଉଛି ଗଣତନ୍ତ୍ରର ମୂଲ୍ୟବୋଧ। ଓଡ଼ିଶାବାସୀଙ୍କ ନିରବଚ୍ଛିନ୍ନ ବିଶ୍ବାସ ମୋ ସରକାରର ନୀତି ନିର୍ଦ୍ଧାରଣ କରିବା ପାଇଁ ଶକ୍ତି ଯୋଗାଇଆସୁଛି। ଦାରିଦ୍ର ଦୂରୀକରଣ କରିବାରେ ଓଡ଼ିଶା ସାରା ଭାରତବର୍ଷରେ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି। ଖାଲି ସେତିକି ନୁହେଁ, ପ୍ରାକୃତିକ ଦୁର୍ବିପାକ ମୁକାବିଲାରେ ବି ବିଶ୍ବସ୍ତରୀୟ ମାନ ବିକାଶ କରିବାରେ ରାଜ୍ୟ ସଫଳତା ପାଇଛି।’ ଆଜି ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ରଖିବା ବେଳେ ଏପରି ବକ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂତନ ଓଡ଼ିଶାକୁ ସଶକ୍ତି ଓଡ଼ିଶା ଭାବେ ଗଢ଼ି ତୋଳିବା ପାଇଁ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳିତବର୍ଷ ଅଗଷ୍ଟ ସୁଦ୍ଧା ସବୁ ସରକାରୀ ସେବା ଅନ୍‌ଲାଇନ ମାଧ୍ୟମରେ କରାଯିବ। ଏଥିପାଇଁ କୌଣସି ଲୋକଙ୍କୁ ଆଉ ସରକାରୀ ଅଫିସ ଯିବାକୁ ପଡ଼ିବ ନାହିଁ। ସେହିପରି ଆସନ୍ତା ମାର୍ଚ୍ଚ ୫ ତାରିଖରୁ ସବୁ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମ ଲାଗୁ ହେବ।

ମୁଖ୍ୟମନ୍ତ୍ରୀ କହିଥିଲେ, ବିଗତ ୨୦ ବର୍ଷ ଭିତରେ ଲୋକଙ୍କୁ ଯାହାସବୁ ପ୍ରତିଶ୍ରୁତି ଦିଆଯାଇଥିଲା ସେସବୁକୁ ରାଜ୍ୟ ସରକାର ପୂରଣ କରିଆସିଛନ୍ତି। ଓଡ଼ିଶା ଏକମାତ୍ର ରାଜ୍ୟ ଯିଏକି ପ୍ରଥମେ କୃଷକଙ୍କ ଆୟ ଦୁଇଗୁଣ କରିପାରିଛି। ଗତ ୧୦ ବର୍ଷ ଭିତରେ ରାଜ୍ୟରେ ୮୦ ଲକ୍ଷକୁ ଉର୍ଦ୍ଧ୍ବ ଲୋକଙ୍କୁ ଦାରିଦ୍ର୍ୟର କଷାଘାତରୁ ମୁକ୍ତ କରାଯାଇପାରିଛି। ଚାଷୀଙ୍କ ପାଇଁ କାଳିଆ ଯୋଜନାରେ ୫୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୨୫ ଲକ୍ଷ ଭୂମିହୀନ କୃଷି ପରିବାରଙ୍କୁ ସହାୟତା ଯୋଗାଇ ଦିଆଯାଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସବୁ ନାଗରିକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇ ବିଶ୍ବସ୍ତରରେ ରାଜ୍ୟ ଉଦାହରଣ ସୃଷ୍ଟି କରିପାରିଛି। ମ୍ୟାଲେରିଆ ରୋଗ ଉପରେ ନିୟନ୍ତ୍ରଣ ପାଇବାରେ ରାଜ୍ୟର ସଫଳତାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମାନ୍ୟତା ପ୍ରଦାନ କରିଛି। ମହିଳାଙ୍କୁ ସଶକ୍ତ କରିବା ହେଉଛି ତାଙ୍କ ସରକାରଙ୍କ ମୂଳ ଲକ୍ଷ୍ୟ। ମିସନ ଶକ୍ତି ଜରିଆରେ ସାମାଜିକ ଓ ଆର୍ଥିକ ଶ୍ରେଣୀ ବର୍ଗର ମହିଳାଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଆର୍ଥିକ ସ୍ତରରେ ସ୍ବଚ୍ଛଳ କରାଯାଇପାରିଛି। ମମତା ଯୋଜନାରେ ୪୦ ଲକ୍ଷରୁ ଅଧିକ ଗର୍ଭବତୀ ମହିଳାଙ୍କୁ ସହାୟତା ଯୋଗାଇଦିଆଯାଇଛି। ପୁଷ୍ଟିହୀନତା ରୋକିବାରେ ଓଡ଼ିଶା ସାରା ଦେଶରେ ଚମ୍ପିୟାନ୍‌ ହୋଇଛି। ସହରାଞ୍ଚଳବାସିନ୍ଦାଙ୍କ ଜୀବନଧାରଣ ମାନରେ ନିରନ୍ତର ଉନ୍ନତି ଆଣିବା ପାଇଁ ସରକାର ଅହରହ ଉଦ୍ୟମ ଜାରି ରଖିଛନ୍ତି। ସହରାଞ୍ଚଳରେ ଲୋକଙ୍କୁ ୨୪ ଘଣ୍ଟିଆ ସ୍ବଚ୍ଛ ପିଇବା ପାଣି ଯୋଗାଇବା ପାଇଁ ସରକାର ଯୋଜନା କରିଛନ୍ତି।

ଜାଗା ମିସନ ଯୋଜନା ଅନ୍ତର୍ଗତ ୧୦୯ଟି ପୌରାଞ୍ଚଳରେ ଥିବା ୫୭ ହଜାର ଭୂମିହୀନଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି। ଯେଉଁଥିପାଇଁ ସରକାରଙ୍କୁ ବିଶ୍ବ ହାବିଟାଟ୍‌ ପୁରସ୍କାର-୨୦୧୯ ମିଳିଥିଲା। ଲୋକଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଲମ୍ବା ରାସ୍ତା ଆପଣାଇବା ରାଜ୍ୟ ସରକାରଙ୍କ ପାଇଁ ପରଶମଣୀ ସଦୃଶ। ୫ ଲକ୍ଷରୁ ଉର୍ଦ୍ଧ୍ବ ଏସ୍‌ସି-ଏସ୍‌ଟି ଛାତ୍ରଛାତ୍ରୀଙ୍କୁ ଆବାସିକ ବିଦ୍ୟାଳୟରେ ଶିକ୍ଷା ପ୍ରଦାନ କରି ସରକାର ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ସେହିପରି ଜଙ୍ଗଲ ଅଧିକାର ଆଇନ ଲାଗୁ କରିବାରେ ରାଜ୍ୟ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ରାଜ୍ୟରେ ପରପିଢ଼ୀମାନେ ବହୁ ଆକାଂକ୍ଷିତ। ଓଡ଼ିଶା ଗୋଟିଏ ବିକଶିତ ରାଜ୍ୟ ଭାବେ ଉଭା ହେବାକୁ ସେମାନେ ଚାହାନ୍ତି। ଯୁବକଯୁବତୀମାନଙ୍କ ଆଶା ମୁତାବକ ୫’ଟି’ ମନ୍ତ୍ର ଆଧାରରେ ପ୍ରଶାସନିକ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ପ୍ରତ୍ୟେକ ସମସ୍ୟାର ସମାଧାନ ପାଇଁ ଟ୍ରାନ୍‌ସ୍‌ପ୍ୟାରେନ୍‌ସି, ଟିମ୍‌ ସ୍ପିରିଟ୍‌, ଟେକ୍ନୋଲୋଜି, ଟାଇମ୍‌ଲାଇନ୍‌ ଓ ଟ୍ରାନସ୍‌ଫର୍‌ମେସନ୍‌ ଉତ୍ତମ ଉପକରଣ ଭଳି କାମ କରୁଛି। ଆଗାମୀ ଦିନରେ ଲୋକଙ୍କୁ ହାତପାଆନ୍ତରେ ସେବା ଯୋଗାଇଦେବା ପାଇଁ ସରକାର କେତୋଟି ଲକ୍ଷ୍ୟ ରଖିଛନ୍ତି। ଆସନ୍ତା ଏପ୍ରିଲ ପହିଲାରୁ ସମସ୍ତ ବିଭାଗରେ ମଜୁରୀ ପ୍ରଦାନ ବ୍ୟାଙ୍କ ଜରିଆରେ କରାଯିବା ସହ ସମସ୍ତ ସରକାରୀ କାରବାର ପାଇଁ ଆଇଏଫଏମ୍‌ଏସ୍‌ ବ୍ୟବସ୍ଥା ଲାଗୁ ହେବ। ସବୁ ବିଭାଗର ସଂସ୍କାର ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଲୋକଙ୍କ ପାଇଁ ଭଲ କାମ କରୁଥିବାରୁ ଓଡ଼ିଶାବାସୀଙ୍କ ବିଶ୍ବାସ ଜିତିପାରିଛି। ପ୍ରଶାସନିକ ସଂସ୍କାର ଓ ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ଗୋଟିଏ ସୋପାନ ଅତିକ୍ରମ କରିସାରିଛନ୍ତି ଏବେ ଉନ୍ନତ ସ୍ତରକୁ ଯିବାକୁ ଲକ୍ଷ୍ୟ ରଖିଛନ୍ତି। ସରକାରଙ୍କ ଉପରେ ଲୋକଙ୍କ ଆସ୍ଥା ତିଷ୍ଠି ରହିଥିବାରୁ ଉତ୍ତମ ପ୍ରଶାସନ ଯୋଗାଇବା ପାଇଁ ପ୍ରୋତ୍ସାହନ ମିଳୁଛି। ଶିକ୍ଷିତ ଯୁବକଯୂବତୀଙ୍କୁ ବିଶ୍ବସ୍ତରୀୟ ପ୍ରଶିକ୍ଷଣ ପ୍ରଦାନ କରି ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଏଥିପାଇଁ ଶିଳ୍ପାୟନ ଓ ଉନ୍ନତ ଭିତ୍ତିଭୂମି, ଏମ୍‌ଏସ୍‌ଏମ୍‌ଇ କ୍ଲଷ୍ଟର୍‌, ଷ୍ଟର୍ଟ ଅପ୍‌ ହବ୍‌, ବିଶ୍ବପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାକୁ ସ୍ଥାନିତ କରିବା ସହ ସାମାଜିକ ଓ ଅର୍ଥନୈତିକ ବିକାଶ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଯାହାକି ନୂତନ ଓଡ଼ିଶାକୁ ସଶକ୍ତ ଓଡ଼ିଶା ଭାବେ ଗଢ଼ିତୋଳିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର